ଅଉଁଲାବାହାଲ ସାକ୍ଷୀଗୋପାଳ ହତ୍ୟା ମାମଲା: ବାପା-ମା’ଙ୍କ ସହ ୨ ପୁଅକୁ ୧୦ ବର୍ଷ ଜେଲ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଲେଫ୍ରିପଡ଼ା ଥାନା ଅଉଁଲାବାହାଲରେ ସଂଘଟିତ ସାକ୍ଷୀଗୋପାଳ ପୋଢ଼ ନାମକ ଯୁବକଙ୍କ ଜଘନ୍ୟ ହତ୍ୟା ମାମଲାର ଶୁଣାଣି ହୋଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ ରାଜେଶ ଦାଶ ଗୋଟିଏ ପରିବାରର ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ସହ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ସେମାନେ ହେଲେ କାନ୍ତାରାମ ବେସନ (୫୨) ଓ ତାଙ୍କ ସ୍ତ୍ରୀ ସାବିତ୍ରୀ (୪୭), ୨ ପୁଅ ଗୋକୁଳାନନ୍ଦ ବେସନ(୩୦), ନକୁଳ ବେସନ(୨୨)। ମାମଲାର ବିବରଣୀ ଅନୁସାରେ, ୨୦୨୦ ଅଗଷ୍ଟ ୧ ତାରିଖ ରାତି ସାଢ଼େ ୯ଟାରେ ଅଉଁଲାବାହାଲ ଗାଁର ବୃଷଭାନୁ ପୋଢ଼ଙ୍କ ପୁଅ ସାକ୍ଷୀଗୋପାଳ ପଡ଼ାକୁ ବୁଲିବାକୁ ଯାଇ ଫେରି ନଥିଲା। କିଛି ସମୟ ପରେ ପଡ଼ାର କିଛି ଯୁବକ ତାଙ୍କ ଘରକୁ ଆସି ସାକ୍ଷୀଗୋପାଳଙ୍କୁ କାନ୍ତ ବେସନ ଓ ପରିବାର ଲୋକ ମିଶି ମାରି ଦେଇଥିବା ସୂଚନା ଦେଇଥିଲେ। ବୃଷଭାନୁ ବଡ଼ ପୁଅ ଶାନ୍ତନୁ ସହ ରାତି ସାଢ଼େ ୧୦ଟାରେ ଯାଇ ଦେଖିଥିଲେ ଯେ, ଗାଁର କାନ୍ତ ବେସନ ଓ ତାଙ୍କ ପତ୍ନୀ, ପୁଅମାନେ ପୁଅକୁ ଘର ସମ୍ମୁଖ ଲୁହା ଗେଟରେ ବାନ୍ଧି ଲୁହାଛଡ଼ ଓ ଠେଙ୍ଗାୁରେ ପିଟି ପିଟି ମାରି ଦେଇଥିଲେ। ଏ ସମ୍ପର୍କରେ ବୃଷଭାନୁ ଅଗଷ୍ଟ ୨ ତାରିଖରେ ଏତଲା ଦେବା ପରେ ପୁଲିସ ୩୪୨, ୩୦୨, ୩୪ରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୁଲିସର ରିପୋର୍ଟ ଓ ସାକ୍ଷୀମାନଙ୍କ ବୟାନକୁ ଆଧାର କରି କୋର୍ଟ ଦଣ୍ଡାଦେଶ କରିଛନ୍ତି। ମାମଲାକୁ ଅତିରିକ୍ତ ଅଭିଯୋଜକ (ପିପି) ପ୍ରଶାନ୍ତ କୁମାର ପଟେଲ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର