ଶିଳ୍ପଶୂନ୍ୟ କନ୍ଧମାଳରେ ଯୁବପିଢ଼ି ଦାଦନ ମୁହାଁ: ଇଡ୍‌କୋ ଶିଳ୍ପାଞ୍ଚଳରେ ଶିଳ୍ପ ବଦଳରେ ଘରଭଡ଼ାରେ ଚାଲିଛି

ଫୁଲବାଣୀ: କନ୍ଧମାଳ ଏକ ଶିଳ୍ପଶୂନ୍ୟ ଜିଲ୍ଲା। ଜିଲ୍ଲାର ଯୁବବର୍ଗ ଚାକିରି ପାଇଁ ସଂଘର୍ଷ କରୁଛନ୍ତି। ଜିଲ୍ଲାରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ରୋଜଗାର ପାଇଁ ସେଭଳି କିଛି ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଜିଲ୍ଲାର ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଯୁବକମାନେ ଦାଦନମୁହାଁ ହେଉଛନ୍ତି। ଜିଲ୍ଲାରୁ କେତେ ସଂଖ୍ୟାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଆନ୍ତି, ତା’ର ପ୍ରକୃତ ଚିତ୍ର ଗତ ୨୦୨୦ ମସିହା କରୋନା ଲକ୍‌ଡାଉନ, ସଟ୍‌ଡାଉନ ସମୟରେ ଜଣା ପଡ଼ିଥିଲା। ୨ ଲକ୍ଷ ୫୦ ହଜାର ଦାଦନ ଶ୍ରମିକ କରୋନା ଲକ୍‌ଡାଉନ ସମୟରେ କନ୍ଧମାଳ ଜିଲ୍ଲାକୁ ଫେରିଥିଲେ ବୋଲି ଜିଲ୍ଲାର ସମସ୍ତ ବ୍ଲକ୍‌ରୁ ଆସିଥିବା ଆକଳନରୁ ଜଣା ପଡ଼ିଥିଲା।

ତେବେ ପ୍ରକୃତରେ କନ୍ଧମାଳ ଜିଲ୍ଲାରୁ କେତେ ଜଣ ଦାଦନ ଖଟିବାକୁ ଯାଇଛନ୍ତି ଓ କେଉଁ ରାଜ୍ୟରେ କେତେ ଦାଦନ ଖଟୁଛନ୍ତି ସେ ସମ୍ପର୍କରେ ଶ୍ରମ ବିଭାଗ ନିକଟରେ ଆଜିର ଦିନରେ ବି କିଛି ବି ତଥ୍ୟ ନାହିଁ। ଜିଲ୍ଲାରେ ଜଣେ ବି ଲାଇସେନ୍‌ସପ୍ରାପ୍ତ ଶ୍ରମିକ ଠିକାଦାର ନାହାନ୍ତି। ଫଳରେ ଜିଲ୍ଲାର ବହୁ ଯୁବକ, ଯୁବତୀ ଦାଦନ ଖଟିବାକୁ ଦଲାଲଙ୍କ ଜରିଆରେ ବାହାର ରାଜ୍ୟକୁ ଯାଉଛନ୍ତି। କିଏ ଫେରୁଛନ୍ତି ତ ବେଳେବେଳେ କେଉଁ ଦାଦନ ଶ୍ରମିକଙ୍କ ଶବ ଫେରୁଛି। ବାହାର ରାଜ୍ୟରେ ସେମାନେ ଅକଥନୀୟ ଅତ୍ୟାଚାର ମଧ୍ୟ ସହୁଛନ୍ତି। ଅନ୍ୟପଟେ ଜିଲ୍ଲାରେ ଗୋଟିଏ ହେଲେ ଶିଳ୍ପ କିମ୍ବା ଖଣି ନଥିବାରୁ ଯୁବବର୍ଗ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି। ସେଭଳି ଯୁବ ଶିଳ୍ପ‌ୋଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଅନେକ ଯୋଜନା କଥା ସରକାର କହୁଥିବା ବେଳେ କନ୍ଧମାଳ ଜିଲ୍ଲାର ଯୁବପିଢ଼ିଙ୍କ ପାଇଁ ସେ ସବୁ ସ୍ବପ୍ନ। ଯଦିଓ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରର ଶ୍ରୀରାମ ମନ୍ଦିର ଶିଳ୍ପାଞ୍ଚଳରେ କେତେକ କ୍ଷୁଦ୍ର ଉଦ୍ୟୋଗର ତାଲିକା କାଗଜପତ୍ରରେ ରହିଛି, ମାତ୍ର ସେସବୁ ଉଦ୍ୟୋଗ କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ଏଣୁ ‌ଏହିସବୁ ଉଦ୍ୟୋଗ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେବା ଆଶା ମଧ୍ୟ କ୍ଷୀଣ।

ଫୁଲବାଣୀ ସହରରେ ଥିବା ଉଦ୍ୟୋଗଗୁଡ଼ିକ ବନ୍ଦ ହୋଇଯିବା ପଛରେ ଇଡ୍‌କୋର ଉଦାସୀନତା ହିଁ ଦାୟୀ। ୧୯୮୧ ମସିହାରୁ ଇଡ୍‌କୋ ଆବଣ୍ଟନ କରିଥିବା ଜାଗାର ପଟ୍ଟା ଆଜି ପର୍ଯ୍ୟନ୍ତ ଯୁବ ଉଦ୍ୟୋଗୀଙ୍କୁ ମିଳିନାହିଁ। ଫଳରେ ସେମାନଙ୍କୁ କୌଣସି ବ୍ୟାଙ୍କ ଋଣ ଦେଉନାହାନ୍ତି କି ଉଦ୍ୟୋଗ ପ୍ରତିଷ୍ଠା ହୋଇପାରୁ ନାହିଁ। ଫଳରେ ଉଦ୍ୟୋଗର ବିକାଶ ନିମନ୍ତେ ଉଦ୍ୟୋଗୀଙ୍କୁ ଦିଆ ଯାଇଥିବା ଜମିରେ ଏବେ ଶିଳ୍ପର ବିକାଶ କ’ଣ ହେବ, ତା’ ବଦଳରେ କୋଠାଘର ନିର୍ମାଣ କରାଯାଇ ସାଧାରଣ ଲୋକଙ୍କୁ ଭଡ଼ାଘର ବାବଦରେ ବ୍ୟବହାର କରାଯାଉଛି। ଯେଉଁ କେତେକ ଉଦ୍ୟୋଗ ବହୁ କଷ୍ଟରେ ଚାଲିଥିଲା, ତାହା ଏବେ ସମ୍ପୂର୍ଣ୍ଣ ବନ୍ଦ।

ସୂଚନାଯୋଗ୍ୟ, ୧୯୮୧ ମସିହାରେ ଇଡ୍‌କୋ ଫୁଲବାଣୀ ସହରରେ ୧୦ ଏକର ଜମି ଅଧିଗ୍ରହଣ କରିଥିଲା। ଏହାପରେ ଉଦ୍ୟୋଗୀଙ୍କୁ ଜମି ଆବଣ୍ଟନ କରିଥିଲା। ଇଡ୍‌କୋ ମୋଟ ୨୩ ଜଣ ଉଦ୍ୟୋଗୀଙ୍କୁ ଜମି ପ୍ରଦାନ କରିଥିଲେ ମଧ୍ୟ ସେଠାରେ ଶିଳ୍ପାନୁଷ୍ଠାନ କିମ୍ବା ଉଦ୍ୟୋଗର ଦେଖାଦର୍ଶନ ନାହିଁ। ଏହା ମଧ୍ୟରେ ୪୦ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ଜମିର ପଟ୍ଟା ଇଡ୍‌କୋ ପ୍ରଦାନ କରିପାରି ନାହିଁ। ଦୁଇ ଚାରିଜଣ ଉଦ୍ୟୋଗୀଙ୍କୁ ଛାଡ଼ିଦେଲେ ଆଉ କାହାରିକୁ ଜମି ପଟ୍ଟା ଯୋଗାଇ ଦିଆ ଯାଇନାହିଁ। ଅନ୍ୟପଟେ ଉଦ୍ୟୋଗ ପାଇଁ ଆବଣ୍ଟନ କରା ଯାଇଥିବା ଜମି ଉପରେ ଶିଳ୍ପ ବଦଳରେ ଭଡ଼ାଘର ଚାଲିଥିବା ବେଳେ ଜିଲ୍ଲା ଶିଳ୍ପକେନ୍ଦ୍ର ନିଦାବିଷ୍ଣୁ। ନିୟମ ଅନୁସାରେ, ଯଦି କେହି ଉଦ୍ୟୋଗୀ ଇଡ୍‌କୋ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜମିରେ ଶିଳ୍ପାନୁଷ୍ଠାନ କରିବାକୁ ନ ଚାହିଁବେ, ତେବେ ‌ସେ ଜମିକୁ ଇଡ୍‌କୋକୁ ଫେରାଇ ଦେବା କଥା। ମାତ୍ର, ଆଜିର ଦିନରେ ବି ଫୁଲବାଣୀ ସହରରେ ଇଡ୍‌କୋ ଜମି ଉପରେ କୋଠାଘର ନିର୍ମାଣ କରି ଘରୋଇ ଲୋକମାନଙ୍କୁ ଭଡ଼ା ସୂତ୍ରରେ ବ୍ୟବହାର କରାଯାଇ ଆସୁଛି। ଇଡ୍‌କୋ କିମ୍ବା ଜିଲ୍ଲା ଶିଳ୍ପ କେନ୍ଦ୍ର ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। କନ୍ଧମାଳ ଜିଲ୍ଲାରେ ଉଦ୍ୟୋଗୀ ଓ ଉଦ୍ୟୋଗର ବିକାଶ ବାଟବଣା ହେଉଥିବାରୁ ଯୁବବର୍ଗ ପ୍ରଭାବିତ ହେଉଛନ୍ତି। ଫଳରେ କାମଧନ୍ଦା ନ ପାଇ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି।

ସମ୍ବନ୍ଧିତ ଖବର