ଓଡ଼ିଶାକୁ ଆଗୁଆ ଛୁଇଁପାରେ ମୌସୁମୀ

ମହାମାରୀ ବେଳେ ଭଲ ଖବର
ମେ’୨୭ରୁ ଆରମ୍ଭ ହୋଇଯିବ ପ୍ରାକ୍ ମୌସୁମୀ ବର୍ଷା
ଚାଷୀ ଚାଷ କାମ ଆରମ୍ଭ କରିପାରିବେ: ବିଶେଷଜ୍ଞ

ଭୁବନେଶ୍ବର : ସାରା ଭାରତରେ କୋଭିଡ୍ ମହାମାରୀ ଆତଙ୍କ ଖେଳାଇଥିବା ବେଳେ, ତାହା ଭିତରେ ଗୋଟିଏ ଭଲ ଖବର ଆସିଛି। ଚଳିତବର୍ଷ ମୌସୁମୀ ଠିକ୍ ସମୟରେ ଆସିବ ଓ ସ୍ବାଭାବିକ ବର୍ଷା ହେବ ବୋଲି କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ପାଣିପାଗ ପୂର୍ବାନୁମାନ କରୁଥିବା ସଂସ୍ଥା ଆକଳନ କରିଛନ୍ତି। ଓଡ଼ିଶାକୁ ମଧ୍ୟ ଠିକ୍ ସମୟରେ ବା ଟିକେ ଆଗୁଆ ମୌସୁମୀ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରୁଛନ୍ତି। ଅର୍ଥାତ୍ ଏବର୍ଷ ବି ଠିକ୍ ସମୟରେ ଖରିଫ୍ ଚାଷ ଆରମ୍ଭ ହୋଇପାରିବ। ପାଣିପାଗର ଏଭଳି ପୂର୍ବାନୁମାନ, ଭାରତର ଅର୍ଥନୀତି ପାଇଁ ଅତ୍ୟନ୍ତ ଶୁଭଦାୟକ ବୋଲି କୁହାଯାଉଛି। ଗତବର୍ଷ ମଧ୍ୟ ଭଲ ଫସଲ ହେବା କାରଣରୁ ଭାରତର ଅର୍ଥନୀତିରେ କୃଷିର ଯୋଗଦାନ ବେଶ୍ ଉଲ୍ଲେଖନୀୟ ପରିଲକ୍ଷିତ ହୋଇଥିଲା।

ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମେ’ ୩୦ ତାରିଖ ବା ଜୁନ୍ ପହିଲାରେ କେରଳରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଭାରତର ପାଣିପାଗ ବିଭାଗ ଏ ନେଇ ପୂର୍ବାନୁମାନ କରିନଥିଲେ ହେଁ ଭୂ ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍ ରାଜୀବ ଆଜି ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଭାରତର ପାଣିପାଗ ବିଭାଗ ଗତମାସରେ ପୂର୍ବାନୁମାନ କରିଥିଲା ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ଏଥର ସ୍ବାଭାବିକ ରହିବ। ଘରୋଇ ପାଣିପାଗ ପୂର୍ବାନୁମାନ ଏଜେନ୍ସି ସ୍କାଏମେଟ୍‌ ମଧ୍ୟ ଚଳିତ ବର୍ଷ ସ୍ବାଭାବିକ ମୌସୁମୀ କଥା ସୂଚନା ଦେଇଥିଲା।

ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର, ବିଭିନ୍ନ ପାଣିପାଗ ସଂସ୍ଥା ଓ ବିଭିନ୍ନ ମଡେଲ୍‌ ଆଦିକୁ ବିଶ୍ଳେଷଣ କରି ଏପଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳଳ କହିଛନ୍ତି ଯେ ମୌସୁମୀ ବର୍ଷା ଠିକ୍ ସମୟରେ ଆସିବ ଓ ଠିକ୍ ପରିମାଣର ବର୍ଷିବ। ଜୁନ୍ ପହିଲା ବା ଏହାର ତିନିଦିନ ଆଗରୁ କେରଳ ଛୁଇଁବାର ସମ୍ଭାବନା ଅଧିକ। ସେହିଭଳି ଓଡ଼ିଶାରେ ମଧ୍ୟ ଜୁନ୍ ୧୨ ସୁଦ୍ଧା ବା ଏହାର ସାମାନ୍ୟ ପୂର୍ବରୁ ମୌସୁମୀ ଆଗମନଜନିତ ବର୍ଷା ଆରମ୍ଭ ହୋଇଯିବ। ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କହୁଛି ଯେ ମେ’୨୭ ତାରିଖରୁ ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହେବ। ଏହାକୁ ପ୍ରାକ୍ ମୌସୁମୀ ବର୍ଷା ବୋଲି କୁହାଯିବ। ଏହି ବର୍ଷା ଚାଷ କାର୍ଯ୍ୟ ଆରମ୍ଭ ପାଇଁ ବେଶ୍ ଅନୁକୂଳ ହେବ।

ଡ.ପଶୁପାଳକ କହିଛନ୍ତି, ମୌସୁମୀ ପାଇଁ ସ୍ଥିତି ପୂରା ଅନୁକୂଳ ରହିଛି। ଲାନିଲା ଦୁର୍ବଳ ରହିବ ଏବଂ ଇଏନ୍‌ଏସ୍ଓ ନ୍ୟୁଟ୍ରାଲ୍ ଅବସ୍ଥାରେ। ଜୁନ୍ ଠାରୁ ସେପ୍‌ଟେମ୍ବର ଏଭଳି ଚିତ୍ରରେ ବିଶେଷ ପରିବର୍ତ୍ତନ ନାହିଁ। ସେହିଭଳି ଇଣ୍ଡିଆନ୍ ଓସେନ୍ ଡାଇପଲ୍ (ଆଇଓଡ଼ି) ଏବଂ ଏମ୍‌ଜେଓ ମଧ୍ୟ ସକାରାତ୍ମକ ରହିଛି। ଏହା ମୌସୁମୀକୁ ସକ୍ରିୟ ରଖି ଆଗକୁ ନେବାରେ ସହଯୋଗ ଦେବ। ସେହିଭଳି ଆଜି ସୁଦ୍ଧା ଦକ୍ଷିଣ ଗୋଲାର୍ଦ୍ଧରୁ ମୌସୁମୀ ବାୟୁ ବିଷୁବରେଖା ଅତିକ୍ରମ କରି ଭାରତ ମହାସାଗରକୁ ପ୍ରବେଶ କରିଛି।ଉଭୟ ବଙ୍ଗୋପସାଗର ଏବଂ ଆରବ ସାଗରରେ ଏହାର ଉପସ୍ଥିତି ପରିଲକ୍ଷିତ ହେଲାଣି। ଏହି ସପ୍ତାହରୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ମୌସୁମୀକୁ ଟାଣିବାରେ ଏକ ଭଲ ଭୂମିକା ଗ୍ରହଣ କରିବ।

ଗତବର୍ଷ ଭଲ ବର୍ଷା କାରଣରୁ ରାଜ୍ୟରେ ବମ୍ଫର କ୍ରପ୍ ବା ବହୁତ ଭଲ ଚାଷ ହୋଇଥିଲା ଏବଂ ଉଭୟ ଖରିଫ୍ ଓ ରବି ଧାନ କିଣାରେ ଏହା ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର