ଦର୍ଶକମାନଙ୍କ ଦିଲ୍‌ ଜିତିଲେ ଭାରତୀୟ ଦଳ

ରାଉରକେଲା: ଶାନ୍ତିଶୃଙ୍ଖଳାର ସହ ଶେଷ ‌ହୋଇଛି ପ୍ରଥମ ଦିନର ମ୍ୟାଚ୍‌। ସର୍ବବୃହତ ହକି ଷ୍ଟାଡିୟମରେ ୱେଲ୍‌ସ- ଇଂଲଣ୍ଡ ଓ ଭାରତ-ସ୍ପେନ୍‌ ମ୍ୟାଚ୍‌ର ଭରପୁର ମଜା ଉଠାଇଛନ୍ତି ହଜାର ହଜାର ଦର୍ଶକ। ପ୍ରଥମ ମ୍ୟାଚ୍‌ ( ୱେଲ୍‌ସ-ଇଂଲଣ୍ଡ) ଦର୍ଶକମାନଙ୍କୁ ସେତେଟା ମଜା ଦେଇନଥିଲା। ଦ୍ବିତୀୟ ମ୍ୟାଚ୍‌ (ଭାରତ-‌ସ୍ପେନ)‌ ଶେଷ ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ଭରପୁର ମଜା ଦେଇଥିଲା। ଅମିତ ରୋହିତ ଦାସ, ସଞ୍ଜପ ନୀଲମ୍‌ ଖେସ, ସୁଖବିନ୍ଦରଙ୍କ ସମେତ ଅନ୍ୟ ଭାରତୀୟ ଖେଳାଳୀଙ୍କ ଚିତାକର୍ଷକ ଖେଳ ପ୍ରଦର୍ଶନ ଦର୍ଶକମାନଙ୍କ ଦିଲ୍‌ ଜିତିଥିଲା।

ମ୍ୟାଚ୍‌ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
ଖେଳର ମଜା ଉଠାଇଲେ ବହୁ ମନ୍ତ୍ରୀ ଓ ବିଧାୟକ

ଦର୍ଶକମାନଙ୍କ ‘ଚକ୍‌ ଦେ ଇଣ୍ଡିଆ’, ‘କମ୍‌ ଅନ୍‌ ଇଣ୍ଡିଆ’ ଆଦି ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ପୁରା ଷ୍ଟାଡିୟମ। ଭାରତୀୟ ଦଳର ବିଜୟକୁ ଦର୍ଶକମାନେ ଷ୍ଟାଡିୟମ ଗ୍ୟାଲେରିରେ ଛିଡା ହୋଇ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ-ସ୍ପେନ୍‌ ମ୍ୟାଚ୍‌କୁ ଉଦ୍‌ଘାଟନ କରିଥିଲେ। ଉଭୟ ଭାରତ ଓ ସ୍ପେନ ଦେଶର ଖେଳାଳୀମାନଙ୍କ କରମର୍ଦ୍ଦନ କରିଥିଲେ। ଦର୍ଶକମାନଙ୍କୁ ହାତ ହଲାଇ ସ୍ବାଗତ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବହୁ ମନ୍ତ୍ରୀ ଓ ବିଧାୟକ ଭାରତ-ସ୍ପେନ୍‌ ମ୍ୟାଚ୍‌କୁ ବେଶ୍‌ ଉପଭୋଗ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି.କେ. ପାଣ୍ଡିଆନ୍‌ ମଧ୍ୟ ଖେଳ ଦେଖିଥିଲେ। ଖେଳର ଦୁଇଘଣ୍ଟା ପୂର୍ବରୁ ସାଧାରଣ ଦର୍ଶକଙ୍କ ପ୍ରବେଶ ପାଇଁ ଗେଟ୍‌ ନଂ ୨ ଓ ଗେଟ୍‌ ନଂ ୬ ଖୋଲାଯାଇଥିଲା। ଖେଳ ଦେଖିବାକୁ ଦର୍ଶକମାନଙ୍କ ମଧ୍ୟରେ ଏତେ ଜୋସ୍‌ ଥିଲା ଯେ, ଗେଟ୍‌ ଖୋଲିବାର ଦୁଇଘଣ୍ଟା ପୂର୍ବରୁ ଅର୍ଥାତ୍‌ ଅପରାହ୍ନ ୧ଟାରୁ ଉଭୟ ପୁରୁଷ ଓ ମହିଳା ଦର୍ଶକ ଷ୍ଟାଡିୟମ ଭିତରକୁ ପଶିବାକୁ ଧାଡିରେ ଛିଡା ହୋଇଥିଲେ।

ଅପରାହ୍ନ ପ୍ରାୟ ୩ଟାରେ ଗେଟ୍‌ ଖୋଲିବା ମାତ୍ରେ ଦର୍ଶକମାନେ ଷ୍ଟାଡିୟମ ଭିତରକୁ ପଶିବା ଆରମ୍ଭ କରିଥିଲେ। ଦୁଇଟି ଗେଟ୍‌ରେ ଦର୍ଶକଙ୍କ ଏତେ ଭିଡ ଥିଲା ଯେ, କିଛି ଦର୍ଶକ ମ୍ୟାଚ୍‌ ଆରମ୍ଭ ପରେ ଷ୍ଟାଡିୟମ ଗ୍ୟାଲେରିରେ ପହଞ୍ଚିଥିଲେ। ଆସନ୍ତାକାଲି (ଶନିବାର) ଅପରାହ୍ନ ୧ଟାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ-ଚିଲି ଓ ଅପରାହ୍ନ ୩ଟାରେ ଦ୍ବିତୀୟ ମ୍ୟାଚ୍‌ (ନେଦରଲ୍ୟାଣ୍ଡ-ମାଲେସିଆ) ମଧ୍ୟରେ ଖେଳାଯିବ। ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରିବାକୁ ପୁଲିସକୁ ନାକେଦମ୍‌ ହେବାକୁ ପଡିଥିଲା।

ଟିକେଟ୍‌ ଥିବା ଦର୍ଶକମାନେ ଷ୍ଟାଡିୟମକୁ ଆସିବାକୁ ‘ମୋ ବସ୍‌’ର ବ୍ୟବସ୍ଥା କରାଯାଇଥିଲା। ଟିକେଟ୍‌ ଦେଖାଇ ଦର୍ଶକମାନେ ମାଗଣା‌ରେ ‘ମୋ ବସ୍‌’ରେ ଷ୍ଟାଡିୟମ ପର୍ଯ୍ୟନ୍ତ ଆସିଥିଲେ। ଦର୍ଶକମାନଙ୍କ ଗାର୍ଡି ପାକିଂ ଷ୍ଟାଡିୟମ ଚତୁଃପାର୍ଶ୍ବରେ ମୋଟ ୬ଟି ପାର୍କିଂସ୍ଥଳ ଗାଡି ରଖିଥିଲେ। ସାଧାରଣ ଦର୍ଶକମାନଙ୍କ ପାଇଁ ଗେ‌ଟ୍‌ ନଂ ୨ ଓ ୬, ଭିଭିଆଇପିଙ୍କ ପାଇଁ ଗେଟ୍‌ ନଂ ୧ ରହିଥିଲା। ଗେଟ୍‌ ନଂ ୫ରେ ଏଫ୍‌ଆଇଏଚ୍‌ର ଅଫିସିଆଲ, ଏଫ୍‌ଆଇଏଚ୍‌ ଯିବାକୁ ଅନୁମତି ଦିଆଯାଇଥିଲା। ଗେଟ୍‌ ନଂ ୩ରେ ବିଧାୟକ, ସାଂସଦ, ପ୍ରଶାସନିକ ଅଧିକାରୀମାନେ ପ୍ରବେଶ କରିଥିଲେ। ସେହିପରି ଷ୍ଟାଡିୟମ ପରିସରରେ ‘ଓଲି ଲ୍ୟାଣ୍ଡ’କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର