୪ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ, ଫାଇନାନ୍ସ କମ୍ପାନିର ପ୍ରାକ୍ତନ ବ୍ରାଞ୍ଚ ମ୍ୟାନେଜରଙ୍କ ସମେତ ୪ଜଣଙ୍କ ନାଁରେ ମାମଲା

ବୈଶିଙ୍ଗା: ୪ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରି ଫେରାର୍‌ ହୋଇ ଯାଇଛନ୍ତି ‘ସ୍ପନ୍ଦନ’ ନାମକ ଘରୋଇ ଫାଇନାନ୍ସ କମ୍ପାନିର ପୂର୍ବତନ ମ୍ୟାନେଜରଙ୍କ ସମେତ ୪ଜଣ କର୍ମଚାରୀ। ଏ ନେଇ ବର୍ତ୍ତମ‌ାନର ମ୍ୟାନେଜର ବିଶ୍ବନାଥ କର ବୈଶିଙ୍ଗା ଥାନାରେ ଅଭିଯୋଗ କରିଛନ୍ତି।

ତାଙ୍କ ଅଭିଯୋଗ ଅନୁଯାୟୀ ‘ସ୍ପନ୍ଦନ’ ସଂସ୍ଥା ଗତ ୭ ବର୍ଷ ହେଲା ବୈଶିଙ୍ଗା ବଜାରରେ ଏକ ଶାଖା ଖୋଲି ଗ୍ରାମାଞ୍ଚଳର ଏସଏଚଜି ଗ୍ରୁପମାନଙ୍କୁ ଋଣ ପ୍ରଦାନ କରୁଥିଲା ଓ ଗ୍ରୁପର ମହିଳାମାନେ ମାସକୁ ମାସ କିସ୍ତିରେ ଋଣ ପରିଶୋଧ କରୁଥିଲେ। ତେବେ ନିକଟରେ ନୂଆ ମ୍ୟାନେଜର ଭାବେ ଦାୟିତ୍ବ ନେବାପରେ ଶ୍ରୀ କର ପୂର୍ବ ମ୍ୟାନେଜରଙ୍କ ସମୟର ଟଙ୍କା ହେରଫେର୍‌ ସମ୍ପର୍କରେ ଜାଣିବାକୁ ପାଇଥିଲେ। ପୂର୍ବରୁ ଶାଖା ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଶାନ୍ତନୁ କୁମାର କର ଓ ତାଙ୍କ ଅଧୀନରେ କାମ କରୁଥିବା ବାଦଲ ସାହୁ, ଦୀପକ ମହାନ୍ତି, ହର୍ଦ୍ଧନା ବେହେରା ଓ ରଞ୍ଜନ ମହାରଣା ପ୍ରମୁଖ ମହିଳାମାନଙ୍କ ନିକଟରୁ କିସ୍ତି ଟଙ୍କା ଆଦାୟ କରି ସଂସ୍ଥାର ଖାତାରେ ଜମା କରିନାହାନ୍ତି। ସେହିପରି କିଛି ମହିଳାଙ୍କ ଋଣ ମଞ୍ଜୁରି ହୋଇଥିଲେ ବି ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିନଥିବା ବେଳେ ଉକ୍ତ ଟଙ୍କାକୁ ଶାନ୍ତନୁ ଓ ଉକ୍ତ ୪ କର୍ମଚାରୀ ହଡପ୍‌ କରିଛନ୍ତି। ଏହିପରି ମୋଟ୍‌ ୪ ଲକ୍ଷ ୭୮ ହଜାର ଟଙ୍କା ହେରଫେର ହୋଇଥିବା ବିଶ୍ୱନାଥ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ମୁଖ୍ୟ ଅଭିଯୁକ୍ତ ଶାନ୍ତନୁଙ୍କ ସହିତ ଅନ୍ୟମାନେ ଫେରାର ଥିବାବେଳେ ପୁଲିସ କେସ୍‌ ନଂ ୫୮/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର