ଘରୁ ଗାଡ଼ି କାଢ଼ିବାକୁ ଡର : ଏକସଙ୍ଗେ ୨୦ ପ୍ରକାରର ଜରିମାନା, ନୂଆ ନିୟମରେ ୩୮ପ୍ରକାର

୫୦୦ରୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଲାଗୁଛି, ଅଧିକ ଜରିମାନା ଆଦାୟ ନିୟମ ନେଇ ତର୍ଜମା କରିବୁ: ପରିବହନ ମନ୍ତ୍ରୀ

ଭୁବନେଶ୍ବର : ସେପ୍ଟେମ୍ବର ୧ରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସାରା ରାଜ୍ୟରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଇଛି। ଲୋ‌େକ ଘରୁ କାଢ଼ିବା ପୂର୍ବରୁ ଦଶ ଥର ଭାବୁଛନ୍ତି। ଗାଡ଼ି ନେଲେ ରାସ୍ତାରେ ଯଦି ଚେକିଂ ସମୟରେ ହାବୁଡ଼ରେ ପଡ଼ିଯିବେ ତେବେ କ’ଣ ହେବ, ଗାଡ଼ିର ଆର୍‌ସି ବହି ଅଛି ନା ନାହିଁ, ପାଖରେ ଲାଇସେନ୍ସ ଅଛି ନା ନାହିଁ, ପଲ୍ୟୁସନ୍ ସାର୍ଟିଫିକେଟ୍ ଅଛି ନା ନାହିଁ ସବୁ ଦେଖିକି ଏବେ ଗାଡ଼ି ବାହାରକୁ କାଢ଼ୁଛନ୍ତି। ନହେଲେ ପୁଲିସ କେତେ ଯେ ଜରିମାନା ଆଦାୟ କରିବ ତାହା ଭାବି ଭାବି ଲୋକଙ୍କ ମୁଣ୍ଡ ବୁଲାଇ ଯାଉଛି।

ନୂଆ ଆଇନ ଲାଗୁ ହେବା ପରେ ୫ଦିନ ଭିତରେ ସାରା ରାଜ୍ୟରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀ, ବେପରୁଆ ଗାଡ଼ି ଚାଳକ, ନିୟମ ଖିଲାପକାରୀଙ୍କ ଉପରେ ଚଢ଼ଉ ଏମିତି ଜୋରଦାର୍ ହେଉଛି ଯେ ସବୁଠି ଏବେ ଏଇ ଗୋଟିଏ ଚର୍ଚ୍ଚା। ଲୋ‌େକ ଘରୁ କାଢ଼ିଲେ କେମିତି ଜରିମାନା ନଦେଇ ଘରକୁ ଫେରିବେ ସେଇ ଚିନ୍ତା ସମସ୍ତଙ୍କୁ ଘାରିଛି। ଆଗରୁ ରାଜ୍ୟର କିଛି ସହରାଞ୍ଚଳରେ ହେଲମେଟ୍‌ ଚେକିଂ ଓ କାର୍‌ ଚାଳକଙ୍କ ପାଇଁ ସିଟ୍‌ ବେଲ୍‌ଟ ଚେକିଂ କଡ଼ାକଡ଼ି ଥିବାବେଳେ ଏବେ ରାସ୍ତାକୁ ବାହାରୁଥିବା ଗାଡ଼ି ଉପରେ ୨୦ପ୍ରକାରର ଜରିମାନା ଆଦାୟ ହେବାଭଳି ନିୟମ ହୋଇଥିବାରୁ ଗାଡ଼ି ଚାଳକ ଏବେ କ’ଣ କରିବେ ଭାବୁଛନ୍ତି।

ନୂଆ ନିୟମରେ ଟ୍ରାଫିକ ନିୟମ ଭାଙ୍ଗିଲେ ବିଭିନ୍ନ ପ୍ରକାରର ଗାଡ଼ି ଉପରେ ୩୮ପ୍ରକାରର ଜରିମାନା ଆଦାୟ ହେବାର ବ୍ୟବସ୍ଥା ହୋଇଛି। ପୂର୍ବରୁ ଯେଉଁ ଜରିମାନା ୧୦୦ଟଙ୍କା ଥିଲା ନୂଆ ନିୟମରେ ତାହା ୫୦୦ଟଙ୍କାରୁ ଆରମ୍ଭ ହୋଇଛି। ୫୦୦ରୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦା‌ୟ ହେଉଥିବାରୁ କେତେକ ଲୋକଙ୍କଙ୍କର ଜରିମାନା ୫୦ହଜାର ପାଖାପାଖି ଛୁଇଁ ଯାଉଛି। ବୁଧବାର ଭୁବନେଶ୍ବରରେ ଜଣେ ଅଟୋ ଚାଳକଙ୍କ ଠାରୁ ୪୭ ହଜାର ୫୦୦ଟଙ୍କା ଜରିମାନା ଆଦାୟ ହେବା ପରେ ଏବେ ଲୋକ ଗାଡ଼ି ଚଲାଇବାକୁ ଡରୁଛନ୍ତି। ଯଦି ଅନ୍ୟମନସ୍କବଶତଃ ଗୋଟିଏ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି ତେବେ ସେହି ଉଲ୍ଲଂଘନକୁ ଜରିମାନା ଆଦାୟ କରିବାକୁ ଯାଇ ଟ୍ରାଫିକ ପୁଲିସ ଆଉ ୫ଟା ଡକୁମେଣ୍ଟ ମାଗୁଛି। ଯଦି ଆବଶ୍ୟକ ଡକୁମେଣ୍ଟ ନ‌େଦଖାଇ ପାରୁଛନ୍ତି ତା’ପରେ ଜରିମାନାର ପାହାଡ଼ ଲଦି ଦିଆଯାଉଛି। ଏମିତିକି ଗୋଟିଏ ଗୋଟିଏ ଗାଡ଼ି ଉପରେ ୨୦ହଜାରରୁ ଅଧିକ ଜରିମାନା ଲାଗୁଛି।

ଏପଟେ ଟ୍ରାଫିକ ନିୟମ କଡ଼ାକଡ଼ି ହେବାରୁ ଲୋକମାନେ ଏବେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ଆରମ୍ଭ କରିଦେଲେଣି। ସବୁ ଆରଟିଓ ଅଫିସ ଆଗରେ ଶହଶହ ଗାଡ଼ି ଲମ୍ବା ଧାଡ଼ି ଲାଗୁଛି। କେବଳ ଡ୍ରାଇଭିଂ ଲାଇସେନ୍ସ ନୁହେଁ ଇନସ୍ୟୁରାନ୍ସ କମ୍ପାନି, ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଆଗରେ ବି ଧାଡ଼ି। କେହି ଆଉ ଜରିମାନା ଦେବା ମୁଡ୍‌ରେ ନାହାନ୍ତି। ‌େତଣୁ ସତର୍କତା ସ୍ବରୂପ ସମସ୍ତେ ଡକୁମେଣ୍ଟ ଯୋଗାଡ଼ରେ ଲାଗିପଡ଼ିଛନ୍ତି।

କେବଳ ଏତିକି ନୁହେଁ ଆଗରୁ ସ୍କୁଲ, କଲେଜ ପିଲା ଗାଡ଼ି ଧରି ବୁଲୁଥିବା ଦେଖିବାକୁ ମିଳୁଥିବା ବେଳେ ଏବେ ଅଭିଭାବକମାନେ ପିଲାଙ୍କୁ ଗାଡ଼ି ଦେବାକୁ ଡରୁଛନ୍ତି। କାରଣ ୧୮ବର୍ଷରୁ କମ୍‌ ପିଲା ଗାଡ଼ି ଚଳାଉଥିବା ଧରାପଡ଼ିଲେ ଅଭିଭାବକଙ୍କ ଉପରେ ୨୫ହଜାର ଟଙ୍କା ଜରିମାନା ଲଗାଇବାକୁ ନିୟମ ହୋଇଛି। ଏହି ୨୫ହଜାର ଉପରେ ଅନ୍ୟ ଜରିମାନା ଲାଗିଲେ ଜରିମାନା ୫୦ହଜାର ଟପିଯିବାର ସମ୍ଭାବନା ଥିବାରୁ ଏବେ ନାବାଳକ ଗାଡ଼ି ଚାଳକ ସଂଖ୍ୟା କମିବାରେ ଲାଗିଛି।

ଅନ୍ୟପକ୍ଷରେ ଏବେ ଚେକିଂ ଜୋରଦାର୍ ହେଉଥିବାବେଳେ ଲୋକଙ୍କର ସବୁ ଡକୁମେଣ୍ଟ ଥାଇ ବି (ପାଖରେ ନଥିବାରୁ) ଜରିମାନା ଗଣିବାକୁ ପଡ଼ୁଛି। ଏହାକୁ ନଜରରେ ରଖି ଭୁବନେଶ୍ବର ଆରଟିଓ ପକ୍ଷରୁ କୁହାଯାଇଛି ଯେ, ଯେଉଁମାନଙ୍କର ସବୁ ଡକୁମେଣ୍ଟ ପାଖରେ ନାହିଁ ଘରେ ଅଛି ସେମାନେ ୭ଦିନ ଭିତରେ ଡକୁମେଣ୍ଟ ଦେଖାଇ ତାଙ୍କ ଜରିମାନା ଅର୍ଥ ଫେରିପାଇବେ।

ଏପଟେ ବହୁ ଲୋକଙ୍କ ଉପରେ ହଜାର ହଜାର ଟଙ୍କା ଜରିମାନା ଆଦାୟ ହେବା ପରେ ଏନେଇ ଲୋକଙ୍କ ମଧ୍ୟରେ ଅ‌ସନ୍ତୋଷ ଦାନା ବାନ୍ଧିଲାଣି। ଏହାକୁ ନଜରରେ ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଏବେ ସାରା ଦେଶରେ ନୂଆ ନିୟମ ଅନୁଯାୟୀ ଜରିମାନା ଆଦାୟ ହେଉଛି। ଏହଦ୍ବାରା ବହୁ ଲୋକ ହଇରାଣ ହେଉଥିବା ଆମ ନଜରକୁ ଆସିଛି। ତେଣୁ ଅଧିକ ଜରିମାନା ଆଦାୟ ନିୟମ ନେଇ ଆମେ ତର୍ଜମା କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର