ଓୟୁଏଟିରେ ବ୍ୟାକ୍ଟେରିଆଲ ଟିକା ଉତ୍ପାଦନ ପରୀକ୍ଷାଗାର, ବାର୍ଷିକ ଉତ୍ପାଦନ ହେବ ୪ କୋଟି ଟିକା

ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଟିକା ଯୋଗାଇବା ଲକ୍ଷ୍ୟ, ବ୍ରହ୍ମପୁରରେ ୨ଟି ପରୀକ୍ଷାଗାର ଖୋଲିବାକୁ ପ୍ରସ୍ତାବ

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ପରିସରରେ ଖୁବଶୀଘ୍ର ଉଦ୍‌ଘାଟିତ ହେବ ବ୍ୟାକ୍ଟେରିଆଲ ଟିକା ଉତ୍ପାଦନ ପରୀକ୍ଷାଗାର। ଓଡ଼ିଶା ବାୟୋଲୋଜିକାଲ ପ୍ରଡକ୍ଟ ଇନଷ୍ଟିଚ୍ୟୁଟ୍‌ (ଓବିପିଆଇ) ଅଧୀନରେ ଏହି ପରୀକ୍ଷାଗାର କାର୍ଯ୍ୟ କରିବ। ପୂର୍ବ ଭାରତରେ ସରକାରୀସ୍ତରରେ ଏଭଳି ପରୀକ୍ଷାଗାର ହେଉଛି ପ୍ରଥମ। ପରୀକ୍ଷାଗାରରେ ଅତ୍ୟାଧୁନିକ ପ୍ରଣାଳୀରେ ଟିକା ପ୍ରସ୍ତୁତ ହେବା ସହ ରାଜ୍ୟ‌‌‌ରେ ପ୍ରାଣୀ ସଂପଦର ଜରୁରୀ ଟିକାର ଆବଶ୍ୟକତାକୁ ପୂରଣ କରିବ। ଏହାସହ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଟିକା ଯୋଗାଇବାରେ ସହାୟକ ହେବ ବୋଲି ଜଣାପଡ଼ିଛି। ଓୟୁଏଟି ପରିସରରେ ପ୍ରାଣୀ ଚିକିତ୍ସା ପାଇଁ ଥିବା ପରୀକ୍ଷାଗାରରେ ଟିକା ପ୍ରସ୍ତୁତ କରାଯାଉଛି। ତେବେ ଗୁଡ୍ ମାନୁଫାକ୍ଚରିଂ ପ୍ରାକ୍ଟିସ୍ (ଜିଏମ୍‌ପି) ପାଇଁ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ ଅନୁସାରେ ଏହି ନୂତନ ଷ୍ଟେଟ୍‌ ଅଫ ଦି ଆର୍ଟ ବ୍ୟାକ୍ଟେରିଆଲ ଟିକା ଉତ୍ପାଦନ ପରୀକ୍ଷାଗାର ନିର୍ମାଣ କରାଯାଇଛି। ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ବା ଆରଆଇଡିଏଫ୍‌ ଓ ନାବାର୍ଡର ମିଳିତ ସହାୟତାରେ ଏହାକୁ ନିର୍ମାଣ କରାଯାଇଛି। ବର୍ଷେ ହେବ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ‌ଶେଷ ହୋଇଛି। ଏବେ ପରୀକ୍ଷାଗାରରେ ଥିବା ଯନ୍ତ୍ରପାତିର ଭାଲିଡେସନ୍‌ ଓ ସାର୍ଟିଫିକେସନ୍ ପ୍ରକ୍ରିୟା କାର୍ଯ୍ୟ ଜାରି ରହିଛି। ପରେ ଟିକାର ପ୍ରସ୍ତୁତି ଓ ପରୀକ୍ଷା ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପରୀକ୍ଷାଗାରରେ ସାହାଣ ଓ ବଜବଜିଆ ଭଳି ଟିକା ପ୍ରସ୍ତୁତ କରାଯିବ।

ପ୍ରାଣୀ ଚିକିତ୍ସା ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ଜିଏମ୍‌ପି ଗାଇଡ୍‌ଲାଇନ୍ ଅନୁସାରେ ଏହି ନୂତନ ପରୀକ୍ଷାଗାର ନିର୍ମାଣ କରାଯାଇଛି। ଏବେ ଓୟୁଏଟି ପରିସରରେ ଥିବା ପରୀକ୍ଷାଗାରରେ ମାନୁଆଲି ଟିକା ପ୍ରସ୍ତୁତ କରାଯାଉଛି। ନୂତନ ଭାବେ ନିର୍ମିତ ହୋଇଥିବା ପରୀକ୍ଷାଗାରରେ ଅତ୍ୟାଧୁନିକ ପ୍ରଣାଳୀରେ ଟିକା ପ୍ରସ୍ତୁତ ହେବ। ମାନୁଆଲି ଏବେ ସାହାଣ ୮୪ ଲକ୍ଷ, ବଜବଜିଆ ୭୨ଲକ୍ଷ, ଆନ୍ଥ୍ରାକ୍ସ ଓ କୁକଡ଼ା ରୋଗ ପାଇଁ ୪୦ଲକ୍ଷ, ଫାଉଲ ପକ୍ସ ୧୦ଲକ୍ଷକୁ ମିଶାଇ ପରୀକ୍ଷାଗାରରେ ୨କୋଟି ଟିକା ପ୍ରସ୍ତୁତ ହେଉଛି। ଏହିଠାରୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଟିକା ଯୋଗାଇ ଦିଆଯାଉଛି। ନୂତନ ପରୀକ୍ଷାଗାରରେ ପ୍ରସ୍ତୁତ ଟିକାର ଉଚିତ୍ ଗୁଣବତ୍ତା ଓ ବାର୍ଷିକ ୪କୋଟିରୁ ଅଧିକ ଟିକା ପ୍ରସ୍ତୁତ ହୋଇପାରିବ। ଏବେ ୨ ପ୍ରକାରର ଟିକା ପ୍ରସ୍ତୁତ କରାଯିବ। ପରବର୍ତୀ ସମୟ‌ରେ ଆହୁରି ୨ଟି ଭାଇରାଲ ଟିକା ପ୍ରସ୍ତୁତ ହେବାର ଯୋଜନା ‌ରହିଛି। ପରୀକ୍ଷାଗାର ପାଇଁ କର୍ମଚାରୀଙ୍କ ନିଯୁକ୍ତି ଶେଷ ହୋଇଥିବା ବେଳେ ସେମାନଙ୍କୁ ପର୍ଯ୍ୟାୟକ୍ରମେ ତାଲିମ୍ ପ୍ରଦାନ କରାଯାଉଛି। ସେହିପରି ବ୍ରହ୍ମପୁରରେ ସମାନ ଢଙ୍ଗରେ ଆହୁରି ୨ଟି ପରୀକ୍ଷାଗାର ନିର୍ମାଣ ପାଇଁ ଯୋଜନା ରହିଛି। ସେଠାରେ ଆନ୍ଥ୍ରାକ୍ସ-୪ ଓ ଏଣ୍ଟ୍ରୋଟକ୍ସିନ୍ ଟିକା ପ୍ରସ୍ତୁତ ହେବ। ଛତିଶଗଡ଼ ଓ ବେଙ୍ଗଲ ସରକାର ଏବେ ଓଡ଼ିଶାରୁ ଆନ୍ଥ୍ରାକ୍ସ ଟିକା ନେଉଛନ୍ତି। ରାଜ୍ୟରେ ସାହାଣ ଓ ବଜବଜିଆ ରୋଗ ଅଧିକ ମାତ୍ରରେ ଦେଖାଯାଉଥିବା ବେଳେ ନୂତନ ପରୀକ୍ଷାଗାର କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଏହି ଦୁଇ ରୋଗ ପାଇଁ ଉଚିତ୍ ଗୁଣବତ୍ତାଯୁକ୍ତ ଟିକା ଉପଲବ୍ଧ ହୋଇପାରିବ। ଏବେ ଛତିଶଗଡ଼ ଓ ବେଙ୍ଗଲ ସରକାର ଓଡ଼ିଶାରୁ ଆନ୍ଥ୍ରାକ୍ସ ଟିକା ନେଉଛନ୍ତି। ନୂତନ ପରୀକ୍ଷାଗାର ଜରିଆରେ ବେଙ୍ଗଲ ସମେତ ପୂର୍ବାଞ୍ଚଳର ସମସ୍ତ ରାଜ୍ୟକୁ ଓଡ଼ିଶାରୁ ଏସବୁ ଟିକା ଯୋଗାଣ ସମ୍ଭବ ହୋଇପାରିବ। ଆସନ୍ତା ୨ ମାସ ଭିତରେ ଏହି ପରୀକ୍ଷାଗାର ଉଦ୍‌ଘାଟିତ ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର