ସରକାରୀ ଖେଳରେ ୫.୭୬ ଏକର ଜମି ଗାଏବ, ରାଜଧାନୀରେ ୮୬କୋଟି ଟଙ୍କାର ଜମି ହଡ଼ପ

ବାବୁ-ମାଫିଆଙ୍କ ସଲାକୁସ୍ତି ମହଙ୍ଗା ପଡ଼ିଲା, ‌ସ୍ବେରେଜ୍ ଟ୍ରିଟମେଣ୍ଟ ପାଇଁ ନିଆଯାଇଥିଲା ଜମି, ଏବେ ସରକାରୀ ରେକର୍ଡରେ ସରକାରଙ୍କ ନାଁ ନାହିଁ

ଭୁବନେଶ୍ବର : ନଗର ଉନ୍ନୟନ ବିଭାଗ ୧୯୮୮ ମସିହାରେ ରାଜସ୍ବ ବିଭାଗଠାରୁ ନୟାପଲ୍ଲୀ ମୌଜାରେ (ସାଲିଆ ସାହି ନିକଟରେ) ୫.୭୬୦ ଏକର ଜମି ନେଇଥିଲା। ଉଦ୍ଦେଶ୍ୟ ଥିଲା, ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ୍ ନିର୍ମାଣ କରିବା। ହେଲେ ଏବେ ଏଠାରେ ନା ଜମି ଅଛି ନା ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ୍। ଛିଡ଼ା ହୋଇଛି ଆପାର୍ଟମେଣ୍ଟ, ବହୁ କୋଠାଘର ଏବଂ ମାଳମାଳ ଝୁମ୍ପୁଡ଼ି ଘର। ସରକାରଙ୍କ ଦଖଲରେ ବି ଏହି ଜମି ନାହିଁ। ଦଖଲ ଦୂର କଥା, ସରକାରୀ ରେକର୍ଡରେ ବି ଏହି ଜମି ସରକାରଙ୍କ ନାମରେ ନାହିଁ। ସରକାରୀ ବ୍ୟବସ୍ଥାର ଦୁର୍ବଳତାର ଫାଇଦା ଉଠାଇ ରାଜଧାନୀ ଛାତି ଉପରେ ପାଖାପାଖି ୮୬.୪କୋଟି ଟଙ୍କାର ୫.୭୬୦ଏକର ଜମି ସରକାରୀ ରେକର୍ଡରୁ ଗାଏବ କରି ଦିଆଯାଇଥିଲେ ହେଁ ଦୀର୍ଘ ବର୍ଷ ଯାଏଁ କେହି ଏହାର ଟେର୍ ନପାଇବା ସମସ୍ତଙ୍କୁ ଚକିତ କରିଛି।

ମିଳିଥିବା ସୂଚନା ଅନୁଯା‌ୟୀ, ନୟାପଲ୍ଲୀରେ ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ୍ ନିର୍ମାଣ ପାଇଁ ଜନସ୍ବାସ୍ଥ୍ୟ ବିଭାଗ ପ୍ରସ୍ତାବ ଦେବା ପରେ ୧୯୮୮ ମସିହାରେ ରାଜସ୍ବ ଓ ଅବକାରୀ ବିଭାଗ ସେଠାରେ ଥିବା ୩.୯୩୦ଏକର ଜମି ନଗର ଉନ୍ନୟନ ବିଭାଗକୁ ଦେଇଥିଲା। କିନ୍ତୁ ଏତିକି ଜମିରେ ଟ୍ରିଟମେଣ୍ଟ ପ୍ଲାଣ୍ଟ୍ କରିବା ସମ୍ଭବ ନଥିବା ବିଭାଗ କହିବାରୁ ସେଠାରେ ଥିବା ଆଉ ୧.୮୩୦ଏକର ଘରୋଇ ଜମିକୁ ରାଜ୍ୟ ସରକାର ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ନେଲେ। ନୟାପଲ୍ଲୀ ଗ୍ରାମର କରୁଣାକର ମଙ୍ଗରାଜ, ନରେନ୍ଦ୍ର କୁମାର ଜେନା, ଚିନ୍ତା ଭୋଇ ଏବଂ ଶ୍ରୀରାମ ଭୋଇଙ୍କଠାରୁ ୭ଟି ଜମିରୁ ୧.୮୩୦ଏକର ଅଧିଗ୍ରହଣ କରାଗଲା। ଏଥିପାଇଁ ୫ଲକ୍ଷ ୧୯ହଜାର ୭୨୦ଟଙ୍କା‌ ବି ଜମି ବିକ୍ରେତାମାନଙ୍କୁ ରାଜ୍ୟ ସରକାର ଦେଇଥିଲେ।

ଜମି ବିକ୍ରେତା ଟଙ୍କା ପାଇବା ପରେ ସରକାରଙ୍କୁ ଜମି ମାଲିକାନା ହସ୍ତାନ୍ତର କରିଥିଲେ। କିନ୍ତୁ ସରକାର ଜମି ନେଇ ବସିଗଲେ। ଏବେ ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ କରିବାକୁ ଗଲା ବେଳକୁ ସେଠାରେ ଜମି ନାହିଁ କି ଯେଉଁମାନେ ଜମି ଖୋଜିବାକୁ ଯାଇଥିଲେ ସେମାନେ ବି ସରକାରୀ ରେକର୍ଡରେ କେଉଁଠି ଏ ଜମି ସରକାରଙ୍କ ନାମରେ ଅଛି ତାହା ପାଉନାହାନ୍ତି। ତନାଘନା କରୁ କରୁ ଜଣାପଡ଼ିଛି ଯେ, ସରକାର ୧୯୮୮ ମସିହାରେ ଜମି କିଣାବିକା ହୋଇଥିବା ଦଲିଲ୍ ଧରି ବସିଛନ୍ତି। କିନ୍ତୁ ପଟ୍ଟା ବହୁ ଲୋକଙ୍କ ନାମରେ। ସରକାରଙ୍କ ନାମରେ ପଟ୍ଟା ନଥିବାରୁ ରାଜ୍ୟ ସରକାର ବି ଏହାକୁ ଦଖଲକୁ ନେଇପାରୁନାହାନ୍ତି।

ଏହି ଜମି କେଳେଙ୍କାରୀ ପାଇଁ ଜମି ବିକ୍ରେତାମାନେ କେତେକ ସରକାରୀ ଅଧିକାରୀଙ୍କ ଅପାରଗତାର କେମିତି ପୂରା ଫାଇଦା ଉଠାଇଛନ୍ତି ତାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ସରକାରଙ୍କ ନିକଟରେ ଜମି ମାଲିକାନାକୁ ଫେରାଇବାକୁ ବାରମ୍ବାର ଅନୁରୋଧ କରିବା ଭିତରେ କିପରି ଜଣଙ୍କ ପରେ ଜଣଙ୍କ ଜମି ବିକ୍ରି କରାଯାଇଛି ଏବଂ ମାଲିକାନା ବଦଳି ଚାଲିଛି ତାହା କୌଣସି ଫିଲ୍ମର କାହାଣୀ ଭଳି ଲାଗିବ।

ମିଳିଥିବା ସୂଚନା ଅନୁଯାୟୀ, ନଗର ଉନ୍ନୟନ ବିଭାଗକୁ ଦିଆଯାଇଥିବା ମୋଟ୍‌ ୫.୭୬୦ଏକର ଜମିରୁ ୧.୮୩୦ଏକର ଘରୋଇ ଜମି ଅଧିଗ୍ରହଣ ହେବା ସମୟରେ ରାଜସ୍ବ ଓ ଅବକାରୀ ବିଭାଗ ପକ୍ଷରୁ ୧୯୮୮ ମସିହାରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ କିନ୍ତୁ ଯେଉଁ ଲୋକମାନେ ଜମି ବିକିଥିଲେ ସେମାନେ ପୁଣି ଜମି ଫେରାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ। ସରକାର ୧୦ବର୍ଷ ଯାଏଁ ଏହି ଜମିରେ କିଛି ନକରିବାରୁ ଜମି ବିକ୍ରେତା ୧୯୯୮ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯେ, ଆମ ଠାରୁ ଯେଉଁ ୧.୮୩୦ଏକର ଜମି କିଣାଯାଇଥିଲା ସେଠାରେ ଟ୍ରିଟମେଣ୍ଟ ପ୍ଲାଣ୍ଟ ହେବନି ବୋଲି ଶୁଣୁଛୁ। ବିଡିଏରୁ ଜାଣିବାକୁ ପାଇଛୁ ଯେ, ଆମେ ଯେଉଁ ଜମି ବିକିଛୁ ତାହା ନିକଟରେ ଥିବା ସରକାରୀ ଜମି ଉପରେ ହେବ। ଆମ ଜମିରେ ନାଳ ନିର୍ମାଣ କରି ବର୍ଷା ଓ ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରାଯିବ ଏବଂ ବାକି ଜମି ବାସୋପଯୋଗୀ ପାଇଁ ରଖାଯାଇଛି। ତେଣୁ ଆମ ଜମି ଯେଉଁ ଉଦ୍ଦେଶ୍ୟରେ ଅଧିଗ୍ରହଣ ହୋଇଥିଲା ସେହି ଉଦ୍ଦେଶ୍ୟରେ ବ୍ୟବହାର ହେଉନଥିବାରୁ ଆମକୁ ଜମି ଫେରାଇ ଦିଆଯାଉ। ପୂର୍ବରୁ ବମିଖାଲ ଓ ସହିଦନଗ‌ରରେ ଜମି ଯେଉଁ ଉଦ୍ଦେଶ୍ୟରେ ଅଧିଗ୍ରହଣ ହୋଇଥିଲା ସେହି ଉଦ୍ଦେଶ୍ୟରେ ବ୍ୟବହାର ନହେବାରୁ ଲୋକଙ୍କୁ ଜମି ଫେରାଯାଇଛି। ତେଣୁ ଆମକୁ ଜମି ଫେରାଇ ଦିଆଯାଉ।

ଏହାପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନଗର ଉନ୍ନୟନ ବିଭାଗର ମତାମତ ଲୋଡ଼ିଥିଲେ। ନଗର ଉନ୍ନୟନ ବିଭାଗ ଉତ୍ତର ଦେଇଥିଲା ଯେ, ଏହି ଜମିରେ ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ହେବାକୁ ଥିବାରୁ ଏହି ଜମି ଫେରାଇ ହେବନି। ଏହାପରେ ସରକାରୀ ସ୍ତରରେ ଜମି ବଞ୍ଚାଇବାକୁ ତନାଘନା ଆରମ୍ଭ ହେଲା। ଫେବ୍ରୁଆରି ୧୯୯୯ରେ ନଗର ଉନ୍ନୟନ ଘରୋଇ ଜମି ଅଧିଗ୍ରହଣ ହୋଇଥିବା ୧.୮୩୦ଏକର ଜମିରେ ପାଚେରି ବୁଲାଇବାକୁ ଜନସ୍ବାସ୍ଥ୍ୟ ବିଭାଗକୁ କହିଥିଲା। କିନ୍ତୁ ଜନସ୍ବାସ୍ଥ୍ୟ ବିଭାଗ ପାଖରେ ଟଙ୍କା ନଥିବା କହି ପାଚେରି ବୁଲାଇଲାନି। ଜନସ୍ବାସ୍ଥ୍ୟ ବିଭାଗ ସିନା ପାଚେରି ବୁଲାଇଲାନି କିନ୍ତୁ ଜମିର ନୂଆ ମାଲିକମାନେ ପାଚେରି ବୁଲାଇ ଜମି ଦଖଲକୁ ନେବା ଆରମ୍ଭ କରି ଦେଲେ। ଆଉ ବର୍ଷ କେଇଟାରେ ଜମିର ବହୁ ମାଲିକ ହୋଇଗଲେ।

ଆହୁରି ଆଶ୍ଚର୍ଯ୍ୟର ବିଷୟ ହେଲା, ଯେଉଁ ଜମି ନଗର ଉନ୍ନୟନ ବିଭାଗକୁ ମିଳିଥିଲା ସେହି ଜମିରେ ଅନ୍ୟ ଲୋକମାନେ ଆପାର୍ଟମେଣ୍ଟ, ଘର କଲେ। ଆଉ ଏହାର ପ୍ଲାନ୍ ଅନୁମୋଦନ କଲା ବିଡିଏ। ବିଡିଏ କର୍ତ୍ତୃପକ୍ଷ ବି ଜାଣିପାରିଲେନି ଜମିର ମାଲିକ କିଏ। ଆଉ ଏହାର ଫାଇଦା ଉଠାଇ ସରକାରୀ ଜମିରେ କୋଠା ପରେ କୋଠା ଗଢ଼ି ଉଠିଲା। ଏବେ ବିଡିଏ ପ୍ଲାନ୍ ଅନୁମୋଦନ କରି, ବ୍ୟାଙ୍କରୁ ଋଣ ନେଇ ଯେଉଁମାନେ ଘର କରିଛନ୍ତି ସେମାନେ ବା କେ‌ମିତି ଘର ଛାଡ଼ିବେ?

ଏତେ ବଡ଼ ଜମି କେଳେଙ୍କାରୀ ପାଇଁ ଜମି ବିକ୍ରେତାମାନେ ଯେତିକି ଦାୟୀ ନୁହେଁ ତାହାଠାରୁ ଅଧିକ ଦାୟୀ ହେଉଛି ସରକାରୀ ବ୍ୟବସ୍ଥା। କାରଣ ରାଜସ୍ବ ବିଭାଗ ଜମି ଅଧିଗ୍ରହଣ କରିବା ନେଇ ୧୯୮୮ମସିହାରେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରିଥିଲା। କିନ୍ତୁ ୧୯୯୨ ମସିହାରେ ରାଜସ୍ବ ବିଭାଗ ଅଧୀନସ୍ଥ ରାଜସ୍ବ ପର୍ଷଦ ସଦସ୍ୟ ଏହି ମୌଜାର ବନ୍ଦୋବସ୍ତ ସମୟରେ ଏହାକୁ ଯେଉଁମାନେ ଜମି ବିକିଥିଲେ ସେମାନଙ୍କ ନାମରେ ପୁଣି ରେକର୍ଡ କରିଦେଇଥିଲେ। ରାଜ୍ୟ ସରକାରଙ୍କ ପାଖକୁ ମାଲିକାନା ଆସିନଥିଲେ ହେଁ ଏନେଇ କେହି ମୁହଁ ଖୋଲି ନଥିଲେ। ପୁଣି ଜମି କ୍ରେତା ମାଲିକାନା ପାଇଯିବାରୁ ସେମାନେ ଜମି ବିକିବା ଆରମ୍ଭ କରିଦେଲେ। ଏପରିକି ୨୨.୦୭.୯୮ରେ ନଗର ଉନ୍ନୟନ ବିଭାଗ ଅଧୀନସ୍ଥ ବିଡିଏ ଏହି ଜମି ଉପରେ ପ୍ଲାନ୍ ଅନୁମୋଦନ କରିଥିଲା। ହେଲେ ଜମି ବିକ୍ରେତାମାନେ ଏହାପରେ ୧୯୯୮ ଓ ୧୯୯ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜମି ଫେରାଇବାକୁ କହିଥିଲେ। ସରକାର ଜମି ନଫେରାଇବା ମୁଡ୍‌ରେ ଥିଲେ ହେଁ ସରକାରଙ୍କ ଦଖଲରୁ ଜମି କେତେବେଳେ ଖସିଗଲା ତାହା ଜାଣିପାରିଲେ ନାହିଁ।

ଏବେ ସାଧାରଣ ପ୍ରଶାସନ ବିଭାଗ ଏହି ଜମି ପୁଣି ଫେରାଇ ଆଣିବାକୁ ଯୋଜନା କରିଥିଲେ ହେଁ ରାଜସ୍ବ ପର୍ଷଦ ସଦସ୍ୟଙ୍କ ନିକଟରେ ମାମଲା ଥିବା କହି ଚୁପ୍ ବସି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର