ବାରମ୍ବାର ଫେଲ ହେଉଛି ମୋବାଇଲ୍‌ ନେଟୱର୍କ: ଗଛ ମୂଳେ ସରକାରୀ ଯୋଜନାର ତାଲିମ

ନାରାୟଣପାଟଣା: ଆଧୁନିକ ଯୁଗରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଡିଜିଟାଲ କାରବାରକୁ ଗୁରୁତ୍ବ ଦେଉଛନ୍ତି। କିନ୍ତୁ ଏଥିପାଇଁ ଆବଶ୍ୟକ ମୌଳିକ ଭିତ୍ତିଭୂମି ଆଜି ବି ଅନେକ ସ୍ଥାନରେ ସଜାଡ଼ିବାକୁ ଭୁଲିଗଲେ, ଯଦ୍ବାରା ଲୋକେ ପୂର୍ବଭଳି ଯୋଗାଯୋଗ କରୁଥିଲା ବେଳେ ଟେଲିଫୋନ୍ କିମ୍ବା ମୋବାଇଲ୍ ଭଳି ଅତ୍ୟାବଶ୍ୟକ ସେବାରୁ ବଞ୍ଚିତ ହୋଇ ରହିଛନ୍ତି। ଏଥିଯୋଗୁଁ ସରକାରୀ କାର୍ଯ୍ୟ ବି ବାଧାପ୍ରାପ୍ତ ହେଉଛି। ମୋବାଇଲ୍ ନେଟୱର୍କ ନଥିବା ଯୋଗୁଁ ଗଛମୂଳେ ଠିଆ ହୋଇ ପ୍ରାୟ ଶହେ ଲୋକଙ୍କୁ ନେଇ ସରକାରୀ ତାଲିମ କାର୍ଯ୍ୟକ୍ରମ ଚାଲିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ସଦର ମହକୁମାରେ।

ନାରାୟଣପାଟଣା ଆଇସିଡିଏସ୍ ଅଧିନସ୍ଥ ଅଙ୍ଗନଵାଡି କର୍ମୀ ମାନଙ୍କୁ ନେଇ ପୋଷଣ ଟ୍ରାକର୍ ତାଲିମ ଆଜି ଠାରୁ ଆରମ୍ଭ ହୋଇଛି। ଏହା ଦୁଇଦିନ ଧରି ଚାଲିବାକୁ ଥିଲା ବେଳେ ଆଜି ପ୍ରଥମ ଦିନରେ ବାଲିପେଟା, ତେନ୍ତୁଳିପଦର ଏବଂ ବୋରିଗି ସେକ୍ଟରର ଅଙ୍ଗନଵାଡି କର୍ମୀ ମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯୋଜନା ରହିଥିଲା। ତେବେ ଆଜି ସକାଳୁ ନାରାୟଣପାଟଣାରେ ମୋବାଇଲ ନେଟୱର୍କ ସମସ୍ୟା ଯୋଗୁଁ ଅଙ୍ଗନଵାଡି କର୍ମୀ ଏବଂ ସୁପରଭାଇରଜର ମାନେ ଗାଁ ଠାକୁରାଣୀ ମାଁ ଚୈତ୍ରାଇ ମନ୍ଦିର ନିକଟକୁ ଆସି ନିକଟରେ ଥିବା ବରଗଛ ମୂଳେ ଆସୁଥିବା ନେଟୱକରେ ଛିଡ଼ା ହୋଇ ତାଲିମ କାର୍ଯ୍ୟକ୍ରମ ଚାଲିଥିବା ଦେଖିବାକୁ ମିଳିଥିଲା।

ପୋଷଣ ଟ୍ରାକର୍ କାର୍ଯ୍ୟକ୍ରମ ପାଇଁ ଅଙ୍ଗନଵାଡି କର୍ମୀ ମାନଙ୍କୁ ଏକ ଆପ୍ ଦିଆଯାଇଛି। ଉକ୍ତ ଆପରେ କର୍ମୀମାନେ ସେମାନଙ୍କ କେନ୍ଦ୍ରରେ ଥିବା ପ୍ରିସ୍କୁଲ ପିଲାମାନଙ୍କର ନାମ ପଞ୍ଜିକରଣ କରିବେ। ଏଥି ସହ ପିଲାମାନଙ୍କୁ ଦିଆଯିବାକୁ ଥିବା ଛତୁଆ ଏବଂ ଅନ୍ୟ ଖାଦ୍ୟର ପରିମାଣ ସଂପର୍କରେ ଉଲ୍ଲେଖ କରିବେ। ଏହାପରେ ପ୍ରିସ୍କୁଲ ମାନଙ୍କୁ ସରାକଙ୍କ ଠାରୁ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ଏଥିପାଇଁ ଇ-ଗଭର୍ନାନ୍ସରୁ ଲାଲ୍ ସୁରଜ ସିଂହଦେଓ ତାଙ୍କ ଟିମ୍ ସହ ଆଜି ସକାଳେ ନାରାୟଣପାଟଣାରେ ପହଞ୍ଚି ଅଙ୍ଗନଵାଡି କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରିଚନ୍ତି। ଆସନ୍ତାକାଲି ପୋଡ଼ାପଦର ଏବଂ ନାରାୟଣପାଟଣା ସେକ୍ଟରର ଅଙ୍ଗନବାଡି କର୍ମୀମାନଙ୍କ ତାଲିମ ହେବ ବୋଲି ଜଣାପଡ଼ିଛି। ନାରାୟଣପାଟଣା ବ୍ଲକରେ ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଧାୟକ କିମ୍ବା ପ୍ରଶାସନର ଏଥିପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ ହୋଇଛି। ଅପରପକ୍ଷରେ ଓଏଫସି କେବୁଲ କଟିଲେ ଲୋକଙ୍କୁ କେବଳ ମୋବାଇଲ୍ ସେବା ଯୋଗାଇଦେବାକୁ ସାଟେଲାଇଟ୍ ବ୍ୟବସ୍ଥା କରାଯାଇଛି। ହେଲେ ଉକ୍ତ ସାଟେଲାଇଟ୍ ନେଟଵର୍କରେ ସିଗନାଲ୍ ରହୁଛି କିନ୍ତୁ ଫୋନ୍ କଲେ ଯାଉନାହିଁ। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହାର ସ୍ଥାୟୀ ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର