ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାମ ଚୂଡ଼ାନ୍ତ, ନାଁ ଉପରେ କମିଟିର ମୋହର

ଅନୁମୋଦନ ପାଇଁ ରାଜଭବନ ଯିବ, ମାର୍ଚ୍ଚ ୧୯ରେ ବଛାହେବେ ସଦସ୍ୟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ କମିଟି ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାମ ଚୂଡାନ୍ତ କରିଛି। ଆଜି ରାଜ୍ୟ ଅତିଥି ଭବନରେ ଚୟନ କମିଟିର ତୃତୀୟ ବୈଠକ ବସିଥିଲା। ଯାଞ୍ଚ କମିଟି ସୁପାରିସ କରିଥିବା ନାମ ତାଲିକାରୁ ଜଣଙ୍କ ନାମ ଉପରେ ଚୟନ କମିଟି ମୋହର ଲଗାଇଛି। ମଙ୍ଗଳବାର ବୈଠକ ପରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି, ଲୋକାୟୁକ୍ତ ଅଧ୍ୟକ୍ଷ ନିଯୁକ୍ତି ନେଇ କମିଟି ଚୂଡ଼ାନ୍ତ କରିଥିବା ଜଣେ ବିଚାରପତିଙ୍କ ନାମ ଉପରେ ରାଜ୍ୟପାଳ େମାହର ମାରିବେ। ଏଥିପାଇଁ କମିଟିର ସୁପାରିସକୁ ଖୁବଶୀଘ୍ର ରାଜ୍ୟପାଳଙ୍କ ପାଖକୁ ପଠାଯିବ। ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ପୁଣି ଥରେ ଚୟନ କମିଟିର ବୈଠକ ବସି ଯାଞ୍ଚ କମିଟି ଦ୍ବାରା ଚୟନ କରାଯାଇଥିବା ଲୋକାୟୁକ୍ତ ସଦସ୍ୟଙ୍କ ନାମ ଉପରେ ତର୍ଜମା କରାଯିବ। ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ମଙ୍ଗଳବାର ଲୋକାୟୁକ୍ତ ଚୟନ କମିଟି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବାଚସ୍ପତି ପ୍ରଦୀପ କୁମାର ଅମାତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି କଳ୍ପେଶ ସତ୍ୟେନ୍ଦ୍ର ଝାଭେରୀ ଓ ଜଷ୍ଟିସ ଅନଙ୍ଗ ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର