କୋରାପୁଟ କଂଗ୍ରେସରେ ବିସ୍ଫୋରଣ, ଦିଲ୍ଲୀ ଗଲେ ତାରାବାହିନୀଙ୍କ ସମର୍ଥକ

ଜୟପୁର: କେରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗାଶଙ୍କର ସାହୁଙ୍କୁ ନିଯୁକ୍ତି ଦେବା ପ‌ରେ ତାଙ୍କୁ ନେଇ ଉଠିଛି କଂଗ୍ରେସରେ ବିରୋଧ। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମର୍ଥକମାନେ ଏହାକୁ ବିରୋଧ କରି ଆଜି ନୂଆଦିଲ୍ଲୀ ଅଭିମୁଖେ ବାହାରିଛନ୍ତି।  ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି, ପୂର୍ବତନ ସଭାନେତ୍ରୀ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧି ଆଦିଙ୍କୁ ଭେଟି ଜିଲ୍ଲାର କଂଗ୍ରେସ ସଂଗଠନର ସ୍ଥିତିର ଚିତ୍ର ଉପସ୍ଥାପନ କରିବାର ଯୋଜନା ରହିଛି। ଏଥି ପାଇଁ ଜିଲ୍ଲାର କଂଗ୍ରେସ ସମର୍ଥନରେ ଜିତିଥିବା ଜିଲ୍ଲାପରିଷଦ ସଭ୍ୟ, ପୌର ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବ୍ଲକ ସଭାପତି ଓକର୍ମକର୍ତ୍ତାଙ୍କ ସହ ବିଭିନ୍ନ ଛାମୁଆ ସଂଗଠନ ଗୁଡିକର କର୍ମକର୍ତ୍ତାମାନେ ଯାଉଥିବା ସୂଚନା ମିଳିଛି। ଶତାଧିକ କଂ‌ଗ୍ରେସ ନେତୃମଣ୍ଡଳୀ ରାୟଗଡ଼ାରୁ ‌ଟ୍ରେନର ୨ଟି ବଗିକୁ ସଂରକ୍ଷଣ କରି ଯାଉଥିବା ସୂଚନା ହସ୍ତଗତ ହୋଇଛି।

ପ୍ରକାଶଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପର ଠାରୁ କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକା ଓ ଜୟପୁର ବିଧାୟକଙ୍କ ମଧ୍ୟରେ ଲାଗି ରହିଥିବା ଶୀତଳଯୁଦ୍ଧ ଓ ବିବାଦ ଥମିବା ନାଁ ନେଉନି। ଏହାରି ମଧ୍ୟରେ ସଭାନେତ୍ରୀଙ୍କୁ ପିସିସି ସଂପାଦିକା ଓ ବିଧାୟକଙ୍କୁ ବରିଷ୍ଠ ଉପସଭାପତି କରିବା ପର ଠାରୁ ବିବାଦ ଜୋର ଧରିଥିଲା। ଗତ କିଛି ଦିନ ତଳେ ପ୍ରଥମେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମର୍ଥକମାନେ ଭୁବନେଶ୍ବର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟି ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ଭାବେ ମୀନାକ୍ଷୀରାଣୀ ବାହିନୀପତି ରହିବାକୁ ଦାବି ଉପସ୍ଥାପନ କରିଥିଲେ। ଏହା ପରେ ସାଂସଦଙ୍କ ସମର୍ଥକ ମାନଙ୍କର ନେତୃତ୍ବ ନେଇ  ନବନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗାଶଙ୍କର ସାହୁ ମଧ୍ୟ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଭେଟିଥିଲେ। ଉଭୟ ଗୋଷ୍ଠୀ ମୁହାଁ ମୁହିଁ ରହିଥିବା ବେଳେ ଅଚାନକ ଭାବେ ଜିଲ୍ଲା କଂଗ୍ରେସ ସଭାପତି ଭାବେ ଦୁର୍ଗାଶଙ୍କର ସାହୁଙ୍କ ନାଁ ଘୋଷଣା ପରେ କୋରାପୁଟ କଂଗ୍ରେସରେ ଲାଗି ରହିଥିବା ଗୋଷ୍ଠୀ ବିବାଦ ବାହାରକୁ ଆସିଛି।

ଜିଲ୍ଲା କଂଗ୍ରେସ କମିଟି ସଭାପତି ଚୟନକୁ ନେଇ  ଯଦିଓ ସଭାନେତ୍ରୀ ମୀନାକ୍ଷୀରାଣୀ ବାହିନିପତି ‌ସ୍ବର ଉଠାଇ ସାଂସଦଙ୍କ ଯୋଗୁଁ ସଭାପତି ପଦବୀ ପରିବର୍ତ୍ତନ ହୋଇଛି, ସେ ଦଳର ସଂଗଠନକୁ ଭାଙ୍ଗିବା ପାଇଁ ଏଭଳି କରୁଛନ୍ତି ବୋଲି ଗଣମାଧ୍ୟମ ଆଗରେ କହିଥିଲେ। ଅପରପକ୍ଷରେ ଜୟପୁର ବିଧାୟକ ବାହିନୀପତି ଏ ନେଇ କିଛି କହି ନଥିବା ବେଳେ ସେ ଏଆଇସିସିର କର୍ମକର୍ତ୍ତା, ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସଂଗଠନ ସଂପର୍କରେ ଆଲୋଚନା କରିବେ ବୋଲି କହିଛନ୍ତି। ଦଳର ସେ ଶୃଙ୍ଖଳିତ କର୍ମୀ ଭାବେ ଯାହା ନିର୍ଦ୍ଦେଶ ମିଳିବ ସେ କାମ କରିବେ ବୋଲି କହିଛନ୍ତି।  ଏବେ ତାରାଙ୍କ ସମର୍ଥକ ମାନେ ନୂଆଦିଲ୍ଲୀ ଯିବା ନିଶ୍ଚିତ ରୁପେ କୋରାପୁଟ କଂଗ୍ରେସରେ ଆଗାମୀ ଦିନରେ ବଡ଼ ବିସ୍ପୋରଣର ସୂଚନା ବୋଲି ରାଜନୈତିକ ସମୀକ୍ଷକ ମାନେ କହୁଛନ୍ତି। ତେବେ ଏହାକୁ ଏଆଇସିସି କିଭଳି ସମାଧାନ କରି ତାଲିପକାଇବ ତାହା ଦେଖିବାକୁ ବାକି ରହିଲା।

 

ସମ୍ବନ୍ଧିତ ଖବର