ବାଂଲାଦେଶ ଯିବ ଭୀଷଣ ସାମୁଦ୍ରିକ ଝଡ଼ ହାମୁନ୍, ରାଜ୍ୟର ଉପକୂଳ ଜିଲ୍ଲାରେ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା  ସାମୁଦ୍ରିକ ଝଡ଼ ‘ହାମୁନ୍’ ମଙ୍ଗଳବାର ସକାଳ ସୁଦ୍ଧାଏକ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ‌ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।  ଭାରତୀୟ ପାଣିପାଗ ବିଭାଗ କହିଛି ଯେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଥମେ  ଅବପାତ ଓ ପରେ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହୋଇ ଉତ୍ତର-ପୂର୍ବ ଦିଗକୁ ଗତି କରି ଆସନ୍ତା ୬ ଘଣ୍ଟା ମଧ୍ୟରେ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ଜଣାପଡ଼ିଛି । ମଙ୍ଗଳବାର ସକାଳେ ସାମୁଦ୍ରିକ ଝଡ଼ ହାମୁନ୍ ପାରାଦ୍ବୀପଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ  ୨୩୦ କିଲୋମିଟର ଓ ପଶ୍ଚିମବଙ୍ଗର ଦୀଘାଠାରୁ ୨୪୦ କିଲୋମିଟର ଦୂର ଦେଇ ବାଂଲାଦେଶର ଖେପୁପୁରା ଉପକୂଳକୁ ଗତି କରୁଛି। ଏହା ବାଂଲାଦେଶ ଉପକୂଳ‌ର ଖେପୁପୁରା ଓ ଚିଟ୍ଟାଗଙ୍ଗ ଦେଇ ଏହା ୨୫ ତାରିଖ ମଧ୍ୟାହ୍ଣରେ ଏକ ସାମୁଦ୍ରିକ ଝଡ଼ ଭାବେ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି।

ହାମୁନ୍ ବାତ୍ୟା ପ୍ରଭାବରେ  ମଙ୍ଗଳବାର ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ପୁରୀ ଆଦି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି  ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ତେବେ, ଆସନ୍ତା ୨୫ ତାରିଖ ବୁଧବାର ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଉପକୂଳ ଜିଲ୍ଲାର ଅନେକ ସ୍ଥାନରେ  ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ଅନ୍ୟ ଉପକୂଳ ଜିଲ୍ଳାରେ ମଧ୍ୟ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ।  ସେହିପରି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ମଧ୍ୟ ରହିଛି।

ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ଭିତରକୁ ନଯିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି।

ସମ୍ବନ୍ଧିତ ଖବର