୮୦ଫୁଟ୍‌ ସୁଡ଼ଙ୍ଗରେ ଲୁଚିଥିଲେ ମାଓବାଦୀ: ଏକାସଙ୍ଗେ ଶହେ ଜଣ ମାଓବାଦୀ ରହିପାରିବେ

ପଶିବା ଓ ବାହାରିବା ପାଇଁ ଏକାଧିକ ରାସ୍ତା ରହିଛି, ଏନ୍‌କାଉଣ୍ଟର ପରେ ଧ୍ବଂସକଲେ ସୁରକ୍ଷା ଯବାନ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଆଜି ମାଓବାଦୀଙ୍କୁ ଡବଲ୍‌ ଝଟ୍‌କା ଲାଗିଛି। ଗୋଟିଏପଟେ ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟର୍‌ରେ ବଡ଼ କ୍ଷତି ସହିଥିବା ବେଳେ ଅନ୍ୟପଟେ ଆତ୍ମଗୋପନ ପାଇଁ ସେମାନେ ନିର୍ମାଣ କରିଥିବା ସୁଡ଼ଙ୍ଗକୁ ଧ୍ବଂସ କରାଯାଇଛି। ଏହି ସୁଡ଼ଙ୍ଗର ଲମ୍ବ ୮୦ ଫୁଟ୍‌ ବୋଲି ଜଣାପଡ଼ିଛି। ଦାନ୍ତେୱାଡ଼ା ଜିଲ୍ଲା ଇନ୍ଦ୍ରାବତୀ ନଦୀ ପାର୍ଶ୍ୱରେ ଥିବା ରୋତଡ, ପିଣ୍ଡକାପାଲ, ବୋଡ଼ଗା ଏବଂ ତାକିଲୋଡ ଜଙ୍ଗଲରେ ଆଜି ହାର୍ଡକୋର ମାଓ କମାଣ୍ଡର ମଲେଶଙ୍କ ନେତୃତ୍ବରେ ୨୫ରୁ ୩୦ଜଣ ମାଓବାଦୀ ଠୁଳ ହୋଇଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଦାନ୍ତେୱାଡାରୁ ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଆରପିଏଫ୍‌ ଯବାନ ମିଳିତଭାବେ ଏହି ଶିବିରରେ ହମ୍‌ଲା କରିବାକୁ ଅପରେସନ ଆରମ୍ଭ କରିଥିଲେ। ତେବେ, ସୁରକ୍ଷା କର୍ମୀଙ୍କ ଗତିବିଧି ଉପରେ ନଜର ରଖିଥିବା ମାଓବାଦୀ ପୂର୍ବରୁ ହିଁ ଆମ୍ବୁସ୍‌ ଲଗାଇ ବସିଥିଲେ। ସୁରକ୍ଷା କର୍ମୀ ଇନ୍ଦ୍ରାବତୀ ନଦୀ ପାର୍‌ହେବା ମାତ୍ରେ ଆକ୍ରମଣ କରିଥିଲେ। ଯାହାର ଜବାବ ଦେବାକୁ ସୁରକ୍ଷା କର୍ମୀ ସଂପୂର୍ଣ୍ଣ ପ୍ରସ୍ତୁତ ଥିଲେ ଏବଂ ପ୍ରଚଣ୍ଡ ଆକ୍ରମଣ କରିଥିଲେ। ପ୍ରାୟ ୨୫ମିନିଟ୍‌ ଧରି ଘଟଣାସ୍ଥଳରେ ଗୁଳି ବିନିମୟ ହୋଇଥିଲା। ମାଓବାଦୀ ସ୍ଥାନ ଛାଡ଼ିବା ପରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପେରସନ ସମୟରେ ରକ୍ତ ଦାଗ ଦେଖିବାକୁ ପାଇଥିଲେ। ତେଣୁ ବହୁ ସଂଖ୍ୟାରେ ମାଓବାଦୀଙ୍କୁ ଗୁଳି ବାଜିଥିବା ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ, ଫେରିବା ରାସ୍ତାରେ ସୁରକ୍ଷା କର୍ମୀ ୪ଟି ସହିଦ ସ୍ତମ୍ଭକୁ ଭାଙ୍ଗି ଦେଇଥିଲେ। ଏହାପରେ ଯେଉଁ ଦୃଶ୍ୟ ଯବାନ ଦେଖିଥିଲେ କେବଳ ଚକିତ କରିନଥିଲା, ମାଓବାଦୀଙ୍କ ପରିବର୍ତ୍ତିତ ରଣନୀତିକୁ ଉନ୍ମୋଚିତ କରିଥିଲା। ଦ‌ାନ୍ତେୱାଡ଼ା-ବିଜାପୁର ଜିଲ୍ଲା ସୀମାନ୍ତରେ ଗୋଟିଏ ସ୍ଥାନକୁ ପତ୍ରରେ ଘୋଡ଼ାଇବାକୁ ଚେଷ୍ଟା କରିଥ‌ିଲେ ମାଓବାଦୀ। ପତ୍ର ହଟାଇଲା ବେଳକୁ ବଡ଼ ଗାତ ଠାବ ହୋଇଥିଲା। ସତର୍କତାର ସହ ସୁରକ୍ଷା କର୍ମୀ ଗାତ ଭିତରେ ପଶିଥିଲେ। ମାଟି ତଳେ ଆତ୍ମଗୋପନ କରିବାକୁ ୮୦ଫୁଟ୍‌ ସୁଡ଼ଙ୍ଗ ମାଓବାଦୀ ଖୋଳିଥିବା ଦେଖିବାକୁ ମିଳିଥିଲା। ୧୦ଫୁଟ୍‌ ଉଚ୍ଚ ଏବଂ ୩ଫୁଟ୍‌ ଓସାର ବିଶିଷ୍ଟ ସୁଡ଼ଙ୍ଗରେ ଏକାସଙ୍ଗେ ଶହେ ଜଣ ମାଓବାଦୀ ରହିପାରିବେ। ସେହିପରି ସୁଡ଼ଙ୍ଗରେ ପଶିବା ଏବଂ ବାହାରିବା ପାଇଁ ଏକାଧିକ ରାସ୍ତା ରହିଛି। ପ୍ରାୟ ଗୋଟିଏ ମାସ ସମୟ ମଧ୍ୟରେ ଏବଂ ୩ମାସ ତଳେ ସୁଡ଼ଙ୍ଗକୁ ନିର୍ମାଣ କରିଥିଲେ ବୋଲି ଯାଞ୍ଚ୍‌ରୁ ଜଣାପଡ଼ିଛି। ଏ ସମ୍ପର୍କରେ ଏଏସ୍‌ପି ଆର.କେ ବର୍ମନ କହିଛନ୍ତି, ୪୦ବର୍ଷ ଧରି ବସ୍ତର ଅଞ୍ଚଳରେ ମାଓବାଦୀ ସକ୍ରିୟ ରହିବା ସହ ସୁରକ୍ଷା କର୍ମୀଙ୍କ କ୍ଷତି ଘଟାଇବା ପାଇଁ ବାରମ୍ବାର ରଣନୀତିରେ ପରିବର୍ତ୍ତନ କରୁଛନ୍ତି। ଏହି ସୁଡ଼ଙ୍ଗ ନୂଆ ରଣନୀତିର ଅଂଶବିଶେଷ।ପୂର୍ବରୁ ଆତଙ୍କବାଦୀ ସଂଗଠନ ଗୁଡ଼ିକ ହିଂସା ଘଟାଇ ସୁଡ଼ଙ୍ଗରେ ଲୁଚିବାର ନିଜର ରହିଛି। ପ୍ରଥମ ଥର ମାଓବାଦୀ ଲୁଚିବା, ଅସ୍ତ୍ରଶସ୍ତ୍ର ଓ ରାସନ ରଖିବା ପାଇଁ ବଙ୍କର ନିର୍ମାଣ କରିବାର ପ୍ରମାଣ ମିଳିଛି। ଯାହାକୁ ସୁରକ୍ଷା କର୍ମୀ ଧ୍ବଂସ କରିଥିବା ଏଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର