ଚଳନ୍ତା ବାଇକ୍ ଚାଳକଙ୍କଠାରୁ ୧. ୪୦ ଲକ୍ଷ ଟଙ୍କା ଲୁଟ୍‌ ଘଟଣା: ଧରାପଡ଼ିଲେ ଦୁଇ ନାବାଳକ

କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ଭେଳା ଗାଁ ଦୁର୍ଗା ମଣ୍ଡପ ପାଖରେ ଏକ ଚଳନ୍ତା ବାଇକରୁ ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗରେ ପୁଲିସ ୨ ଜଣ ନାବାଳକଙ୍କୁ ଧରିଛି। ଉଭୟଙ୍କୁ ନୂଆପଡ଼ା ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ହାଜର କରି ତାଙ୍କ ନିର୍ଦ୍ଦେଶରେ ଭବାନୀପାଟଣା ଶିଶୁ ଥଇଥାନ ଗୃହକୁ ପଠାଇଥିବା କୋମନା ଥାନା ଅଧିକାରୀ ସୁମନ୍ତ ନାୟକ ସୂଚନା ଦେଇଛନ୍ତି।

ଗତ ଅକ୍ଟୋବର ୨୬ ତାରିଖରେ କୋମନା ଥାନା କୁଞ୍ଜଲପଡା ଗାଁର ପ୍ରକାଶ ବାଗ ଓ ତାଙ୍କ ସ୍ତ୍ରୀ ଯଶୋ ବାଗ ଉଦ୍ୟାନବନ୍ଧ ଏସ୍‌ବିଆଇ ଶାଖାରୁ ଟଙ୍କା ଧରି ଧରି ଘରକୁ ଫେରୁଥିବା ବେଳେ ଭେଳା ଦୁର୍ଗା ମଣ୍ଡପ ରାସ୍ତା ପାଖରୁ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଟଙ୍କା ବ୍ୟାଗ୍‌ ଟାଣି ନେଇ ଫେରାର୍‌ ହୋଇଯାଇଥିଲେ। କୋମନା ପୁଲିସ ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜ ତଦନ୍ତ କରି ଏଥିର ଦୁଇ ଜଣଙ୍କୁ ସନ୍ଦେହ କରି ଖୋଜୁଥିବା ବେଳେ ଛତିଶଗଡ ରାଜ୍ୟ ଧରମପ୍ଲାଣ୍ଟ ଥାନା ଖିଲାରି ଗାଁରୁ ଜଣେ ନାବାଳକକୁ ଧରିଥିଲା। ତାକୁ ପଚରାଉଚରା ପରେ ତା’ ପାଖରୁ ୨୦ ହଜାର ଟଙ୍କା ଜବତ କରିଥିଲା। ତା’ର ସୂଚନା ଆଧାରରେ ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ବଲାଙ୍ଗୀର ସଦର ଥାନାର ଜଣେ ନାବାଳକକୁ ଧରିଥିଲା। ଏହି ଦୁଇ ଜଣ ମିଶି ଗତ ଜାନୁଆରି ମାସରେ ଉଦ୍ୟାନବନ୍ଧ ପାଖରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କରିଥିବା ମଧ୍ୟ ପୁଲିସ ପାଖରେ ସ୍ବୀକାର କରିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର