ଦାଦନ ଖଟିବାକୁ ଯାଇଥିଲେ; ଫେରିଲା ବାଟରେ ବାପାର ମୃତ୍ୟୁ, ମୃତଦେହ ଆଣିବାକୁ କୁନିଝିଅର ଆକୁଳ ନିବେଦନ

ସୁନ୍ଦରଗଡ଼: ଝାଟିମାଟିର ଘର। କେତେବେଳେ ଘର ଭାଙ୍ଗିଯିବ ତାହା କେହି କହିପାରିବେ ନାହିଁ। ନାମିଳିଛି ଆବାସ ନା କୌଣସି ସରକାରୀ ସହାୟତା। ଘରେ ୪ ପୁଅ ୨ ଝିଅ। ଛୋଟଛୋଟ ପିଲାଙ୍କ ଆବଶ୍ୟକତା ମେଣ୍ଟାଇବାକୁ ଦାଦନ ଖଟିବାକୁ ସୁଦୂର ଗୋଆକୁ ଯାଇଥିଲେ ବାପା। ମାତ୍ର ବିଧିର ବିଧାନ ଥିଲା କିଛି ଭିନ୍ନ। ସେଠାରେ କିଛି ମାସ କାମ କରିବା ପରେ କିଛି ପଇସା ନେଇ ଘରକୁ ଫେରୁଥିବା ବେଳେ ବାଟରେ ଘଟିଛି ସନ୍ଦେହଜନକ ମୃତ୍ୟୁ। ଅ।ଉ ବର୍ତ୍ତମାନ ଖବର ପାଇବା ପରେ ପୁରା ପରିବାର ଜିଲ୍ଲାପାଳଙ୍କ ଦ୍ଵରସ୍ଥ ହୋଇଛନ୍ତି। କିଭଳି ନିଜ ବାପାର ମୃତଦେହ ଫେରିବ ସେ ନେଇ କୁନି ଝିଅ ଆକୁଳ ନିବେଦନ କରୁଛି।

ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ କୁକରିଡିହି ଗ୍ରାମର ସୁରେଶ ଲାରଙ୍ଗ। ଜମିବାଡି କିଛି ନାହିଁ। ଘର କହିଲେ ଏକ ଝାଟି ମାଟିର ଛପର ଘର। ପତ୍ନୀ କୁମୁଦିନି ଲାରଙ୍ଗ, ୪ ପୁଅ ଓ ୨ ଝିଅଙ୍କୁ ନେଇ ତାଙ୍କ ପରିବାର। ସମସ୍ତ ପୁଅ-ଝିଅଙ୍କର ବୟସ ୧୨ ବର୍ଷ ଭିତରେ। ପ୍ରାୟ ୭ ମାସ ତଳେ ପରିବାରର ପ୍ରତିପୋଷଣ ପାଇଁ ସୁରେଶ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ କିଛି ମାସ କାମ କରିବା ପରେ ସୋମବାର ଦିନ ସେଠାରୁ ନିଜ ଭିଟାମାଟିକୁ ବାହାରିଥିଲେ। ଗୋଆରୁ ବାହାରିବା ସମୟରେ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ। ମାତ୍ର ଆଜି ସକାଳୁ ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡା ନିକଟସ୍ଥ ହୁବଲି ରେଲବାଇ ପୁଲିସ ଫୋନ କରିଜଣାଇଲେ ରେଳଲାଇନ ନିକଟରେ ସୁରେଶଙ୍କ ମୃତଦେହ ପଡ଼ିରହିଛି। ଖବର ପାଇବା ପରେ ଗାଁ ଲୋକେ ସୁରେଶଙ୍କ ପରିବାରକୁ ନେଇ ଆସିଛନ୍ତି ଜିଲ୍ଲାପାଳଙ୍କ ନିକଟକୁ କିଭଳି ସେଠାରୁ ମୃତଦେହ ଫେରିବ ତାର ବ୍ୟବସ୍ଥା କରିବାପାଇଁ।

ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କୁନି ପୁଅ ଓ ଝିଅ ଯେଭଳି ଭାବରେ କାନ୍ଦିକାନ୍ଦି ନିଜ ବାପାଙ୍କ ମୃତଦେହ ଫେରାଇ ଅ।ଣିବାକୁ ନିବେଦନ କରୁଛନ୍ତି ଯେ କେହିବି ଦେଖିଲେ ହୃଦୟ ତରଳିଯିବ। ଆଖିରୁ ଖସୁଛି ଧାର ଧାର ଲୁହ କହୁଛି ବାପାଙ୍କ ମୁହଁ ଟିକେ ଦେଖିବି ମୋ ବାପାଙ୍କୁ ଆଣିଦିଅ।

୬ ପୁଅ-ଝିଅ ଓ ଅଭାଗିନୀ ମା’ଙ୍କୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଛନ୍ତି। ପରିବାରର ଆର୍ଥିକ ସ୍ଥିତି ଯାହା ଦି ଓଳି ଖାଇବା ସମ୍ଭଳ ନୁହେଁ। ଏଣୁ ଏଭଳି ପରିସ୍ଥିତି ଜିଲ୍ଲା ପ୍ରଶାସନ କିଭଳି ଭାବରେ ମୃତଦେହକୁ ଅ।ଣିବ ତାର ବ୍ୟବସ୍ଥା କରନ୍ତୁ କହିଛନ୍ତି ଗ୍ରାମବାସୀ। ଅନ୍ୟ ପଟେ ଖବର ପାଇ ଅତିରିକ୍ତ ଶ୍ରମ ଅଧିକାରୀ ଗୌରହରି ତାଣ୍ଡି ଘଟଣା ସ୍ଥଳରେ ପହଂଚିବା ସହ ଅ।ମେ ବର୍ତ୍ତମାନ ଖବର ପାଇଛୁ। କିଭଳି ଭାବରେ ସେଠାରୁ ମୃତଦେହ ଅଣାଯିବ ଓ ସମସ୍ତ ଛୁଅ।ଙ୍କୁ ଉପଯୁକ୍ତ ଥଇଥାନ କରାଯିବ ସେ ନେଇ ସମସ୍ତ ବ୍ୟବସ୍ଥା କରାଯିବ।

ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ ଅତୀତରେ କହିଥିଲେ ଯେ, ସୁନ୍ଦରଗଡ ଜିଲ୍ଲାରୁ ଜଣେ ହେଲେ କେହି ଦାଦନ ଖଟିବାକୁ ଯାଇନାହାନ୍ତି। କିନ୍ତୁ ବାସ୍ତବ ଚିତ୍ର ଅଲଗା। ସୁରେଶ ଲାରଙ୍ଗଙ୍କ ପରି ସୁନ୍ଦରଗଡ଼ ଜିଲ୍ଲାର ଅନେକ ଦାଦନଙ୍କ ବାହାରେ ମୃତ୍ୟୁ ଘଟୁଛି।

ସମ୍ବନ୍ଧିତ ଖବର