ବଡ଼ହେବା ପାଇଁ ଏମିତି ସ୍ବପ୍ନ ଦେଖିଥିଲେ; ଚୂର୍‌ମାର୍‌ ହେଲା: ଧରାପଡ଼ିଲା ଛାତ୍ରଙ୍କ ଡକାୟତ ଗ୍ୟାଙ୍ଗ୍‌

ସୁରତ, କେରଳରୁ ସାଙ୍ଗଙ୍କୁ ନେଇ ଗଢ଼ିଥିଲେ, ପୁଲିସ ହାତରେ ଧରାପଡ଼ିଲେ, ୩ ଗିରଫ

ସୋରଡ଼ା : ସୁଧାଂଶୁ ଗୌଡ଼ (୨୪)। ଯୁକ୍ତତିନି ଡିଗ୍ରୀ ପାସ୍ କରିବାପରେ ରାତାରାତି ବଡ଼ଲୋକ ହେବାର ନିଶା ତାଙ୍କ ମନରେ ଘାରିଥିଲା। ଲୁଟ୍ ଦ୍ବାରା ତାଙ୍କର ଏହି ସ୍ବପ୍ନ ପୂରଣ ହେବ ବୋଲି ଭାବି ସୁରତରେ କାମ କରୁଥିବା ତାଙ୍କର ଜଣେ ସହଯୋଗୀ ଉମାଚରଣ ଗୌଡ଼ (୨୩) ଓ କେରଳରେ କାମ କରୁଥିବା ଓ ସନାତନ ଗୌଡ଼ (୨୩)ଙ୍କୁ ଗାଁକୁ ଡାକିଥିଲେ। ସମସ୍ତେ ମିଶି ଏକ ଗ୍ୟାଙ୍ଗ୍‌ ଗଢ଼ିବା ସହିତ ସିରିଜ୍ ଲୁଟ୍ ଆରମ୍ଭ କରି ଦେଇଥିଲେ। ହେଲେ, ପୁଲିସ ହାତରେ ଧରାପଡ଼ିବା ପରେ କିଛିମାସ ମଧ୍ୟରେ ସେମାନଙ୍କ ସବୁ ସ୍ବପ୍ନ ଚୂର୍‌ମାର୍‌ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ଏହି ଗ୍ୟାଙ୍ଗ୍‌ ଗଞ୍ଜାମ ଜିଲ୍ଲାର ଜରଡ଼ା, ପାତ୍ରପୁର, ଚିକିଟି, କୋଦଳା ଓ ଭଞ୍ଜନଗର ଆଦି ଆଞ୍ଚଳରେ ଲୁଟ୍‌ତରାଜ୍‌ ଆରମ୍ଭ କରିଦେଇଥିଲେ। ଗତ ୧୧ ତାରିଖ ସକାଳ ୬ଟାରେ ଏହି ତିନିଜଣିଆ ଗ୍ୟାଙ୍ଗ୍‌ ଗଞ୍ଜାମ ଜିଲ୍ଲା ସୋରଡ଼ା ସହର ବଡ଼ଦାଣ୍ଡସାହିରେ ରହୁଥିବା ବ୍ୟବସାୟୀ ଦୀନବନ୍ଧୁ ଚୌଧୁରୀଙ୍କ ଘରେ ଘଣ୍ଟାଏ କାଳ ଦୀନବନ୍ଧୁଙ୍କ ଘରେ ଆତଙ୍କ ଖେଳାଇଥିଲେ। ସମସ୍ତ ପରିବାରସଦସ୍ୟଙ୍କୁ ବାନ୍ଧିଦେଇ ବନ୍ଧୁକ ମୁନରେ ୧୮୦ ଗ୍ରାମ୍ ସୁନାଅଳଙ୍କାର, ସାଢ଼େ ୪ ଲକ୍ଷ ଟଙ୍କା ଓ ତିନିଟି ମୋବାଇଲ୍ ନେଇଯାଇଥିଲେ। ଏହି ଘଟଣା ସମଗ୍ର ଗଞ୍ଜାମ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହାପୂର୍ବରୁ କେତେକ ଘଟଣାରେ ଏହି ଗ୍ୟାଙ୍ଗ୍‌ ପୁଲିସର ଟାର୍ଗେଟ୍‌ରେ ରହିଥିଲା। ଗତମାସ ୨୪ ତାରିଖରେ ବିଭୂତିଆ ଜଙ୍ଗଲ ମଙ୍ଗଳାମନ୍ଦିର ନିକଟରେ ବାଇକ୍‌ ଆରୋହୀଙ୍କଠାରୁ ସୁନା ଅଳଙ୍କାର ଓ ମୋବାଇଲ ଲୁଟ୍ କରିଥିଲେ ଏହି ଗ୍ୟାଙ୍ଗ୍‌। ଗତ ୧୧ ତାରିଖରେ ସେମାନେ ସୋରଡ଼ା ସହର ବଡ଼ଦାଣ୍ଡସାହିରେ ରହୁଥିବା ବ୍ୟବସାୟୀ ଦୀନବନ୍ଧୁ ଚୌଧୁରୀଙ୍କ ଘରେ ପଶି ବଡ଼ଧରଣର ଲୁଟ୍ ଯୋଜନାକୁ ରୂପ ଦେବାରେ ସଫଳ ହୋଇଥିଲେ।

ଆସିକା ଏସ୍‌ଡିପିଓଙ୍କ ତତ୍ତ୍ବାବଧାନରେ ଗଠିତ ବିଭିନ୍ନ ପୁଲିସ ଟିମ୍ ଶେଷରେ ୩ଜଣ ଅଭିଯୁକ୍ତଙ୍କୁ କାବୁ କରିଛନ୍ତି। ସେମାନଙ୍କଠୁ ୧୬୭ ଗ୍ରାମ୍ ସୁନାଅଳଙ୍କାର, ଗୋଟିଏ ନୂଆ କାର୍, ଗୋଟିଏ ବାଇକ୍, ଦୁଇଟି ମୋବାଇଲ୍, ଦୁଇଟି ଖେଳଣା ବନ୍ଧୁକ, ଗୋଟିଏ ଛୁରୀ, ଦୁଇଟି ନକଲି ନମ୍ବର ପ୍ଲେଟ୍, ୨୮୫ ଗ୍ରାମ୍ ନକଲି ନକଲି ଅଳଙ୍କାର ଓ ୬୨ହଜାର ୯୨୫ ଟଙ୍କା ଜବତ ହୋଇଛି। ସେହିପରି ସୁଧାଂଶୁର ବ୍ୟାଙ୍କ୍ ଆକାଉଣ୍ଟ୍‌ରେ ଥିବା ୨ ଲକ୍ଷ ୨୭ ହଜାର ଟଙ୍କାକୁ ପୁଲିସ ଫ୍ରିଜ୍ କରିବା ସହ ୨୫ ଭରି ସୁନାଅଳଙ୍କାର ଓ ଆସିକା ମନପୁରମ ଗୋଲ୍‌ଡ ଲୋନ୍‌ରେ ବନ୍ଧକ ଥିବା ସୁନା ଅଳଙ୍କାର ସବୁ ଜବତ କରିଥିବା ଜଣାପଡ଼ିଛି। କେସ୍ ନମ୍ବର ୨୬୫ ଅନୁସାରେ ମାମଲା ରୁଜୁ ସହ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ ଓ ସୋରଡ଼ା ଥାନାଧିକାରୀ ରମେଶ କୁମାର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର