‘ରସଗୋଲା’କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ବର: ସ୍ୱରାଜ ମିଶ୍ରଙ୍କ ପ୍ରଯୋଜିତ ‘ରସଗୋଲା’ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ରୂପେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି । ରସଗୋଲା ଓଡ଼ିଶାର ଜନଜୀବନ ସହ ଓତଃପ୍ରୋତ ଭାବେ ଜଡ଼ିତ । କେବଳ ଯେ ନୀଳାଦ୍ରିବିଜେ ସମୟରେ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭେଟି ଦିଅନ୍ତି ସେତିକି ନୁହେଁ, ଓଡ଼ିଶାର ପୁରପଲ୍ଲୀରେ, ସୁଖରେ ଦୁଃଖରେ, ହସରେ ଲୁହରେ ସବୁବେଳେ ଓଡ଼ିଆଙ୍କ ପାଖେପାଖେ ଥାଏ ରସଗୋଲା । ପୁରୀ ସହର ଉପକଣ୍ଠର ଗ୍ରାମ୍ୟ ପରିବେଶରେ ଏକ ପିତୃହରା କିଶୋର ବାବୁନାର ରସଗୋଲା ପ୍ରୀତି ଉପରେ ଏହି ଚଳଚ୍ଚିତ୍ର ଆଧାରିତ ।

‘ଆମ ଓଡ଼ିଶା’ ପ୍ରକାଶିତ ଗଳ୍ପ ସଂକଳନ ‘ବାବୁନା’ ଉପରେ ସନ୍ନିବେଶିତ ‘ରସଗୋଲା’ କାହାଣୀକୁ ନେଇ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ମଧ୍ୟ ପ୍ରସ୍ତୁତ କରିଛନ୍ତି ସ୍ୱରାଜ ମିଶ୍ର । ଏହାର ନିର୍ଦ୍ଦେଶନା ଦେଇଛନ୍ତି ବନମାଳି ରଣା । ଏଥିରେ ବାବୁନା ଭୂମିକାରେ ଅମ୍ରିତାଂଶୁ ଏବଂ ଅନ୍ୟାନ୍ୟ ଭୂମିକାରେ ଚୌଧୁରୀ ବିକାଶ ଦାସ, ଭାସ୍ୱତୀ ବସୁ ଏବଂ ଶିଶୁ କଳାକାର ଶ୍ରୁତିସ୍ୱରୂପା ପ୍ରମୁଖ ଅଭିନୟ କରିଛନ୍ତି । ୨୦୨୦ ମସିହା ନୀଳାଦ୍ରିବିଜେ ଦିନ ‘ମଞ୍ଜରୀ ଟିଭି’ରେ ଏହି ଚଳଚ୍ଚିତ୍ରର ପ୍ରଥମ ପ୍ରଦର୍ଶନ ହୋଇଥିଲା ।

ସମ୍ବନ୍ଧିତ ଖବର