ମେସ୍କୋ କାରଖାନାରୁ ଚୋରି, ୬ ଗିରଫ

ଦାନଗଦୀ, : କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଇସ୍ପାତ କାରଖାନାରୁ ଚୋରି ଅଭିଯୋଗରେ ରବିବାର କଳିଙ୍ଗନଗର ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କଳିଙ୍ଗନଗର ଥାନା ଅନ୍ତର୍ଗତ ସାରଙ୍ଗପୁର ଅଞ୍ଚଳର ଜଳଧର ମୁଣ୍ତା(୨୬), ଶଙ୍କର୍ଷଣ ଜେନା(୩୪), ସୁରେନ୍ଦ୍ର ବିରୁଆ(୨୧), କଟକ ମାଛପୁର ଅଞ୍ଚଳର ସୀତାରାମ କାଲା(୨୧), ଯାଜପୁରରୋଡ ଥାନା ଅନ୍ତର୍ଗତ ଓଲଳ ଅଞ୍ଚଳର ତ୍ରିଲୋଚନ ଜେନା (୫୦) ଓ ଜଗତସିଂପୁର ନୂଆଗାଁ ଅଞ୍ଚଳର କ୍ଷୀରୋ ଓଝା(୪୦)। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ୧୫୦ କେଜି ତମ୍ବାତାର ଜବତ କରାଯିବା ସହ ତାର କାଟିବା ନିମନ୍ତେ ବ୍ୟବହୃତ ରେଞ୍ଚି ଓ କଟର ଜବତ କରାଯାଇଛି।

ଅଭିଯୋଗ ଅନୁଯାୟୀ, ମେସ୍କୋ କାରଖାନା ପରିସରରେ ଥିବା ଆରଏମଏଚଏସ ମଧ୍ୟରୁ ଗତ ଜୁଲାଇ ମାସ ୨୩ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଚୋରି କରିଥିଲେ। ପ୍ରାୟ ୬ ଲକ୍ଷ ଟଙ୍କା ମୂଲ୍ୟର ୪ଶହ କେଜିରୁ ଊର୍ଦ୍ଧ୍ବ ତମ୍ବା ତାର ଓ ଟ୍ରାନ୍ସଫର୍ମରକୁ ଅଭିଯୁକ୍ତମାନେ ଚୋରି କରି ନେଇଥିବା କାରଖାନାର ସୁରକ୍ଷା ଅଧିକାରୀ ସୁରଜ ପ୍ରକାଶ ସିଂ କଳିଙ୍ଗନଗର ଥାନାରେ ଅଭିଯୋଗ କରିଥିଲେ। କଳିଙ୍ଗନଗର ଥାନା କେସ୍‌ ନମ୍ବର ୧୮୧/୨୧ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିଲା। ଗତକାଲି ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନାଁରେ ପୂର୍ବରୁ ଅନେକ ସଙ୍ଗିନ ମାମଲା ରହିଥିବା କଳିଙ୍ଗନଗର ଥାନାଧିକାରୀ ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର