ହସ ଫୁଟାଇଲା ଗୋଲାପ ଚାଷ : କୁଚିଣ୍ଡାର ‘ରୋଜ ବୟ’ ସୌଭାଗ୍ୟ

ନିଜ ସହ ଗାଁ ଲୋକଙ୍କୁ ବି ସ୍ବାବଲମ୍ବୀ କରାଇଛନ୍ତି

ସମ୍ବଲପୁର : ପ୍ରବଳ ଇଚ୍ଛାଶକ୍ତି ଓ ଦୃଢ଼ ଆତ୍ମବିଶ୍ୱାସ ଯେ ସଫଳତା ଆଣି ଦିଏ ତାହାର ସଦ୍ୟ ଉଦାହରଣ ପାଲଟିଛନ୍ତି ସମ୍ବଲପୁର ବାମରା ବ୍ଲକ୍‌ କୁଚିଣ୍ଡା ଉପଖଣ୍ଡ ମିକ୍ତିମାଲ ଗାଁର ସୌଭାଗ୍ୟ ନାଏକ। ଦୁଇ ଏକର ଜମିରେ ଗୋଲାପ ଫୁଲ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନେକ ଯୁବକଙ୍କୁ ଦେଇଛନ୍ତି ନିଯୁକ୍ତି। ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ନିଜ ଗାଁର ୧୦ ଜଣଙ୍କୁ ରୋଜଗାରକ୍ଷମ କରାଇଛନ୍ତି। ଅଳ୍ପଦିନ ଭତରେ ଜଣେ ସଫଳ ଚାଷୀର ମାନ୍ୟତା ପାଇଥିବା ସୌଭାଗ୍ୟ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଆଉ ସ୍ଥାନୀୟ ଲୋକଙ୍କ ମୁହଁରେ ‌ତାଙ୍କର ନୂଆ ନାଁ ହୋଇଛି ‘ରୋଜ ବୟ’।

କୁଣ୍ଡରେ ସଜା ହୋଇଥିବା ଗୋଲାପ ଫୁଲ ଯେତିକି ସୁନ୍ଦର, ଏହା ପଛରେ ଥିବା ଚାଷୀଙ୍କ ପ୍ରେରଣାଦାୟୀ କାହାଣୀ ସେତିକି ସଂଘର୍ଷପୂର୍ଣ୍ଣ। ଆଜିର ପ୍ରତିଯୋଗିତାମୂଳକ ଦୁନିଆରେ ଚାକିରି ପଛରେ ନ ଦୌଡ଼ି ଗୋଲାପ ଫୁଲ ଚାଷ ପାଇଁ ମନ ବଳାଇଥିଲେ ଯୁବ ଚାଷୀ ସୌଭାଗ୍ୟ। ପ୍ରେମର ସ୍ବରୂପ ଫୁଲ ଗୋଲାପକୁ ପ୍ରେମୀଯୁଗଳ ଯେମିକି ଭଳ ପାଆନ୍ତି ଗୋଲାପ ଚାଷକୁ ସେମିତି ଭଲ ପାଆନ୍ତି ସୌଭାଗ୍ୟ। ପଲିହାଉସ ମାଧ୍ୟମରେ ୩ ବର୍ଷ ତଳୁ ୨ ଏକର ଜମିରେ ଗୋଲାପ ଫୁଲ ଚାଷ କରୁଛନ୍ତି ସୌଭାଗ୍ୟ। ଆଉ ଏବେ ଦିନକୁ ସେ ୩ ହଜାରରୁ ୫ହଜାର ବିଭିନ୍ନ ରଙ୍ଗର ଗୋଲାପ ଫୁଲ ସଂଗ୍ରହ କରୁଛନ୍ତି। ଆଉ ସେହି ସବୁ ଫୁଲକୁ ପ୍ୟାକିଂ କରି ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବରଗଡ଼, କେନ୍ଦୁଝର ସହରକୁ ବିକ୍ରି ପାଇଁ ପଠାଉଛନ୍ତି। ଗୋଟିଏ ଫୁଲକୁ ୬ ଟଙ୍କାରେ ବିକ୍ରି କରୁଥିବା ଏହି ସଫଳ ଚାଷୀ ମାସିକ ଲକ୍ଷାଧିକ ଟଙ୍କା ଲାଭ ପାଉଛନ୍ତି।

ଜାତୀୟ ଉଦ୍ୟାନ ବିଭାଗର ପରାମର୍ଶ କ୍ରମେ ଗୋଲାପ ଚାଷ କରି ସୌଭାଗ୍ୟ ନିଜେ ସ୍ବାବଲମ୍ବୀ ହେବା ସହ ନିକ୍ତିମାଲ ଗାଁର ୧୦ ଜଣ ଶ୍ରମିକଙ୍କୁ ରୋଜଗାର ପନ୍ଥା ଯୋଗାଇ ଦେଇଛନ୍ତି। ତାଙ୍କ ଗୋଲାପ ବଗିଚାରେ କାମ କରୁଥିବା ଶ୍ରମିକଙ୍କୁ ମାସିକ ୭ରୁ ୮ ହଜାର ଟଙ୍କାର ପାରିଶ୍ରମିକ ଦେଉଛନ୍ତି ସୌଭାଗ୍ୟ। ସୌଭାଗ୍ୟ ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ଶ୍ରମିକମାନେ ସକାଳୁ ସଂଧ୍ୟା ଯାଏ ଗୋଲାପ ଗଛଗୁଡିକର ଯତ୍ନ ନେଉଛନ୍ତି। ତାଙ୍କ ବଗିଚାର ଗୋଲାପ ଫୁଲକୁ ଯିଏ ଥରେ ଦେଖିଛି ସେ ହିଁ ଜାଣିଛି ପ୍ରକୃତି କୋଳରେ ଗୋଲାପର ଚାଦର କେତେ ସୁନ୍ଦର।

ସମ୍ବନ୍ଧିତ ଖବର