ପିକ୍‌ଅପ୍‌ ଡ୍ରାଇଭରଙ୍କୁ ଗୁଳିମାଡ଼: ବାଇକ୍‌ରେ ଆସିଥିଲେ ୨ ଦୁର୍ବୃତ୍ତ

ରାଉରକେଲା/ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ଆଇଟିଆଇ ବସ୍ତିରେ ଶନିବାର ସକାଳ ପ୍ରାୟ ୮ଟାରେ ଜଣେ ପିକ୍‌ଅପ୍‌ ଡ୍ରାଇଭରଙ୍କୁ ଗୁଳିମାଡ଼ ହୋଇଛି। ଗୋଟିଏ ଗୁଳି ପିକ୍ଅପ୍‌ ଡ୍ରାଇଭର ମହମ୍ମଦ ରାଜା(୩୨)ଙ୍କ ଡାହାଣ ଛାତିରେ ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସହରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁଳିମାଡ଼ କରିଥିବା ଦୁଇ ଦୁର୍ବୃତ୍ତ ଘଟଣାସ୍ଥଳରୁ ମୋଟରସାଇକଲ୍‌ରେ ଫେରାର ହୋଇଯାଇଛନ୍ତି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଫେରାର ଦୁଇ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ମହମ୍ମଦ ରାଜାଙ୍କ ବଡଭାଇଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଅଭିଯୁକ୍ତମାନଙ୍କୁ ଧରିବାକୁ ଦୁଇଟି ଟିମ୍‌ ଗଠନ କରି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ମିଳିଥିବା ସୂଚନା ମୁତାବକ ମହମ୍ମଦ ରାଜା ପରିବାର ସହ ବିଶ୍ରା ଆଇଟିଆଇ ବସ୍ତିରେ ରହନ୍ତି। ପିକ୍‌ଅପ୍‌ ଚଳାଇ ପରିବାର ପ୍ରତିପୋଷଣ କରନ୍ତି। ଗତ ତିନିଦିନ ତଳେ ରାଜା ଓ ତା’ର କିଛି ସାଙ୍ଗ ରାଉରକେଲାକୁ କିଛି କାମରେ ଆସିଥିଲେ। କୌଣସି କଥାକୁ କେନ୍ଦ୍ରକରି ମହତାବରୋଡର କିଛି ଯୁବକଙ୍କ ସହ ତାଙ୍କ ପାଟିତୁଣ୍ଡ ହୋଇଥିଲା। ରାଜାର କିଛି ସାଙ୍ଗ ମହତାବରୋଡ୍‌ର ଯୁବକମାନଙ୍କୁ ମାଡ଼ ମାରିଥିଲେ। ପ୍ଲାଣ୍ଟସାଇଟ୍‌ ପୁଲିସ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ହେଲେ ମାଡ଼ ଖାଇଥିବା ମହତାବରୋଡ଼୍‌ର ଯୁବକମାନଙ୍କ ରାଗ ଶାନ୍ତ ପଡ଼ି ନଥିଲା। ଗତକାଲି ରାତିରେ ସେମାନେ ଏକାଠି ହୋଇ ରାଜା ଓ ତା’ର ସାଙ୍ଗମାନଙ୍କୁ ମାରିବାକୁ ବିଶ୍ରା ଯାଇଥିଲେ। ହେଲେ କୌଣସି ସୂତ୍ରରୁ ବିଶ୍ରା ପୁଲିସ ସୂଚନା ପାଇ ସେମାନଙ୍କୁ ବିଶ୍ରା ବଜାର ପାଖରୁ ଘଉଡ଼ାଇ ଦେଇଥିଲା।

ଶନିବାର ସକାଳ ପ୍ରାୟ ୮ଟାରେ ରାଜା ତାଙ୍କ ଘର ସାମ୍ନାରେ ଛିଡା ହୋଇ କିଛି ପଡୋଶୀଙ୍କ ସହ କଥା ହେଉଥିଲେ। ହଠାତ୍‌ ଦୁଇ ଦୁର୍ବୃତ୍ତ ମୋଟରସାଇକଲ୍‌ରେ ପହଞ୍ଚି ରାଜାଙ୍କ ସହ ପାଟିତୁଣ୍ଡ କରିଥିଲେ। ପ୍ରତିବାଦ କରିବାରୁ ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ପକେଟରୁ ପିସ୍ତଲ ବାହାରି କରି ରାଜାଙ୍କ ଛାତିକୁ ଗୁଳି ଚଳାଇଥିଲା। ରାଜା ଗୁରୁତର ଅବସ୍ଥା‌ରେ ତଳେ ପଡ଼ିଯିବା ପରେ ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରିବାର ଓ ପଡୋଶୀମାନେ ରାଜାକୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ସେପଟେ ରାଉରକେଲା ସରକାରୀ ଡାକ୍ତରଖାନାରେ ରାଜାଙ୍କ ଚିକିତ୍ସାକୁ କେନ୍ଦ୍ରକରି ପରିବାର ଲୋକ ଓ ଡାକ୍ତରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କିଛି ସମୟ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର