କାର୍‌ ଭିତରେ ଶ୍ୱାସରୁଦ୍ଧ ହୋଇ ଶିଶୁ ମୃତ

ମାହାଙ୍ଗା : ମାହାଙ୍ଗା ଥାନା ଅନ୍ତର୍ଗତ ବରାହୀପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କାର୍‌ ଭିତରେ ରହିଯାଇଥିବା ଜଣେ ୫ ବର୍ଷ ବୟସର ଶିଶୁ ଅସହ୍ୟ ଗରମରେ ଶ୍ୱାସରୁଦ୍ଧ ‌ହୋଇ ପ୍ରାଣ ହରାଇଛି। ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସୂଚନା ମୁତାବକ, ଶୁକ୍ରବାର ମଧ୍ୟାହ୍ନରେ ବରାହୀପୁର ଗ୍ରାମର ସୁବାସଚନ୍ଦ୍ର ସ୍ବାଇଁଙ୍କ ଘର ସମ୍ମୁଖରେ ଏକ ଇନୋଭା କାର୍‌ ଛିଡ଼ା ହୋଇଥିଲା। ଏହିସମୟରେ ସୁବାସଙ୍କ ୫ବର୍ଷ ବୟସର ପୁଅ ସତ୍ୟବ୍ରତ ଘରୁ ଗାଡ଼ି ଚାବି ଆଣି ଡୋର୍‌ ଖୋଲିବାପରେ ଭିତରେ ପଶି ଯାଇଥିଲା। କିଛିସମୟ ପରେ ଅସହ୍ୟ ଗରମରୁ ଶିଶୁଟି ଗାଡ଼ି ଭିତରେ ପଡ଼ି ଯାଇଥିଲା। ଘରଲୋକ ବହୁସମୟ ଖୋଜାଖୋଜି କରିଥିଲେ ମଧ୍ୟ କାର୍‌ ସିଟ୍‌ ତଳେ ପଡ଼ିଥିବା ଶିଶୁଟିକୁ ଦେଖିପାରି ନ ଥିଲେ। ଦିନ ପ୍ରାୟ ୨ଟାରେ ସତ୍ୟବ୍ରତକୁ ଅଚେତ୍‌ ଅବସ୍ଥାରେ ଗାଡ଼ି ଭିତରୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପାଇଁ ମାହାଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ମାହାଙ୍ଗା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର