ରାଉରକେଲାରେ ହେବ ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ଉତ୍ସବ

୫ଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା

ରାଉରକେଲା: ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପ୍‌ ପରିପ୍ରେକ୍ଷୀରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ରାଜ୍ୟ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଆଜି ରାଉରକେଲାରେ ପହଞ୍ଚିଛନ୍ତି। ଏହି ପ୍ରତିନିଧି ଦଳ ରାଉରକେଲା ଷ୍ଟାଡିୟମ୍‌ କମିଟି ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାସହ ନିର୍ମାଣାଧୀନ ଷ୍ଟାଡିୟମର ଅଗ୍ରଗତି, ପାରିପାର୍ଶ୍ବିକ ଅଞ୍ଚଳର ସୌନ୍ଦର୍ଯ୍ୟୀକରଣ, ଆଲୋକବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ଏହାସହ ବାକି ଥିବା କାମକୁ ଯଥାଶୀଘ୍ର ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରତିନିଧି ଦଳ ଷ୍ଟାଡିୟମର ଭିତ୍ତିଭୂମି, ଖେଳାଳିଙ୍କ ରହଣୀସ୍ଥଳ, ଷ୍ଟାଡିୟମ୍‌ ପରିସରସ୍ଥ ରାସ୍ତା ଘାଟ, ଶୌଚାଳୟ, ଆନୁସଙ୍ଗିକ ବ୍ୟବସ୍ଥା ଏବଂ ବିପିୟୁଟି ପରିସରର ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ଇଡ‌୍‌କୋ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲା। ଏହାସହ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଷ୍ଟାଡିୟମ୍‌ ଚତୁଃପାର୍ଶ୍ବ ଅଞ୍ଚଳର ରାସ୍ତା ଘାଟ, ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ନେଇ ସମୀକ୍ଷା କରିଥିଲେ। ଏତଦ୍‌ବ୍ୟତୀତ ଷ୍ଟାଡିୟମ ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥା ସମେତ ହୋଟେଲ, ବିଭିନ୍ନ ହସ୍ପିଟାଲ, ଆକର୍ଷଣୀୟ ସ୍ଥଳଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପୁଲିସ ଓ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ହକି ଇଣ୍ଡିଆ ସଭାପତି, କ୍ରୀଡ଼ା ସଚିବଙ୍କ ରାଉରକେଲା ଗସ୍ତ

ଜିଲ୍ଲା ପ୍ରଶାସନ ସହ ଆଲୋଚନା, ଅଗ୍ରଗତି ସମୀକ୍ଷା

ବିଶ୍ବକପ୍‌ ସମୟରେ ମ୍ୟାଚ୍‌ ଦିନ ଡାକ୍ତର, ସହାୟକ କର୍ମଚାରୀ, ଆମ୍ବୁଲାନ୍ସ ବ୍ୟବସ୍ଥା ମହଜୁଦ ରହିବ। ଆବଶ୍ୟକସ୍ଥଳେ ଇସ୍ପାତ ଜେନେରାଲ ହସ୍ପିଟାଲକୁ ମଧ୍ୟ ବ୍ୟବହାର କରିବାକୁ ଯୋଜନା ରହିଛି। ଏ ନେଇ ସେଲ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇସାରିଛି। ଷ୍ଟାଡିୟମ୍‌ ଆଖପାଖ ଅଞ୍ଚଳରେ ୫ଟି ପାର୍କିଂ ସ୍ଥଳ ରହିବ। ଏହାର ବିକାଶ କାର୍ଯ୍ୟ ବେଗ ଧରିଥିବାବେଳେ ଖୁବଶୀଘ୍ର ସମ୍ପନ୍ନ କରି ବ୍ୟବହାର ଉପଯୋଗୀ କରାଯିବ। ପାର୍କିଂ ସ୍ଥଳ ଓ ଅନ୍ୟାନ୍ୟ ସ୍ଥାନରେ ଆବଶ୍ୟକୀୟ ସଂଖ୍ୟକ ଶୌଚାଳୟ, ପିଇବା ପାଣିର ବ୍ୟବସ୍ଥା, ଆଲୋକୀକରଣ କରାଯିବ। ସହରର ବିଭିନ୍ନ ପ୍ରବେଶପଥ, ରାସ୍ତାକଡ଼, ଷ୍ଟାଡିୟମ୍‌ ପରିସର ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣସ୍ଥାନରେ ଆଲୋକୀକରଣ ମାଧ୍ୟମରେ ସୌନ୍ଦର୍ଯ୍ୟ ବୃଦ୍ଧି କରାଯିବ।

ବିଶ୍ବକପ୍‌ ମ୍ୟାଚ୍‌ ସମୟରେ ଯେଭଳି ନିରବିଚ୍ଛିନ୍ନ ବିଦ୍ୟୁତ ସରବରାହ ହେବ, ସେଥିପାଇଁ ସହ ଷ୍ଟାଡିୟମ୍‌ ପରିସରରେ ବିଦ୍ୟୁତ୍ ବିଭାଗର ବୈଷୟିକ କର୍ମଚାରୀ ନିୟୋଜିତ ରହିବେ। ରାଉରକେଲାରେ ହିଁ ଚଳିତ ବିଶ୍ବକପ‌୍‌ର ପ୍ରଥମ ମ୍ୟାଚ୍‌ ଓ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବକୁ ସ୍ମରଣୀୟ ତଥା ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆଲୋଚନାରେ ରାଉରକେଲା ହକି ବିଶ୍ବକପ୍‌ର ସ୍ବତନ୍ତ୍ର ଅଧିକାରୀ ତଥା ଇଡ‌୍‌କୋ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ, ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ପରାଗ ହର୍ଷଦ ଗାଭାଲି, ରାଉରକେଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ରାଉରକେଲା ଅତିରିକ୍ତ ଜିଲ୍ଳାପାଳ ତଥା ମହାନଗର ନିଗମ ଆୟୁକ୍ତ  ଡା. ଶୁଭଙ୍କର ମହାପାତ୍ରଙ୍କ ସମେତ ଇଡ‌୍‌କୋ, ବିପିୟୁଟି, ହକି ଇଣ୍ଡିଆ, ଟାଟା ପାଓ୍ବାର, ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ଅଧିକାରୀ, କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର