ଧ୍ବଂସମୁଖରେ କାଏମା ବୌଦ୍ଧକୀର୍ତ୍ତିରାଜି

ଧର୍ମଶାଳା: ଧର୍ମଶାଳା ବ୍ଲକ୍‌ କାଏମାର ପ୍ରସିଦ୍ଧ ବୌଦ୍ଧ କୀର୍ତ୍ତିରାଜି ଧ୍ବଂସାଭିମୁଖୀ। ସଚେତନତା ଅଭାବରୁ ଏଠାରୁ ଆବିଷ୍କୃତ ବୌଦ୍ଧ ସ୍ମାରକୀ ଏବେ ଅସୁରକ୍ଷିତ। କେତେକ ଗଛଲତା ଭିତରେ ଲୁଚି ଗଲାଣି ତ ଆଉକିଛି ଭାଙ୍ଗିରୁଜି ମାଟିରେ ମିଶିଲାଣି। ଉପଯୁକ୍ତ ରକ୍ଷଣାବେକ୍ଷଣ କରାନଗଲେ ବହୁ ଦୁର୍ଲଭ କୀର୍ତ୍ତିରାଜି ନଷ୍ଟ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି।

ଧର୍ମଶାଳା ତହସିଲ ଅନ୍ତର୍ଗତ କାଏମା ପାହାଡ଼ ପାଦଦେଶରେ ଅଶୋକଙ୍କ କଳିଙ୍ଗ ବିଜୟ ସମୟରେ ନିର୍ମିତ ପ୍ରସ୍ତର ଖୋଦିତ ଏକ ପୂର୍ଣ୍ଣାଙ୍ଗ ହସ୍ତୀ ପ୍ରତିମା ରହିଛି। ଯାହାର ନିମ୍ନଭାଗରେ ବ୍ରାହ୍ମୀ ଲିପିରେ ‘ଗଜରାଜ’ ଖୋଦିତ ହୋଇଛି। ନିକଟରେ ପଥର ବେ‌ଞ୍ଚ ରହିଥିବା ବେଳେ ଦକ୍ଷିଣ ପାର୍ଶ୍ବରେ ଗୁମ୍ଫା ରହିଛି। ପାହାଡ଼ ଶୀର୍ଷ ଦେଶରେ ଭଗ୍ନସ୍ତୂପ ଅଛି। ହାତୀଟି ପାହାଡ଼ର ପୂର୍ବପଟ ପାଦଦେଶ ଓ ସମତଳ ସ୍ଥାନରେ ପୂର୍ବଦିଗକୁ ମୁହଁକରି ଠିଆ ହୋଇଛି। ଏହା ଏକ କନ୍ଦା ପଥରରେ ନିର୍ମିତ ହୋଇଛି। ଚତୁଃପାର୍ଶ୍ବରେ କନ୍ଦା ପଥରରେ ନିର୍ମିତ ୪ଟି ସ୍ତମ୍ଭ ରହିଛି। ହାତୀକୁ ସୁରକ୍ଷା ଦେବାପାଇଁ ସ୍ତମ୍ଭ ଗୁଡ଼ିକର ଉପରି ଭାଗରେ ଖୋଦିତ ଖାଲୁଆ ଅଂଶରେ ବଲ୍‌ହା ପକାଯାଇ ଛପର କରାଯାଇଥିଲା। ଏହି ହାତୀଟି ବୁଦ୍ଧଦେବଙ୍କ ପ୍ରତୀକାତ୍ମକ ପ୍ରତିନିଧି ଭାବେ ଜଣାଶୁଣା। ଏହାର ପଛ ଗୋଡ଼ଦ୍ବୟ ଆଗ ଗୋଡ଼ ଅପେକ୍ଷା ଛୋଟ ରହିଛି। ଆଗ ଗୋଡ଼ ଦ୍ବୟ ଅଳ୍ପ ବକ୍ର ଅଛି।

ହାତୀର ପଛପଟେ ଥିବା ପ୍ରସ୍ତରରେ ବ୍ରାହ୍ମୀଲିପିରେ ଶ୍ରୀ ଶ୍ରୀ ବୁଦ୍ଧ ଖୋଦିତ ହୋଇଛି। ହାତୀର ଉଚ୍ଚତା ୨ଫୁଟ ୭ଇ‌ଞ୍ଚ, ଲମ୍ବ ୪ଫୁଟ ୩ଇ‌ଞ୍ଚ, ଶୁଣ୍ଢର ଦୈର୍ଘ୍ୟ ୨ଫୁଟ, ଆଗ ଗୋଡ଼ର ଉଚ୍ଚତା ୧ଫୁଟ ୧୦ ଇ‌ଞ୍ଚ, ପଛ ଗୋଡ଼ର ଉଚ୍ଚତା ୧ ଫୁଟ ୧୦ ଇ‌ଞ୍ଚ, ଲାଙ୍ଗୁଡ଼ର ଲମ୍ବ ୨ଫୁଟ ଓ ଗୋଲେଇ ୬ ଫୁଟ ୭ଇ‌ଞ୍ଚ ରହିଛି। ହାତୀଠାରୁ ଅଳ୍ପ ଦୂରରେ ଅନେକ ପ୍ରସ୍ତର ବେଞ୍ଚ‌ ନିର୍ମାଣ କରାଯାଇଛି। ଏଗୁଡ଼ିକ ବୌଦ୍ଧ ସନ୍ନ୍ୟାସୀଙ୍କ ବସିବା ଓ ଧ୍ୟାନ କରିବା ପାଇଁ ବ୍ୟବହାର କରାଯାଉଥିଲା। ସ୍ଥାନୀୟ ଲୋକେ ଏହାକୁ ହାତୀଆଶୁଣି ନାମରେ ପୂଜା କରି ଆସୁଛନ୍ତି। ହସ୍ତୀର ପଶ୍ଚିମକୁ ୧୦୦ ମିଟର ଦୂରରେ ଥିବା ଏକ ମସୃଣ ପ୍ରସ୍ତରରେ ଏକ ଦୀର୍ଘ ଶିଳାଲିପି ଖୋଦିତ ହୋଇଛି। କୋଲକାତା ବିଶ୍ବବିଦ୍ୟାଳୟର ପ୍ରସିଦ୍ଧ ପ୍ରତ୍ନତାତ୍ତ୍ବିକ ବି.ଏନ୍ ମୁଖାର୍ଜୀ ଏହାକୁ ପାଠକରି ଏଥିରେ ଶ୍ରୀ ଶ୍ରୀ ବୁଦ୍ଧ, ଗୋଗ୍ଗୁଲ–ରଦ୍ଦ–ଗୁରୁଗାଦିତ୍ୟ ଖୋଦିତ ହୋଇଥିବା ସୂଚନା ଦେଇଥିଲେ।

କାଏମାର ବୌଦ୍ଧ କୀର୍ତ୍ତିରାଜି ସଂପର୍କରେ ୧୯୭୧ରେ ପ୍ରଥମେ ଧର୍ମଶାଳା ବ୍ଲକ୍ କାଏମା ଗ୍ରାମର ବିଶିଷ୍ଟ ବୌଦ୍ଧ ଗବେଷକ ସ୍ବର୍ଗତ ଡ. ନୃସିଂହ ଚରଣ ସାହୁ ଗଣମାଧ୍ୟରେ ସୂଚନା ଦେଇଥିଲେ। ରାଜ୍ୟ ସଂସ୍କୃତି ବିଭାଗ ଓ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ୨୦୦୪ରେ ଏହାର ପୁନରୁଦ୍ଧାର ଓ ସୁରକ୍ଷା କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ପ୍ରାୟ ୧୫ବର୍ଷ ହେଲା ଏସବୁର ସୁରକ୍ଷା ପ୍ରତି ଆଉ ଦୃଷ୍ଟି ଦିଆଯାଉନାହିଁ। ସଚେତନତା ଅଭାବରୁ ସ୍ଥାନୀୟ ଲୋକମାନେ କୀର୍ତ୍ତିରାଜି ନିକଟରେ ମଇଳା କରୁଥିବାରୁ ଦୁର୍ଗନ୍ଧ ପରିବେଶ ସୃଷ୍ଟି କରିଛି। ରାଜ୍ୟ ସରକାର ଏହାର ସୁରକ୍ଷା ଓ ପ୍ରଚାରପ୍ରସାର ପାଇଁ ଯତ୍ନବାନ ହେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର