ଓଡ଼ିଶା ମହିଳା ଲିଗ୍‌ ୧୨ରୁ: ୬ ଦଳ, ୩୦ ମ୍ୟାଚ୍‌

ଜର୍ସି ଉନ୍ମୋଚିତ: ମନୀଷା ଓ ପ୍ୟାରୀ ସମ୍ବର୍ଦ୍ଧିତ

ଭୁବନେଶ୍ବର: ଓଡ଼ିଶା ମହିଳା ଲିଗ୍‌ (ଓଡବ୍ଲୁଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତା ଶନିବାରଠୁ ଭୁବନେଶ୍ବରର ଦୁଇଟି ସ୍ଥାନ କଳିଙ୍ଗ ଷ୍ଟାଡିୟମ ଅଭ୍ୟାସ ପଡ଼ିଆ ଏବଂ କ୍ୟାପିଟାଲ୍‌ ପଡ଼ିଆରେ ଖେଳାଯିବ। ମାର୍ଚ ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ୬ ଦଳ ସାଇ-ଏସ୍‌ଟିସି, ପୂର୍ବତଟ ରେଳବାଇ, ଓଡ଼ିଶା ପୁଲିସ, ସ୍ପୋର୍ଟ୍ସ ଓଡ଼ିଶା, ଓଜିପି କ୍ଲବ୍‌, ରାଇଜିଂ ଷ୍ଟୁଡେଣ୍ଟ୍‌ କ୍ଲବ୍‌ ଭାଗ ନେବେ। ଏହି ଦଳଗୁଡ଼ିକ ନିଜ ନିଜ ମଧ୍ୟରେ ମୋଟ ୩୦ ମ୍ୟାଚ୍‌ ଖେଳିବେ। ପଏଣ୍ଟ୍‌ ଟେବୁଲର ଶୀର୍ଷ ସ୍ଥାନ ଦଖଲ କ‌ରିଥିବା ଦଳକୁ ବିଜେତା ଘୋଷିତ କରାଯିବ। ବିଜେତା ଦଳ ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ ଦ୍ବାରା ଆୟୋଜିତ ଭାରତୀୟ ମହିଳା ଲିଗ୍‌କୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବ। ଓଡବ୍ଲୁଏଲ୍‌ ଶେଷ ହେବା ପରେ ଓଡ଼ିଶା ପୁଲିସ ଦଳକୁ ଛାଡ଼ି ଅନ୍ୟ ୫ ଦଳ ମାର୍ଚ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ୧୮ ବର୍ଷରୁ କମ୍‌ ଓଡ଼ିଶା ଦଳ ସହ ଗୋଟିଏ ଲେଖାଏଁ ଅଭ୍ୟାସ ମ୍ୟାଚ୍‌ ଖେଳିବେ।

ଓଡବ୍ଲୁଏଲ୍‌ ଲାଗି ଗୁରୁବାର ସ୍ଥାନୀୟ କଳିଙ୍ଗ ‌ଷ୍ଟାଡିୟମଠାରେ ଜର୍ସି ଉନ୍ମୋଚିତ ହୋଇଛି। ଏହି କାର୍ଯ୍ୟକ୍ରମ‌ରେ ପ୍ରତ୍ୟେକ ଦଳର ଅଧିନାୟିକା ଓ ଉପଅଧିନାୟିକା ଉପସ୍ଥିତି ଥିଲେ। ଜର୍ସି ଉନ୍ମୋଚନ ଉତ୍ସବରେ ଅତିଥି ଭାବେ କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା, ଓଡ଼ିଶା ଫୁଟ୍‌ବଲ୍‌ ସଂଘ (ଫାଓ) ଯୁଗ୍ମ ସମ୍ପାଦକ ତଥା ଓଡ଼ିଶା ଅଲିମ୍ପିକ୍‌ ସଂଘ ସମ୍ପାଦକ ଅଭିଜିତ ପାଲ, ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ଦୁଇ ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ସସ୍ମିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରରେ ଏଏଫ୍‌ସି ଏସିଆ କପ୍‌ରେ ଭାରତରୁ ପ୍ରତିନିଧିତ୍ବ କରିଥିବା ଦୁଇ ଓଡ଼ିଆ ଝିଅ ପ୍ୟାରୀ ଖାଖା ଓ ମନୀଷା ପାନ୍ନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର