ଭିଜିଲାନ୍ସ୍ ପଞ୍ଝାରେ କୋଟିପତି ବାବୁ, ରେଞ୍ଜରଙ୍କ ଘରୁ କୋଟିଏ ସମ୍ପତ୍ତି ଠାବ

କ.ନୂଆଗାଁ/ଭଞ୍ଜନଗର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ୍ ପଞ୍ଝାରେ ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବନାଞ୍ଚଳ ଅଫିସ୍ ରେଞ୍ଜର୍‌ ବୈରାଗୀ ଚରଣ ବେହେରା। ଫୁଲବାଣୀ ଭିଜିଲାନ୍ସ୍ ପକ୍ଷରୁ କ.ନୂଆଗାଁ ବନାଞ୍ଚଳ କାର୍ଯ୍ୟାଳୟ ସମେତ ବୈରାଗୀଙ୍କ ସରକାରୀ ବାସଭବନ ଓ କନ୍ଧମାଳ, ବୌଦ୍ଧ ଓ ଗଞ୍ଜାମ ଜିଲ୍ଲାରେ ଏକକାଳୀନ ଚଢ଼ଉ କରାଯାଇଛି। ସେହିପରି; ଭଞ୍ଜନଗରସ୍ଥିତ ଲଣ୍ଡେଇସାହିରେ ଥିବା ଦୁଇ ମହଲା କୋଠା, ଦଦରାଲୁଣ୍ଡାସ୍ଥିତ ଫାର୍ମ ହାଉସ୍, ଗାଙ୍ଗପୁର ଥାନା ଲୁଦୁଲୁଦି ଗାଁରେ ଥିବା ଦୁଇ ସମ୍ପର୍କୀୟ ଘରେ ଓ ବୌଦ୍ଧ ଜିଲ୍ଲା ଭୂତପଲ୍ଲୀରେ ଥିବା ଏକ ଘରେ ଛାନ୍‌ଭିନ୍ ହୋଇଛି। ରିପୋର୍ଟ ଲେଖାଯିବା ସୁଦ୍ଧା, ବୈରାଗୀଙ୍କ ପାଖରୁ ସ୍ଥାବର ଓ ଅସ୍ଥାବର ମିଶାଇ ୧ କୋଟି ୪ ଲକ୍ଷ ୭୧ହଜାର ୪୯୦ ଟଙ୍କାର ସମ୍ପତ୍ତି ଠାବ ହେଲାଣି। ବିଭିନ୍ନ ସ୍ଥାନରେ ଆହୁରି ଖୋଳତାଡ଼ ଜାରି ରହିଛି ଓ ହିସାବ ବଢ଼ିବ ବୋଲି ଭିଜିଲାନ୍ସ କହିଛି।

ବୈରାଗୀ ୧୯୮୭ ମସିହାରେ ଫରେଷ୍ଟଗାର୍ଡ଼ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ପରେ ସେ ପଦୋନ୍ନତି ପାଇ ବର୍ତ୍ତମାନ ଫୁଲବାଣୀ ବଡ଼ଖଣ୍ଡ ଅଧୀନରେ କ.ନୂଆଗାଁ ରେଞ୍ଜର୍ ଭାବେ କାର୍ଯ୍ୟରତ ଥିଲେ। ୫ ମାସ ହେଲା ଏଠାରେ କାର୍ଯ୍ୟରେ ଯୋଗ ଦେଇଥିଲେ। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିବାପରେ ଫୁଲବାଣୀ ଭିଜିଲାନ୍ସ୍ ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଥିଲା। ଭଞ୍ଜନଗର ଲଣ୍ଡେଇସାହିରେ ଥିବା ରାଜଉଆସ ଭଳି ଦୁଇ ମହଲା କୋଠା ଦେଖି ଭିଜିଲାନ୍ସ୍ ଅଧକାରୀମାନଙ୍କ ଆଖି ‌ଖୋସି ହୋଇଯାଇଥିଲା। ସାତଜଣିଆ ଟିମ୍ ଘରେ ଥିବା ମୂଲ୍ୟବାନ ଘରକରଣା ସାମଗ୍ରୀ ଗୁଡ଼ିକର ଆକଳନ କରିଥିଲେ। ସେହିପରି, ଦଦରଲୁଣ୍ଡାସ୍ଥିତ ଫାର୍ମ ହାଉସ୍‌ରେ ଏକ ଟିମ୍ ଛାନଭିନ୍ କରିଥିଲେ।

ଲଣ୍ଡେଇସାହିରେ ଥିବା ଏହି ଦୁଇ ମହଲା କୋଠାର ମୂଲ୍ୟ ୫୬ ଲକ୍ଷ ୭୫ ହଜାର ୬୪୫ ଟଙ୍କା ବୋଲି ଆକଳନ କରାଯାଇଛି। ଲାଲସିଂରେ ଏକ ପ୍ଲଟ୍ (୭୮ ହଜାର ୭୫୦ ଟଙ୍କା), ଦଦରାଲୁଣ୍ଡାରେ ଏକ ପ୍ଲଟ୍ (ଲକ୍ଷେ ୬୫ହଜାର ଟଙ୍କା), ଦଦରାଲୁଣ୍ଡାରେ ଏକ ଫାର୍ମ (୨ଲକ୍ଷ ୮୦ହଜାର ୪୦୦ ଟଙ୍କା), ବ୍ରହ୍ମପୁର ଆଙ୍କୁଲିରେ ଏକ ପ୍ଲଟ୍ (୨ଲକ୍ଷ ୩୯ହଜାର ୨୫୦ ଟଙ୍କା), ବୌଦ୍ଧ‌ ଏବଂ ବୁଟୁପଲ୍ଲୀରେ (୧୫ହଜାର ଓ ୯ଲକ୍ଷ ୭୨ହଜାର ଟଙ୍କା) ଦୁଇଟି ପ୍ଲଟ୍ ବୈରାଗୀଙ୍କ ନାମରେ ରହିଛି। ସେହିପରି, ୫ ଲକ୍ଷ ୮୩ ହଜାର ଟଙ୍କାର ଘରକରଣା ସାମଗ୍ରୀ, ୫ ଲକ୍ଷ ୫୨ହଜାର ଟଙ୍କାର ସୁନା‌ ଅଳଙ୍କାର, ୧୩ହଜାର ୫୧୧ ଟଙ୍କାର ରୁପା ଅଳଙ୍କାର, ପରିବାର ନାମ‌ରେ ବିଭିନ୍ନ ବ୍ୟାଙ୍କରେ ୭ ଲକ୍ଷ ୭୬ହଜାର ଟଙ୍କା ଡିପୋଜିଟ୍, ୭୪ହଜାର ଟଙ୍କା ପୋଷ୍ଟ୍ ଅଫିସ୍ ଜମା ଏବଂ ୧୬ ହଜାର ଟଙ୍କା ନଗଦ ମିଳିଛି। ବର୍ତ୍ତମାନ ସୁଦ୍ଧା ଛାନଭିନ୍ ଜାରି ରହିଥିବା ଡିଏସ୍‌ପି ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର