ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ : ୩ଟି କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ, ଇନ୍‌ଭିଜିଲେଟର ନିଲମ୍ବିତ, ୬ ଜଣଙ୍କ ବିରୋଧରେ ଥାନାରେ ମାମଲା

କଟକ : ମାଟ୍ରିକ ପରୀକ୍ଷା କେନ୍ଦ୍ରକୁ କେହି ‌ମୋବାଇଲ ଫୋନ ନେଇ ପାରିବେ ନାହିଁ। ସକାଳ ୯ଟାରେ ପରୀକ୍ଷା ପରିଚାଳନା ସହିତ ସଂପୃକ୍ତ ସମସ୍ତ କର୍ମଚାରୀ ସେଣ୍ଟର ସୁପରି‌େଣ୍ଟଣ୍ଡେଣ୍ଟଙ୍କ ପାଖରେ ନିଜ ନିଜ ମୋବାଇଲକୁ ସୁଇଚ୍ ଅଫ୍ ମୋଡ୍‌ରେ ଦାଖଲ କରି ପରୀକ୍ଷା ହଲରେ ଡ୍ୟୁଟି କରିବେ। କେବଳ ସୁପରି‌େଣ୍ଟଣ୍ଡେଣ୍ଟ ପରୀକ୍ଷା କାର୍ଯ୍ୟ ପାଇଁ ନିଜ ମୋବାଇଲ୍ ବ୍ୟବହାର କରିପାରିବେ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଥିବା ଏପରି କଡ଼ା କଟକଣା କିନ୍ତୁ ଶେଷରେ ଫେଲ୍ ମାରିଛି। ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରୁ ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା ବୋର୍ଡ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼‌ାଇବା ସହିତ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଆଶଙ୍କା ସୃଷ୍ଟି କରିଛି।

ଆଜି ପରୀକ୍ଷା ଚାଲିଥିବା ବେଳେ ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ୍ କରଙ୍ଗମାଳ ହାଇସ୍କୁଲ, ଲିଟିସର୍ଗୀସ୍ଥିତ ଗୋପୀନାଥ ହାଇସ୍କୁଲ, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ସରକାରୀ ହାଇସ୍କୁଲ ସମେତ ଢ଼େଙ୍କାନାଳ ଜିଲ୍ଲାର ସୁଦର୍ଶନ ବିଦ୍ୟାଭବନରେ ପ୍ରଥମ ଭାଷା ଓଡ଼ିଆର ପାର୍ଟ-୧ ଅବ୍‌ଜେକ୍ଟିଭ୍ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ଘଟଣା ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ନୂଆପଡ଼ା ଜିଲ୍ଲାର ଦୁଇ ହାଇସ୍କୁଲ ସମେତ ବନ୍ଧୁଗାଁ ହାଇସ୍କୁଲର ସେଣ୍ଟର ସୁପରି‌େଣ୍ଟଣ୍ଡେଣ୍ଟ , ସଂପୃକ୍ତ ହଲ ଦାୟିତ୍ବରେ ଥିବା ତିନି ଜଣ ଇନ୍‌ଭିଜିଲେଟରଙ୍କୁ ନିଲମ୍ବିତ କରାଯାଇଛି। ଢେଙ୍କାନାଳ ସୁଦର୍ଶନ ବିଦ୍ୟାଭବନର ସୁପରିଟେଣ୍ଡେଣ୍ଟ ଓ ଦାୟିତ୍ବରେ ଥିବା ଇନ୍‌ଭିଜିଲେଟରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇ ବୋର୍ଡ ପକ୍ଷରୁ ସରକାରଙ୍କୁ ଲିଖିତ ଭାବେ ସୁପାରିସ କରାଯାଇଛି। ସମସ୍ତଙ୍କ ବିରୋଧରେ ସଂପୃକ୍ତ ଥାନାରେ ‌ବୋର୍ଡ ପକ୍ଷରୁ ଫୌଜଦାରୀ ମାମଲା ଦାୟର କରାଯାଇଛି।

ପ୍ରଥମ ଦିନରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ଚାଲିଥିବା ବେଳେ ସକାଳ ୧୧ଟା ୪୦ ମିନିଟରେ ଓଡ଼ିଆ ଅବ୍‌ଜେକ୍ଟିଭ୍ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡ଼ିଥିଲା। ଭାଇରାଲ ହୋଇଥିବା ପ୍ରଶ୍ନପତ୍ରକୁ ବୋର୍ଡ ପକ୍ଷରୁ ଯାଞ୍ଚ କରାଯିବା ପରେ ପ୍ରଶ୍ନପତ୍ର ସେଟ୍ କୋଡରୁ ଭାଇରାଲ ହୋଇଥିବା ଉତ୍ସ ବିଷୟରେ ସୂଚନା ମିଳିଥିଲା। ଓଡ଼ିଆ ପ୍ରଶ୍ନପତ୍ର ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ୍ କରଙ୍ଗାମାଳ ହାଇସ୍କୁଲ, ଲିଟିସର୍ଗୀର ଗୋପୀନାଥ ହାଇସ୍କୁଲ, କୋରାପୁଟ ଜିଲ୍ଲା ବନ୍ଧୁଗାଁ ହାଇସ୍କୁଲ, ଢେଙ୍କାନାଳ ଜିଲ୍ଲା ସୁଦର୍ଶନ ବିଦ୍ୟାଭବନ ପରୀକ୍ଷା କେନ୍ଦ୍ରରୁ ଭାଇରାଲ ହୋଇଥିବା ବୋର୍ଡ ଜାଣିବାକୁ ପାଇଥିଲା। ଘଟଣା ସଂପର୍କରେ ଯାଞ୍ଚ କରିବା ପରେ ନୂଆପଡ଼ା ଓ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ଏପରି ଘଟିଥିବା ସ୍ବୀକାର କରି ସଂପୃକ୍ତ ୩ଟି କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ଓ ୩ଜଣ ଇନ୍‌ଭିଜିଲେଟରଙ୍କୁ ନିଲମ୍ବନ କରିଥିଲେ। କିନ୍ତୁ ଢ଼େଙ୍କନାଳ ସୁଦର୍ଶନ ବିଦ୍ୟାଭବନ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୋର୍ଡ ପକ୍ଷରୁ ସରକାରଙ୍କୁ ଲିଖିତ ଅଭିଯୋଗ ହୋଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଡକ୍ଟର ଜାହାନ ଆରା ବେଗମ୍ ସୂଚନା ଦେଇଛନ୍ତି। କିନ୍ତୁ ମାଟ୍ରିକ୍ ପରୀକ୍ଷାରେ ଏହା କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି। କିଛି ଅସାଧୁ ଶିକ୍ଷକ ଏପରି କରୁଛନ୍ତି ଓ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡକ୍ଟର ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସ˚ପାଦକ ରମାଶିଷ ହାଜରା ଉପସ୍ଥିତ ଥିଲେ। ଆଜି ପ୍ରଥମ ଭାଷା ଓଡ଼ିଆରେ କପି କରି ମୋଟ ୭୮ଜଣ ମାଲପ୍ରାକ୍ଟିସ ହୋଇଥିବା ବେଳେ ୬୦ଜଣ ମାଟ୍ରିକରେ, ୧୫ଜଣ ଓପନ୍ ସ୍କୁଲ ପରୀକ୍ଷାରେ ଓ ୩ଜଣ ମଧ୍ୟମାରେ ଏମ୍‌ପି ହୋଇଥିବା ପରୀକ୍ଷା ନିୟନ୍ତ୍ରକ ଡକ୍ଟର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର