ମୃତ୍ୟୁପୂର୍ବରୁ ଅଙ୍ଗଦାନ କରିଥିବା ୩ ମହିଳାଙ୍କ ସଂପର୍କୀୟଙ୍କୁ ସୂରଜ ସମ୍ମାନ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ; ଅଙ୍ଗଦାନକୁ ଗଣଆନ୍ଦୋଳନରେ ପରିଣତ କରିବାକୁ ଆହ୍ବାନ

ଭୁବନେଶ୍ୱର: ଆଜି ମଧ୍ୟ ମଣିଷ ଭିତରେ ବଂଚିଛି ମଣିଷ ପଣିଆ। ୬ ଜଣଙ୍କ ଜୀବନ ବଂଚାଇଥିବା ଠାରୁ ଅଧିକ ପୁଣ୍ୟ କାମ କିଛି ନାହି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ସୂରଜ ସମ୍ମାନ ପ୍ରଦାନ କରି ଉପରୋକ୍ତ ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଗଂଜାମ ଜିଲ୍ଲାର ପ୍ରିୟଙ୍କା ପାତ୍ର, ଖୋର୍ଦ୍ଧା ଜିଲ୍ଲାର ସୁଚିତ୍ରା ଦାସ ଓ ପୁରୀର ରାଜଲକ୍ଷ୍ମୀ ଦାସ ମୃତ୍ୟୁ ପୂର୍ବରୁ ଅଙ୍ଗଦାନ କରି ଅନେକ ବହୁମୂଲ୍ୟ ଜୀବନ ବଂଚାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ୩ ମହିଳାଙ୍କ ପରିବାର ବର୍ଗଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରତି ଅଙ୍ଗଦାତା ପରିବାରକୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି।

ଏହି ୩ ଜଣ ମହିଳା ଅଙ୍ଗଦାତାଙ୍କୁ ପୁରସ୍କାର ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଗଂଜାମ ଜିଲ୍ଲାର ଯୁବକ ସୂରଜ ସୁରତରେ ଦୁର୍ଘଟଣାର ଶିକାର ହୋଇ କୋମାକୁ ଚାଲିଯିବା ପରେ ତା’ର ବାପାମା ଅଙ୍ଗଦାନ ଲାଗି ଘୋଷଣା କରିଥିଲେ। ସୂରଜ ତାର ହୃତପିଣ୍ଡ, କିଡ୍‌ନି, ଯକୃତ ଓ ଚକ୍ଷୁ ଦାନ କରି ୬ ଜଣଙ୍କ ଜୀବନ ବଂଚାଇଥିଲା। ଏହି ଘଟଣା ପରେ ସୂରଜଙ୍କ ବାପାମା’ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ। ସେହିଦିନ ହିଁ ମୁଖ୍ୟମନ୍ତ୍ରୀ ସୂରଜଙ୍କ ସ୍ମୃତି ରକ୍ଷା ଲାଗି ‘ସୂରଜ ପୁରସ୍କାର’ ଘୋଷଣା କରିଥିଲି ବୋଲି କହିଛନ୍ତି।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ବିଧାନସଭାର ବାଚସ୍ପତି ଡ଼ଃ.ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପଦୀପ ମହାରଥୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରିୟଙ୍କା ପାତ୍ରଙ୍କ ସ୍ୱାମୀ ଭି ସମୀର ରାଜୁ, ସୁଚିତ୍ରା ଦାସଙ୍କ ସ୍ୱାମୀ ଗୋପାଳ ଚନ୍ଦ୍ର ଦାସ ଓ ରାଜଲକ୍ଷ୍ମୀଙ୍କ ସ୍ୱାମୀ ଅଭିମନ୍ୟୁ ଦାସଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଅତିରକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏବଂ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ।

ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପରିବାର ସଦସ୍ୟମାନଙ୍କୁ ଅଙ୍ଗଦାନ ଦିବସରେ ସୁରଜ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସ୍ୱର୍ଗତ ପ୍ରିୟଙ୍କାଙ୍କ ସ୍ୱାମୀ ଭି. ସମୀର ରାଜୁଙ୍କୁ ପାଞ୍ଚ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ବାଚସ୍ପତି ଡ଼ଃ.ସୂର୍ଯ୍ୟ ନାରାୟଣ ପାତ୍ର ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ଉପସ୍ଥିତିରେ ପ୍ରଦାନ କରିଥିଲେ। ସ୍ୱର୍ଗତ ଶ୍ରୀମତୀ ପ୍ରିୟଙ୍କା ପାତ୍ର ଦିଗପହଣ୍ଡି ବାସିନ୍ଦା ଅଟନ୍ତି ଏବଂ ସେ ନିଜର ସମସ୍ତ ଅଙ୍ଗକୁ ଭୁବନେଶ୍ୱର ସମ୍‌ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅନ୍ୟ ରୋଗୀମାନଙ୍କୁ ଦାନ କରିଥିଲେ। ତାଙ୍କ ଅଙ୍ଗ ଅନ୍ୟ ରୋଗୀମାନଙ୍କୁ ଫେବୃଆରି ୪ ତାରିଖ ପ୍ରଦାନ କରିବା ପରେ ପ୍ରତିରୋପଣ କରାଯାଇଥିଲା।

ସମ୍ବନ୍ଧିତ ଖବର