ପ୍ରଶାସନର ନବକଳେବର, ସୁରେଶ ମହାପାତ୍ର ନୂଆ ମୁଖ୍ୟ ସଚିବ

ପ୍ରଦୀପ ଜେନା ଉନ୍ନୟନ କମିସନର ନିଯୁକ୍ତ, ଅସିତ ତ୍ରିପାଠୀ ହେବେ ଡବ୍ଲୁଓଡିସି ଅଧ୍ୟକ୍ଷ; ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ରହିବେ

ଭୁବନେଶ୍ବର: ୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ପରବର୍ତୀ ମୁଖ୍ୟ ଶାସନ ସଚିବ ହେବେ। ଏହା ସହିତ ସେ ମୁଖ୍ୟ ଉନ୍ନୟନ କମିସନର ଭାବେ ଦାୟିତ୍ବ ତୁଲାଇବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତ ନିଷ୍ପତ୍ତି ଚୂଡ଼ାନ୍ତ କରିବା ପରେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ବର୍ତମାନର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଆସନ୍ତା ୩୧ ତାରିଖ ଦିନ ଅବସର ନେଉଛନ୍ତି। ସେହିଦିନ ଶ୍ରୀ ମହାପାତ୍ର ଦାୟିତ୍ବ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ସେ ଆଗାମୀ ୨୦୨୨ ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ସଚିବ ପଦରେ କାର୍ଯ୍ୟ କରିବେ।

କେବଳ ସେତିକି ନୁହେଁ, ନୂଆବର୍ଷରୁ ପ୍ରଶାସନକୁ ନୂଆ ରୂପ ଦେବାକୁ ଯାଇ ରାଜ୍ୟ ସରକାର ଆଜି ଆହୁରି ଦୁଇଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟସଚିବ ପଦରୁ ଶ୍ରୀ ତ୍ରିପାଠୀ ଅବସର ନେବା ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲୁଓଡିସି)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ବିଶେଷକରି ଆଞ୍ଚଳିକ ବିକାଶ, କୃଷି, ପର୍ଯ୍ୟଟନ ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବେ। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ରାଜ୍ୟ ସରକାର ଉନ୍ନୟନ କମିସନର ଭାବେ ୧୯୮୯ ବ୍ୟାଚ୍ ଆଇଏଏସ୍ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଜେନା ଏବେ ଅତିରିକ୍ତ ଭାବେ ସ୍ବତନ୍ତ୍ର ରିଲିଫ୍ କମିସନର ଦାୟିତ୍ବ ମଧ୍ୟ ତୁଲାଉଛନ୍ତି। ଶ୍ରୀ ଜେନାଙ୍କର ନୂଆ ନିଯୁକ୍ତି ଘୋଷଣା ପରେ ଉଭୟ ଗ୍ରାମ୍ୟ ଉନ୍ନୟନ ଓ ସ୍ବତନ୍ତ୍ର ରିଲିଫ୍ କମିସନର ପଦବି ଖାଲି ପଡ଼ିବ। ଏଣୁ ଖୁବ୍ ଶୀଘ୍ର ପ୍ରଶାସନିକ ସ୍ତରରେ ଏକ ବଡ଼ ଅଦଳବଦଳ ହେବ, ଏକଥା ସ୍ପଷ୍ଟ ହୋଇଛି। କିଛି ଜିଲ୍ଲାର ଜିଲ୍ଲାପାଳ ବଦଳି ହେବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ।

୨୦୨୦ ଆରମ୍ଭରେ ସରକାର ନୂଆ ଓଡ଼ିଶା ଗଠନ ସ୍ବପ୍ନ ଦେଖାଇଥିଲେ। ହେଲେ କରୋନା ଏସବୁକୁ ବିଗାଡ଼ି ଦେଇଥିଲା। ଏବେ ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ହେବା ପରେ ସରକାର ନୂଆବର୍ଷରୁ ପ୍ରଶାସନରେ ସକ୍ରିୟତା ବୃଦ୍ଧି ନିଷ୍ପତ୍ତି ନେଇ ଦୁଇ ଦକ୍ଷ ଆଇଏଏସ୍ ଅଫିସରଙ୍କୁ ରାଜ୍ୟ ପ୍ରଶାସନର ଶୀର୍ଷସ୍ତରରେ ବସାଇଥିବା କୁହାଯାଉଛି। ଉଭୟ ଶ୍ରୀ ମହାପାତ୍ର ଓ ଶ୍ରୀ ଜେନାଙ୍କ ସମୁଦାୟ କ୍ୟାରିଅର ପ୍ରଶାସନିକ ଦକ୍ଷତା କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସିଛି। କେବଳ ସେତିକି ନୁହେଁ, ଉଭୟ ଅଧିକାରୀ ବିଭିନ୍ନ ସମୟରେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣେଇ ପ୍ରଶାସନରେ କମ୍ପନ ସୃଷ୍ଟି କରିଛନ୍ତି। ଏଣୁ ଏହି ନୂଆ ନିଯୁକ୍ତି ରାଜ୍ୟ ପ୍ରଶାସନକୁ ଅଧିକ ଚଳଚଞ୍ଚଳ କରିବ ଏବଂ ନବୀନ ଯେଉଁ ଦୁର୍ନୀତି ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି, ତାହାର କାର୍ଯ୍ୟାନ୍ବୟନ ପ୍ରକ୍ରିୟା ସହଜ ହେବ।

ଉଲ୍ଲେଖଥାଉକି, ବରିଷ୍ଠତା ଭିତ୍ତିରେ ଶ୍ରୀ ମହାପାତ୍ରଙ୍କୁ ମୁଖ୍ୟଶାସନ ସଚିବ ପଦବି ମିଳିଥିଲେ ହେଁ ଶ୍ରୀ ଜେନାଙ୍କୁ ଉନ୍ନୟନ କମିସନର ଭାବେ ନିଯୁକ୍ତି ରାଜ୍ୟ ପ୍ରଶାସନରେ ଚର୍ଚ୍ଚାର ବିଷୟ ହୋଇଛି। ଏଇଥିପାଇଁ ଯେ ୧୯୮୭ ଓ ୧୯୮୮ ବ୍ୟାଚ୍‌ର ଅଧିକାରୀଙ୍କୁ ବାଦ୍ ଦେଇ ୧୯୮୯ ବ୍ୟାଚ୍‌ର ଆଇଏଏସ୍‌ଙ୍କୁ ମୁଖ୍ୟମନ୍ତ୍ରୀ ବିଶ୍ବାସକୁ ନେଇଛନ୍ତି। ମୁଖ୍ୟ ସଚିବ ଭାବେ ନିଯୁକ୍ତି ପାଇଥିବା ଶ୍ରୀ ମହାପାତ୍ରଙ୍କ ତଳେ ବରିଷ୍ଠ ଆଇଏଏସ୍ ସୁଦର୍ଶନ ପାଲ ଠାକୁର, ରାଜ କୁମାର ଶର୍ମା, ସି ଜେ ବେଣୁଗୋପାଳ, ପ୍ରଦୀପ୍ତ ମହାପାତ୍ର ଓ ପରାଗ ଗୁପ୍ତାଙ୍କ ଭଳି ପାଞ୍ଚ ଜଣ ବରିଷ୍ଠ ଅଫିସର ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରୁଛନ୍ତି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଏହି ୫ଜଣ ଅଧିକାରୀଙ୍କ ବରିଷ୍ଠତାକୁ ଏଡ଼ାଇ ଯାଇ ଶ୍ରୀ ଜେନାଙ୍କୁ ଗୁରୁତ୍ବ ଦେବା ଘଟଣା ଭିନ୍ନ କିଛି ସଙ୍କେତକୁ ଇଙ୍ଗିତ କରୁଛି।

ସମ୍ବନ୍ଧିତ ଖବର