ସାମାନ୍ୟ ବିଳମ୍ବରେ ଆସିବ ମୌସୁମୀ, ଏଥର ଓଡ଼ିଶାରେ ସ୍ବାଭାବିକ ରହିବ

ଆଇଏମ୍‌ଡି କଲା ପ୍ରଥମ ପୂର୍ବାନୁମାନ
ଆନ୍ତର୍ଜାତିକ ଗବେଷଣା ପ୍ରତିଷ୍ଠାନ ଦେଉଛି ଭିନ୍ନ ଚିତ୍ର
ରିପୋର୍ଟକୁ ଗ୍ରହଣ କଲେ ବର୍ଷା ଆକଳନ କମିବ
ଜୁଲାଇ, ଅଗଷ୍ଟରେ ଆଭ୍ୟନ୍ତରୀଣ ଓଡ଼ିଶାରେ କମ୍ ବର୍ଷା

ଭୁବନେଶ୍ବର : ଚଳିତବର୍ଷ ସ୍ବାଭାବିକ ରହିବ ମୌସୁମୀ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ମୃତ୍ୟଞ୍ଜୟ ମହାପାତ୍ର ଆଜି ମୌସୁମୀ ସଂପର୍କିତ ପ୍ରଥମ ପୂର୍ବାନୁମାନ କରି କହିଛନ୍ତି ଯେ ଏବର୍ଷ ବର୍ଷାର ପରିମାଣ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ରହିପାରେ। ତେବେ ଚଳିତବର୍ଷ ଓଡ଼ିଶାକୁ ବିଳମ୍ବରେ ମୌସୁମୀ ଛୁଇଁବା ସମ୍ଭାବନା ଅଧିକ। ଯଦିଓ ନିର୍ଧାରିତ ସମୟରେ ଅର୍ଥାତ୍ ଜୁନ୍ ପହିଲାରେ ମୌସୁମୀ କେରଳ ଛୁଇଁବ, ତଥାପି ଓଡ଼ିଶା ଛୁଇଁବା ବେଳକୁ ଜୁନ୍ ୧୩ ତାରିଖ ହୋଇଯାଇଥିବ। ସାଧାରଣତଃ ଜୁନ୍ ୧୦ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶାରେ ପହଞ୍ଚିବା କଥା। ହେଲେ ଗତ କିଛି ବର୍ଷ ଧରି ମୌସୁମୀ ବିଳମ୍ବରେ ଓଡ଼ିଶାରେ ପହଞ୍ଚୁଛିବା ଲକ୍ଷ୍ୟ କରାଯାଉଛି।

ଏଭଳି ପରିସ୍ଥିତିରେ ଶ୍ରୀ ମହାପାତ୍ରଙ୍କର ଚଳିତବର୍ଷ ପାଇଁ ଆକଳନ ଓଡ଼ିଶାର ସବୁ ଚାଷୀଙ୍କୁ ଆଶ୍ବସ୍ତ କରିଛି। କରୋନା ମାଡ଼ରେ ଚାଷୀ ଆକ୍ତାମାକ୍ତ ହୋଇଯାଇଥିବା ବେଳେ ଆସନ୍ତାବର୍ଷ ଅନ୍ତତଃ ବର୍ଷା ସମସ୍ୟା ରହିବନି, ଏଭଳି ଆଶା ସଞ୍ଚାର ହୋଇଛି ଚାଷୀ ମନରେ।

ପୂର୍ବରୁ ମାର୍ଚ୍ଚ ୨୧ ତାରିଖ ଦିନ ‘ସମ୍ବାଦ’ରେ ପୂର୍ବାନୁମାନ ପ୍ରକାଶ ପାଇଥିଲା ଯେ ଚଳିତବର୍ଷ ମୌସୁମୀ ସ୍ବାଭାବିକ ରହିବ ଓ ଓଡ଼ିଶାକୁ ବିଳମ୍ବରେ ଆସିବ। ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୁମାନ ଭିତ୍ତିରେ ଏହି ଖବର ପ୍ରକାଶ ପାଇଥିଲା।

ଆଜି ଆଇଏମ୍‌ଡି ପୂର୍ବାନୁମାନ ପରେ ଡ. ପଶୁପାଳକ କହିଛନ୍ତି ଯେ ଚଳିତବର୍ଷ ଏଲ୍‌ନିନୋ ପ୍ରଭାବ ସେପ୍ଟେମ୍ବର ବେଳକୁ ୨୦%କୁ ଖସିଯାଇପାରେ। ମାର୍ଚ୍ଚ ମାସ ବେଳକୁ ଏହା ୩୯% ଥିଲା। ସେହିପରି ଲାନିଲା ୨%ରୁ ବଢି ୩୫%କୁ ଛୁଇଁପାରେ। ଏହାପ୍ରଭାବରେ ଓଡ଼ିଶାରେ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ଜୁନରେ ମାତ୍ରାଧିକ ବର୍ଷା ନ ହେଲେ ବି ତଳି ରୋଇବା ଭଳି ଧାନ ଚାଷର ପ୍ରାଥମିକ କାର୍ଯ୍ୟ ଲାଗି ଯଥେଷ୍ଟ ପରିମାଣର ବର୍ଷା ହେବ।

ତେବେ ଆଜି ସନ୍ଧ୍ୟାରେ କଲମ୍ବିଆ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ଆନ୍ତର୍ଜାତିକ ଗବେଷଣା କେନ୍ଦ୍ରର ପୂର୍ବାନୁମାନ ପାଣିପାଗ କ୍ଷେତ୍ରରେ ଏକ ବଡ଼ ସଂଶୟ ସୃଷ୍ଟି କଲାଣି। ଏହି ସଂସ୍ଥା ସାରା ବିଶ୍ବର ପାଣିପାଗ ସ୍ଥିତି ସଂପର୍କରେ ବିଶଦ ଅନୁଧ୍ୟାନ କରିଥାଏ। ଏହି ରିପୋର୍ଟକୁ ଆଧାର କରି ଡ.ପଶୁପାଳକ କହିଛନ୍ତି ଯେ ଆଇଏମଡ଼ି ଯେଉଁ ପୂର୍ବାନୁମାନ କରିଥିଲା ବା ପୂର୍ବରୁ ଯେତେସବୁ ଆକଳନ ହୋଇଛି, ସେଥିରେ ଇଣ୍ଡିଆନ୍ ଓସେନ୍ ଡାଇପଲ୍‌ ସିଷ୍ଟମ ସକାରାତ୍ମକ ଥିବା ଦର୍ଶାଯାଇଥିଲା। ହେଲେ ସନ୍ଧ୍ୟାର ରିପୋର୍ଟ କିନ୍ତୁ କହୁଛି ଯେ ଏହା ନେଗେଟିଭ୍ ରହିବ। ଅର୍ଥାତ୍ ଏହାର ଏକ ବଡ଼ ପ୍ରଭାବ ଭାରତର ପାଣିପାଗ ଉପରେ ପଡ଼ିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଓଡ଼ିଶା କ୍ଷେତ୍ରରେ ଏହାର ପ୍ରଭାବ ଆକଳନ କରି ଡ. ପଶୁପାଳକ କହିଛନ୍ତି ଯେ ଯଦି ଏମିତି ହୁଏ, ତେବେ ଜୁଲାଇ ଓ ଅଗଷ୍ଟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ କମିବା ସମ୍ଭାବନା ରହିଛି। ଆଗକୁ ଆଇଏମଡି ଦ୍ବିତୀୟ ପର୍ଯ୍ୟାୟ ଆକଳନ କରିବା ବେଳେ ଏ ସଂକ୍ରାନ୍ତରେ ବିଶଦ ଚିତ୍ର ସାମ୍ନାକୁ ଆସିବ ବୋଲି ଡ. ପଶୁପାଳକ କହିଛନ୍ତି।

ସେପଟେ କରୋନା ମାଡ଼ରେ ଆକ୍ତାମାକ୍ତା ଓଡ଼ିଶା ପାଇଁ ଏଥର ବର୍ଷା ଋତୁ ଅନେକ ଆହ୍ବାନ ରଖୁଥିବା କୁହାଯାଉଛି। ପୂର୍ବରୁ ଯାହା ଉତ୍ପାଦନ ହେଉଥିଲା, ତାହାକୁ ଦୃଷ୍ଟିରେ ରଖି ବଜାରରେ ବିକ୍ରିବଟାର ବ୍ୟବସ୍ଥା ହେଉଥିଲା। କିନ୍ତୁ କରୋନା ପରର ଚିତ୍ର ଭିନ୍ନ ସଙ୍କେତ ଦେଉଛି। ଡ. ପଶୁପାଳକଙ୍କର କହିବା କଥା ହେଉଛି, ଭାରତ ସରକାରଙ୍କ ରପ୍ତାନୀ ନୀତି କାରଣରୁ ଆଗକୁ ଚାଉଳର ଗୁରୁତ୍ବ ବଢିବ। ଏଭଳି ପରିସ୍ଥିତିରେ ଓଡ଼ିଶା ଏକ ବଡ଼ ଭୂମିକା ନେଇପାେର। ଏବେ ଯେହେତୁ ପାଣିପାଗ ପୂର୍ବାନୁମାନ ହୋଇସାରିଲେଣି, ସରକାର ହଜାର ଚଉଦ କିସମର ଧାନ ବିହନ ଚାଷୀଙ୍କୁ ଅଧିକ ଯୋଗାଇବାର ଆବଶ୍ୟକତା ରହିଛି। ଏମିତି ହେଲେ ଚାଷୀ ବିଶେଷ ଲାଭବାନ ହେବ। ସେହିଭଳି ବଜାର, ଜୈବିକ ଚାଷ, ପୁଷ୍ଟିସାର ଯୁକ୍ତ ଶସ୍ୟ ଆଦି ପ୍ରତି ଲୋକଙ୍କ ଆଦର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ସରକାର ଚାଷୀଙ୍କୁ ଏ ଦିଗକୁ ଟାଣିବାକୁ ହେବ। ଏଭଳିସ୍ଥଳେ ପଞ୍ଚାୟତକୁ ୟୁନିଟ୍ କରି ସରକାର ଚାଷୀକୁ କେବେ ଓ କେଉଁଠାରେ ଏବଂ କିଏ ବିହନ, ଔଷଧ, ସାର ଆଦି ଯୋଗାଇ ଦେବେ ସେ ସଂପର୍କରେ ଆବଶ୍ୟକ ତଥ୍ୟ ପ୍ରଦାନ କରିପାରିଲେ ଚାଷରେ ବ୍ୟାପକ ପରିବର୍ତନ ହେବ ଓ ଚାଷୀ ଏହି ପାଗରୁ ଜବରଦସ୍ତ ଲାଭ ଉଠାଇପାରିବ ବୋଲି ଡ. ପଶୁପାଳକ କହିଛନ୍ତି।

ସମ୍ବନ୍ଧିତ ଖବର