ସମ୍ବଲପୁର ବିଶ୍ବବିଦ୍ୟାଳୟ ଯୁକ୍ତ ତିନି ଫଳାଫଳ ନିରୁତ୍ସାହଜନକ

ରାଉରକେଲା: ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିଚାଳିତ ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି। ତେବେ ପୂର୍ବବର୍ଷ ତୁଳନାରେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଫଳ ଅପେକ୍ଷାକୃତ କମ୍‌ ରହିଛି। ପୂର୍ବ ବର୍ଷ ଗୁଡ଼ିକରେ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଭିନ୍ନ ଭିନ୍ନ ବିଷୟବସ୍ତୁରେ ବିଶ୍ବବିଦ୍ୟାଳୟ ଟପ୍ପର୍‌ ହେଉଥିଲେ। ସେହି ଅନୁପାତରେ ଏଥର କିନ୍ତୁ ଏହା ଦେଖିବାକୁ ମିଳିନି। କେବଳ ସଂସ୍କୃତ ଓ ଭୂତତ୍ତ୍ବବିଜ୍ଞାନରେ ଜିଲ୍ଲାର ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ଟପ୍ପର ହୋଇଛନ୍ତି। ଅବଶ୍ୟ, ଶ୍ରେଷ୍ଠ ୧୦ ତାଲିକାରେ କିଛି ଛାତ୍ରଛାତ୍ରୀ ଅଛନ୍ତି; କିନ୍ତୁ ସଂଖ୍ୟା ଢ଼େର୍‌ କମ୍‌।

ସଂସ୍କୃତ ସମ୍ମାନରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ସୁଚିସ୍ମିତା ଧର ସିଜିପିଏ ୯.୩୨ ସହ ବିଶ୍ବବିଦ୍ୟାଳୟ ଟପ୍ପର୍‌ ହୋଇଥିବାବେଳେ ଏହି କଲେଜର ଅର୍ପିତା ପଣ୍ଡା(ସିଜିପିଏ ୯.୧୮) ଚତୁର୍ଥ ସ୍ଥାନରେ ରହିଛନ୍ତି। ଭୂତତ୍ତ୍ବବିଜ୍ଞାନରେ ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ଶ୍ରେଷ୍ଠ ଦଶରେ ରହିଛନ୍ତି। ସରକାରୀ ମହାବିଦ୍ୟାଳୟର ଗାୟତ୍ରୀ ପ୍ରିୟଦର୍ଶିନୀ ବେହେରା(ସିଜିପିଏ ୯.୨୦) ସହ ବିଶ୍ବବିଦ୍ୟାଳୟ ଟପ୍ପର ହୋଇଥିବାବେଳେ ରାଉରକେଲାର ଏକ ବେସରକାରୀ କଲେଜର ଛାତ୍ର ଦ୍ବିତୀୟ, ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଅଂଶୁମାନ ପତି(୯.୦୫) ତୃତୀୟ, ସୁନ୍ଦରଗଡ଼ ମହିଳା ମହାବିଦ୍ୟାଳୟର ଓଜସ୍ବିନୀ ସାହୁ(୯.୦୩) ଚତୁର୍ଥ, ସରକାରୀ ମହାବିଦ୍ୟାଳୟର ମାନସ ରଞ୍ଜନ ରଣା(୮.୯୯) ପଞ୍ଚମ, ପୁଷ୍ପାଞ୍ଜଳି ଖୁଣ୍ଟିଆ(୮.୯୭) ଷଷ୍ଠ, ସିଜିପିଏ ୮.୯୫ ସହ ବଣାଇଁଗଡ଼ କଲେଜର ଅଭିଶେକ ସାହୁ ଓ ସରକାରୀ ମହାବିଦ୍ୟାଳୟର ଜଗଦୀଶ ପ୍ରସାଦ ସାହୁ ଯୁଗ୍ମଭାବେ ସପ୍ତମ ଏବଂ ଶୁଭମ ପ୍ରସାଦ ମହାନ୍ତ(୮.୮୮), ‌ହେଲେନ କୁମାର ପ୍ରଧାନ(୮.୮୬) ଓ ଦେବାଶିଷ ପରିଡ଼ା(୮.୮୪) ଯଥାକ୍ରମେ ଅଷ୍ଟମ, ନବମ ଓ ଦଶମ ସ୍ଥାନରେ ରହିଛନ୍ତି। ବାଣିଜ୍ୟରେ ସ୍ଥାନୀୟ ମ୍ୟୁନିସିପାଲ କଲେଜର ଛାତ୍ରଛାତ୍ରୀ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି। କଲେଜର ଶ୍ବେତା ପଣ୍ଡା(୯.୧୩) ଚତୁର୍ଥ ସ୍ଥାନରେ ଥିବାବେଳେ ଲୋକେଶ ଚୌଧୁରୀ(୯.୦୩) ସପ୍ତମ, ବିଷ୍ଣୁପ୍ରୀୟା ସୁବୁଦ୍ଧି(୯.୦୨) ଅଷ୍ଟମ ସ୍ଥାନରେ ରହିଛି। ଗଣିତ ସମ୍ମାନରେ ସ୍ଥାନୀୟ ଏକ ବେସରକାରୀ କଲେଜର ପଲ୍ଲବୀ ଗୁପ୍ତା ଓ ରୀତୁ ସିଜିପିଏ ୯.୩୧ ସହ ତୃତୀୟ ସ୍ଥାନରେ ରହିଥିବାବେଳେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଈଶା ସୁପକାର(୯.୨୦) ପଞ୍ଚମ ଓ ଦୀପିକା ଖାଖା(୮.୯୬) ଦଶମ ସ୍ଥାନରେ ଅଛନ୍ତି। ଅର୍ଥନୀତି ସମ୍ମାନରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ସିଜିପିଏ ୮.୬୨ ସହ ଓମିତା ନାୟକ ଓ ପ୍ରିୟଙ୍କା ସାହୁ ଅଷ୍ଟମ ସ୍ଥାନରେ ରହିଛନ୍ତି।

ଗୃହବିଜ୍ଞାନ ସମ୍ମାନରେ ସୁନ୍ଦରଗଡ଼ ମହିଳା ମହାବିଦ୍ୟାଳୟର ଜୟଶ୍ରୀ ବେହେରା(ସିଜିପିଏ ୮.୨୩) ନବମ ସ୍ଥାନରେ ଥିବାବେଳେ ଦର୍ଶନଶାସ୍ତ୍ରରେ ରାଜଗାଙ୍ଗପୁର ଡାଲମିଆ କଲେଜର ସୁଶାନ୍ତ ସଏ(ସିଜିପିଏ ୮.୪୩) ସପ୍ତମ ସ୍ଥାନରେ, ସମାଜ ଶାସ୍ତ୍ର ସମ୍ମାନରେ ପଞ୍ଚାୟତ ସମିତି ଡିଗ୍ରି ସାଇନ୍ସ କଲେଜ(ଭେଡ଼ାବାହାଲ)ର ଶୋଭାରାଣୀ ଖେସ୍‌(ସିଜିପିଏ ୭.୯୨) ତୃତୀୟ ଓ ଏହି କଲେଜର ପ୍ରତୀମା ଏକ୍କା(ସିଜିପିଏ ୭.୮୫) ନବମ, ମନୋବିଜ୍ଞାନରେ ରାଉରକେଲାସ୍ଥ ସୁଶୀଳାବତୀ ମହିଳା ମହାବିଦ୍ୟାଳୟର ମାନସୀ ପଟେଲ(ସିଜିପିଏ ୮.୧୯) ନବମ ଓ ସନ୍ଧ୍ୟାରାଣୀ ମହାନ୍ତି(ସିଜିପିଏ୮.୧୫) ଦଶମ ସ୍ଥାନରେ ଅଛନ୍ତି। ପଦାର୍ଥ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନରେ ବେସରକାରୀ କଲେଜର ଛାତ୍ରଛାତ୍ରୀ ଶ୍ରେଷ୍ଠ ଦଶ ଭିତରେ ଥିବାବେଳେ ସରକାରୀ କଲେଜର ଗୋଟିଏ ବି ଛାତ୍ରଛାତ୍ରୀ ନାହାନ୍ତି।

ଶିକ୍ଷା କ୍ଷେତ୍ରରେ ଚଳିତବର୍ଷ ଆଶାନୁରୂପ ଫଳାଫଳ ମିଳିନି। କେବଳ ମାଟ୍ରିକ୍‌ରେ ଜିଲ୍ଲାର ଛାତ୍ରଛାତ୍ରୀ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାବେଳେ ଯୁକ୍ତ ଦୁଇ ଓ ଯୁକ୍ତି ତିନିରେ ଫଳାଫଳ ଅପେକ୍ଷାକୃତ କମ୍‌ ରହିଛି। ମାଟ୍ରିକ୍‌ରେ ଏବର୍ଷ ଜିଲ୍ଲାର ପାସ୍‌ ହାର ୯୭.୩୯ ପ୍ରତିଶତ ରହିଥିଲା। ତେବେ ଯୁକ୍ତ ଦୁଇରେ ଫଳ ଢ଼େର୍‌ କମ ରହିଥିଲା। ବିଜ୍ଞାନରେ ଜିଲ୍ଲାର ପାସ୍‌ହାର ୬୮.୫୮% ଥିବାବେଳେ ବାଣିଜ୍ୟରେ ୭୭.୮୭%, କଳାରେ ୭୮.୬୩% ଓ ଧନ୍ଦାମୂଳକ ଶିକ୍ଷାରେ ପାସ୍‌ହାର ୬୯.୭୮% ରହିଥିଲା।

ସମ୍ବନ୍ଧିତ ଖବର