ପିପିଲିରେ ମୁଣ୍ଡ କାଟି ହତ୍ୟା ଘଟଣା: ଅପରାଧୀକୁ ଘଟଣାସ୍ଥଳକୁ ନେଲା ପୁଲିସ

ପିପିଲି : ପିପିଲି ଥାନା ନୂଆଶାସନ ଗ୍ରାମରେ ଯୁବକଙ୍କୁ ମୁଣ୍ଡ କାଟି ବୀଭତ୍ସ ହତ୍ୟା ଘଟଣାରେ ପୁଲିସ ମଙ୍ଗଳବାର ବିଳମ୍ବିତ ରାତିରେ ମୁଖ୍ୟ ଅଭିଯୁକ୍ତ ରମାକାନ୍ତ ବେହେରା(୩୪)କୁ ଗିରଫ କରିଛି। ଗିରଫ ରମାକାନ୍ତର ଘର ସେହି ଗ୍ରାମର ଦୋଳବେଦୀ ସାହିରେ। ସେ ମଙ୍ଗଳବାର ଅପରାହ୍ନରେ ନୂଆଶାସନ ଗ୍ରାମ ହରିଜନ ସାହିର ବିଜୟ ବହେରାଙ୍କ ପୁଅ ଲିକୁ (୧୮)ଙ୍କୁ ଗଣ୍ଡିରୁ ମୁଣ୍ଡ ଅଲଗା କରି ହତ୍ୟା କରିବାପରେ ଫେରାର ହୋଇଯାଇଥିଲା। ଖବର ପାଇ ପୁଲିସ ବାଲିପାଟଣା ଥାନା ଅଚ୍ୟୁତପୁର ନିକଟରୁ ଅଭିଯୁକ୍ତକୁ ଗିରଫ କରିଥିଲା।

ବୁଧବାର ଦିନ ଗିରଫ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଛି। ଲିକୁକୁ ଡାକି ନେଇ ସେହି ଗ୍ରାମର ରାଜୀବ ସେବାକେନ୍ଦ୍ରର ପଛ ବାରଣ୍ଡାରେ ଏକ ଚାପଡ଼ରେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ହତ୍ୟା କରିଥିବା ସ୍ବୀକାର କରିବା ପରେ ତାକୁ ସାଙ୍ଗରେ ନେଇ ପିପିଲି ପୁଲିସ ଘଟଣାସ୍ଥଳକୁ ଯାଇଥି‌ଲା। ସେଠାରେ ଅଭିଯୁକ୍ତ କିଭଳି ହତ୍ୟାକାଣ୍ଡ ଭିଆଇଥିଲା ସେହି ଦୃଶ୍ୟର ପୁନରାବୃତ୍ତି କରିଥିଲା। ଏହାପୂର୍ବରୁ ଅଭିଯୁକ୍ତ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଚାପଡ଼କୁ ନିକଟସ୍ଥ ଏକ ପୋଖରୀରୁ ବାହାର କରିଥିଲା। ଘଟଣାସ୍ଥଳରେ ସାଇଣ୍ଟ୍‌ଫିକ୍‌ ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର