କୋରାପୁଟ ଡିଏଚଏଚ ୫ବର୍ଷ ପୂରିଲା: କାର୍ଯ୍ୟକ୍ଷମ ହେଉନି ସିଟିସ୍କାନ

୧୩୧ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ୪୩, ବନ୍ଦ ହୋଇଗଲା ହାଇ ଡିଫେଣ୍ଡସି ୟୁନିଟ

ଜୟପୁର: ଗତ ୫ବର୍ଷ ତଳେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୋରାପୁଟରୁ ଜୟପୁରକୁ ଆସିଥିଲା। ଜୟପୁର–ବୋରିଗୁମ୍ମା ଜାତୀୟ ରାଜପଥର ଉମୁରୀ ପଂଚାୟତର ଫୁଲବାଢ଼ ଠାରେ ନୂଆରେ ନିର୍ମାଣ କରାଯାଇଥିବା ମାତୃ ଓଶିଶୁ କଲ୍ୟାଣ ୱାର୍ଡକୁ  ଏହାକୁ ସ୍ଥାନାନ୍ତର ହୋଇଥିଲା। ଆଶା ଥିଲା ଧାର୍ଯ୍ୟସଂଖ୍ୟକ ବିଶେଷଞ ଡାକ୍ତର, କୋରାପୁଟରେ ଥିବା ବିଭିନ୍ନ ଅତ୍ୟାଧୁନିକ ଞାନ‌କୌଶଳ ଯନ୍ତ୍ରପାତି ସହ  ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ଏଠାରେ ଉପଲବ୍ଧ ହେବ । ତାହା ସଂପ୍ରତି ଫେଲ ମାରିଛି। ୫ବର୍ଷ ପରେ ବି କୋରାପୁଟରୁ ସି-ଆର୍ମ ମେସିନ୍, ସିଟି ସ୍କାନ  ଓ ମାଇକ୍ରୋବାଇଓଲୋଜୀ କେନ୍ଦ୍ର ସହ ବହୁ ମୂଲ୍ୟବା‌ନ ଯନ୍ତ୍ରପାତି ଏପର୍ଯ୍ୟନ୍ତ  ସ୍ଥାନାନ୍ତର ହୋଇନି। ସହର ମଧ୍ୟରେ ଥିବା ପୁରୁଣା ଉପଖଣ୍ଡ ଡାକ୍ତରଖାନା ପରିସରରେ ହିଁ ରକ୍ତଭଣ୍ଡାର ରହିଯାଇଛି।

ଡିଏଚଏଚରେ ୧୩୧ଜଣ ଡାକ୍ତର ରହିବା ବଦଳରେ ଏବେ ଏଠାରେ କାର୍ଯ୍ୟରତ ରହିଛନ୍ତି ୪୩ଜଣ। ଯଦିଓ  ପ୍ରସୁତି ଓ ସ୍ତ୍ରୀ ରୋଗ, ଭେଷଜ, ସର୍ଜରୀ, ଚକ୍ଷୁ ଆଦି ବିଶେଷଞ ରହିଥିଲେ ହେଁ ରେଡିଓଲୋଜୀ, କାର୍ଡିଆକ୍, ନ୍ୟୁରୋଲୋଜୀ ଭଳି ବହୁ ଜରୁରୀ ବିଶେଷଞ ପଦବୀ ଖାଲି ପଡ଼ିଛି। ତେବେ ବହୁ ଟେକ୍ନିସିଅନ୍ ପଦବୀ ବି ଖାଲି ପଡ଼ିଛି। ୨୦୨୧-୨୨ରେ ବର୍ହିବିଭାଗକୁ ୧ଲକ୍ଷ ୭୬ହଜାର ୪୯୧ଜଣ ରୋଗୀ ଆସିଥିବା ବେଳେ ୨୫ହଜାର ୪୪୨ଜଣ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ। ୨୦୨୨-୨୩ରେ ୨ଲକ୍ଷ ୨୯ହଜାର ୧୬୩ଜଣ ବର୍ହିବିଭାଗ ଓ ୩୨ହଜାର ୧୭ଜଣ ଅନ୍ତଃବିଭାଗରେ ରହି ଚିକିତ୍ସାଧୀନ ହୋଇଥିଲେ।

୨୦୨୧-୨୨ରେ ୬୩୮୨ଜଣ ଓ ୨୦୨୨-୨୩ରେ ୬୦୯୪ଜଣ ରୋଗୀଙ୍କୁ କୋରାପୁଟ, ବିଶାଖାପାଟଣା, ବ୍ରହ୍ମପୁର ଆଦି ସ୍ଥାନକୁ ରେଫରାଲ କରାଯାଇଛି। ଖାସ୍ କରି ରେଫରାଲଗୁଡିକ ଅଧିକାଂଶ ସିଟିସ୍କାନ,ଭେଣ୍ଟିଲେଟର,ଏଣ୍ଡ୍ରସକପ, ବଡ ସର୍ଜରୀ, ଅଲଟ୍ରାସାଉଣ୍ଡ ଓ ସିଆର୍ମ କରିବା ପାଇଁ ରହିଛି। ଅଂଚଳର ଲୋକଙ୍କ ସମସ୍ୟାକୁ ଦୁର କରିବା ପାଇଁ ପାୱାରଗ୍ରୀଡ ପକ୍ଷରୁ ଆଇସିୟୁ ପାଇଁ ୭୭.୬୭ ଲକ୍ଷ ଟଙ୍କାର ଅତ୍ୟାଧୁନିକ ଆଇସିୟୁ ଶଯ୍ୟା, ଭେଣ୍ଟିଲେଟର,ଇନଫ୍ୟୁଜନ୍ ପମ୍ପ, ମଲଟିପାରା ମନିଟର ୪ଟି ଲେଖାଏଁ , ଡିଫାଇବ୍ରାଇଲେଟର ଓ ମଲଟିପାରା ଇସିଜି ମେସିନ୍ ୨ଟି ଲେଖାଏଁ  ଆଦି ଦେଇଥିଲେ। ଏହା ଦେବା ପରେ ଦିନକ ପାଇଁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାଇ ଡିଫେଣ୍ଡସି ୟୁନିଟ ଲୋକାର୍ପିତ କରାଯାଇଥିଲା।

ପରବର୍ତ୍ତୀ ସମୟରେ ଏସବୁକୁ ଉପଯୋଗ କରିବା ପାଇଁ ବୈଷୟିକ ଟେକ୍ନିସିଆନ୍ ଓ ଜାଗା ଅଭାବ ନାଁରେ ଗୋଦାମ ଘରେ ରଖାଯାଇଛି। ୭ମହଲା ନିର୍ମାଣାଧୀନ ଥିବା ବେଳେ ଆଉ କିଛି ବ୍ଲକର ନିର୍ମାଣ ବି ଚାଳିଛି। ତେବେ ଭିତ୍ତିଭୂମି କୋଠାବାଡ଼ି ସୁଧାରା ଯାଉଥିବା ବେଳେ ଆବଶ୍ୟକ ସଂଖ୍ୟକ ବିଶେଷଞ ଡାକ୍ତର, ବୈଷୟୀକ କର୍ମଚାରୀ, ଟେକ୍ନିସିଆନ୍ ଆଦି ନିଯୁ୍କ୍ତି ଦିଆଯାଉନଥିବାରୁ ବହୁ ଅସୁବିଧା ହେଉଥିବା ଜୈନେକ ଡାକ୍ତର କହିଛନ୍ତି। କେବଳ ରୋଗୀକଲ୍ୟାଣସମିତି ବୈଠକରେ ଆଲୋଚନା ପରେ ଯଥା ପୂର୍ବଂକୁ ତଥା ପରଂ। ଗତ ୮ମାସ ତଳେ ‌ହୋଇଥିବା ରୋଗୀକଲ୍ୟାଣ ସମିତି ବୈଠକରେ ପ୍ରତି ୩ମାସରେ ବୈଠକ କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ତାହା ବି ଏଯାଏଁ କାର୍ଯ୍ୟକାରୀ ହୋଇପାରିନି।

ଜିଲ୍ଲାପ୍ରଶାସନ, ଲୋକପ୍ରତିନିଧି, ସାଂସଦ, ବିଧାୟକ ଆଦି ଏ ଦିଗରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ନୂଆ ୭ମହଲା ଡାକ୍ତରଖାନା ଓ କ୍ବାର୍ଟର ନିର୍ମାଣାଧୀନ ରହିଥିବା ବେଳେ ଯେଉଁ ସମସ୍ୟା କଥା ଉଠିଲେ ପ୍ରଶାସନ ଏହାର ନିର୍ମାଣ ସରିବା ପରେ ହିଁ ସମାଧାନ ହେବ ବୋଲି କହୁଛନ୍ତି। ଏହାରି ମଧ୍ୟରେ ଯଦି କିଛି ଅଘଟଣ ହେଲେ କିଏ ଉତ୍ତରଦାୟୀ ରହିବ ତାହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଉଠିଛି ପ୍ରଶ୍ନ । ଡିଏମଓ ଛୁଟିରେ ରହିଥିବାରୁ ସେ ଏ ନେଇ ପ୍ରତିକ୍ରୀୟା ଦେବାକୁ ମନା କରିଥିଲେ। ସି-ଆର୍ମ ମେସିନ୍, ଅଲଟ୍ରାସାଉଣ୍ଡ କାମ କରୁଥିବା ବେଳେ ପୁରୁଣା ସି-ଆର୍ମ ମେସିନ୍ , ସିଟି ସ୍କାନ ଜାଗା ଅଭାବରୁ ଜୟପୁର ଆସି ପାରିନଥିବା କହିଛନ୍ତି ହସ୍ପିଟାଲ ପ୍ରବନ୍ଧକ ରୁପସୀ ମଧୁମିତା ନାୟକ।

 

 

 

ସମ୍ବନ୍ଧିତ ଖବର