ଝାରସୁଗୁଡ଼ା: ପାର୍ବଣ ବୋଲି ସବୁଆଡ଼େ ଗହଳିଚହଳି। ରାତି ୧୧ଟାରେ ବି ସହରରେ ଦିବା ସଦୃଶ ଭିଡ଼। ହେଲେ ଏହାରି ଭିତରେ ରାସ୍ତାକଡ଼ରେ ଠେଲାଗାଡ଼ି ଉପରେ ଦମ୍ପତି ଶୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ରେଳ ଷ୍ଟେସନ ଛକରୁ ଅନତି ଦୂରରେ ଏଭଳି କିଛି ଦୃଶ୍ୟ ଅନେକ ବ୍ୟକ୍ତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଠେଲାରେ ଶୋଇ ଶୀତରେ ଥରଥର ହେଉଥିବା ସେହି ଦମ୍ପତିଙ୍କୁ ପଚାରିବାରେ, ନିକଟରେ ଥିବା ଦୁର୍ଗା ମନ୍ଦିର ଦୁଆରେ ହିଁ ସେମାନଙ୍କର ରାତି କଟେ ବୋଲି କହିଥିଲେ। କିନ୍ତୁ ପୂଜା ଚାଲିଥିବାରୁ ମନ୍ଦିର ଆଗରେ ଆଉ ଶୋଇ ହେଉନି। ତେଣୁ ଆଉ ୨/୩ ଦିନ ଏମିତି ରାସ୍ତାକଡ଼ରେ ଠେଲାଗାଡ଼ି ଉପରେ କାଟିଦେଲେ ପୁଣି ମା’ଙ୍କ ଦୁଆର ସେମାନଙ୍କ ଠିକଣା ପାଲଟିବ ବୋଲି କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ରାଉରକେଲା ରେଲୱେ କଲୋନିର ଅଜୟ ଘୁମୁଜ(୪୨) ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି। ବେଶ୍ କେଇ ବର୍ଷ ଧରି ପୁରୀରେ ଜଗନ୍ନାଥ ମନ୍ଦିରରେ ଏକ ଠିକା ସଂସ୍ଥା ଅଧୀନରେ ଝାଡୁଦାର ଥିଲେ। କିନ୍ତୁ କରୋନା ସମୟରେ ଠିକାଦାର ୩ ମାସର ଦରମା ନ ଦେଇ କାଢ଼ିଦେଲା। ଘର ଚଳାଇବା ଦାୟିତ୍ବ ସାଙ୍ଗକୁ ଭଉଣୀର ବିବାହ ଚିନ୍ତା ଏବେ ମୁଣ୍ଡଉପରେ। ଗତ ୩ ବର୍ଷ ହେଲା ଏହି ଘୁମୁଜ ଦମ୍ପତି ଝାରସୁଗୁଡ଼ାକୁ ଚାଲି ଆସିଛନ୍ତି। ମଙ୍ଗଳବଜାରର ଜଣେ ବ୍ୟକ୍ତିଙ୍କଠାରୁ ଏକ ଠେଲାଗାଡ଼ି ଦୈନିକ ୪୦ ଟଙ୍କା ଭଡ଼ାରେ ଆଣିଛନ୍ତି। ରାତି ପାହିଲେ ଏହି ଦମ୍ପତି ସହରରେ ବୁଲି ବୁଲି ବ୍ୟବହୃତ ପ୍ଲାଷ୍ଟିକ ବୋତଲ, କାର୍ଟୁନ ପେଟି ଗୋଟାଇବା ପରେ ସନ୍ଧ୍ୟାରେ ତାକୁ କବାଡ଼ିଆକୁ ବିକ୍ରି କରିଥା’ନ୍ତି। ଦୈନିକ ପ୍ରାୟ ୨ଶହ ଟଙ୍କା ଏଥିରୁ ସେମାନଙ୍କର ରୋଜଗାର ବି ହୁଏ। ସ୍ବାମୀସ୍ତ୍ରୀଙ୍କର ଦି’ ଓଳି ଖାଇବାରେ ଶହେ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଆଉ ଶହେ ଟଙ୍କା ସେମାନେ ପରିବାର ପାଇଁ ପଠାଇଥା’ନ୍ତି। ତେବେ ସନ୍ଧ୍ୟାରେ ଫେରିବାପରେ ଦୁର୍ଗାଙ୍କ ମନ୍ଦିର ହିଁ ସେମାନଙ୍କର ଠିକଣା ଓ ସକାଳ ପାହିଲେ ଖବର କାଗଜ ବାଲାଙ୍କ ପାଟିତୁଣ୍ଡ ସେମାନଙ୍କର ଆଲାର୍ମ ଘଣ୍ଟା ପାଲଟିଯାଇଛି।
ଶିଳ୍ପ ଓ କଳକାରଖାନାରେ ସମୃଦ୍ଧ ସହର ଝାରସୁଗୁଡ଼ା। କିନ୍ତୁ ଅଜୟଙ୍କ ଭଳି ଅନେକ ବ୍ୟକ୍ତି ଆଜି ବି ଏଠାରେ ମୁଣ୍ଡ ଗୁଞ୍ଜିବାକୁ ଛାତଟିଏ ପାଆନ୍ତିନି। ରାଜ୍ୟର ଅନେକ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଏଭଳି ଅସହାୟଙ୍କ ପାଇଁ ସମନ୍ବିତ ଭିତ୍ତିଭୂମି କମ୍ପ୍ଲେକ୍ସ(ଆଇଆଇସି) ନିର୍ମାଣ କରାଯାଇଛି। ଏଥିପାଇଁ ଝାରସୁଗୁଡ଼ାରେ ମଧ୍ୟ ଜାଗା ଚିହ୍ନଟ ହୋଇଛି ସତ, ହେଲେ ଡିଏମ୍ଏଫ୍ କିମ୍ବା ଓମ୍ବାଡସି, କେଉଁ ପାଣ୍ଠିରୁ ଏହା ନିର୍ମାଣ ହେବ ସ୍ଥିର କରାଯାଇ ପାରୁନାହିଁ। ଫଳରେ ସରକାରଙ୍କ ଆକାଉଣ୍ଟରେ ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କା ପଡ଼ି ରହିଥିବା ସତ୍ତ୍ବେ ଏଭଳି ଅସହାୟଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ କେବଳ ମନ୍ଦିର ଦୁଆର ହିଁ ଭରସା ପାଲଟିଛି।