ଡ୍ରେନ୍‌ରେ ପଡ଼ି ୯ ବର୍ଷୀୟ ବାଳକର ମୃତ୍ୟୁ ଘଟଣା: କଟକ ଜିଲ୍ଲାପାଳ ଓ ସିଏମ୍‌ସି କମିସନରଙ୍କୁ ଏନ୍‌ଏଚ୍‌ଆରସିଙ୍କ ନୋଟିସ୍

ଭୁବନେଶ୍ୱର: କଟକର ବିଡ଼ାନାସୀରେ ଏକ ଖୋଲା ଡ୍ରେନ୍‌ ଭିତ‌ରେ ଖସି ପଡ଼ି ୯ ବର୍ଷ ବୟସର ବାଳକ ଯୋସେଫ୍‌ ସାହାଣୀର ମୃତ୍ୟୁ ଘଟଣାକୁ ଜାତୀୟ ମାନବିକ ଅଧିକାର କମିସନ୍‌ (ଏନ୍‌ଏଚ୍‌ଆରସି) ଗୁରୁତ୍ବର ସହ ନେଇଛନ୍ତି। ପୁରୀ ଜିଲ୍ଲା ପିପିଲି ବ୍ଲକର ରାଇନସୋଲ ଅଧିନ କମଳାସାଗର ପାଟଣା ଗାଁର ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ଅଭିଯୋଗ କ୍ରମେ ଏନ୍‌ଏଚ୍‌ଆରସି କଟକ ଜିଲ୍ଲାପାଳ ଓ ସିଏମସି କମିସନରଙ୍କୁ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ୪ ସପ୍ତାହ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ଏନ୍‌ଏଚ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି।

କଟକ ମହାନଗର ନିଗମ (ସିଏମ୍‌ସି)ର ଅବହେଳା କାରଣରୁ ନିର୍ମାଣାଧୀନ ଡ୍ରେନ୍‌ଗୁଡ଼ିକ ଦୁଇରୁ ତିନି ମାସ ହେବ ଖୋଲା ରହୁଛି। ଏକ ଖୋଲା ଡ୍ରେନ୍‌ରେ ୯ବର୍ଷ ବୟସର ବାଳକ ଖସିପଡ଼ିବାରୁ ମୃତ୍ୟୁ ହୋଇଥିଲା ବୋଲି ଶ୍ରୀ ଅଖଣ୍ଡ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ, କଟକ ବିଡ଼ାନାସୀରେ ଖୋଲା ଡ୍ରେନ୍‌ରେ ପଡ଼ିବା କାରଣରୁ ୯ ବର୍ଷ ବୟସର ବାଳକ ଯୋସେଫ୍‌ ସାହାଣୀର ଗତ ୧୫ ତାରିଖରେ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର