ବାଘ ମୃତ୍ୟୁ ଘଟଣା: ଓଡ଼ିଶା ସୀମାନ୍ତରେ ହୋଇଛି ମହାବଳ ଶିକାର

ଓଡ଼ିଶା-ଛତିଶଗଡ଼ ବନ ବିଭାଗର ଛାନଭିନ ପରେ ସ୍ପଷ୍ଟ, କଙ୍କାଳ ଜବତ

ନୂଆପଡ଼ା : ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ସୁନାବେଡ଼ା ଓ ଉଦନ୍ତୀ ଅଭୟାରଣ୍ୟରେ ମହାବଳ ବାଘ ଶିକାର କରାଯାଇଥିଲା। ଖଡ଼ିଆଳ ବନ ବିଭାଗ ମୃତ ବାଘଟି ଛତିଶଗଡ଼ ଅ‌ଞ୍ଚଳର ବୋଲି କହୁଥିବା ବେଳେ ଛତିଶଗଡ଼ ବନ ବିଭାଗ ଓଡ଼ିଶାର ବାଘ ବୋଲି କହୁଥିଲା। ଅନ୍ୟପକ୍ଷରେ ଶୁକ୍ରବାର ଉଭୟ ରାଜ୍ୟର ବନ ବିଭାଗ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ମହାବଳ ବାଘର କଙ୍କାଳ ଜବତ କରିଛନ୍ତି। ଏଥିସହ ଓଡ଼ିଶା ସୀମାରେ ବାଘର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।

ପ୍ରକାଶ ଯେ କିଛିଦିନ ତଳେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସୀମାନ୍ତ ସୁନାବେଡ଼ା ଓ ଉଦନ୍ତୀ ଅଭୟାରଣ୍ୟ ଅଞ୍ଚଳରେ ଶିକାରୀମାନେ ଏକ ମହାବଳ ବାଘ ଶିକାର କରି ଛାଲ, ଦାନ୍ତ, ନଖ ନେଇ ଯାଇଥିଲେ। ଗତ ୩ ତାରିଖ ଉଦନ୍ତୀ ଅଭୟାରଣ୍ୟ ଉପନିର୍ଦ୍ଦେଶକ ଅନୁଜ ଜୈନଙ୍କ ନେତୃତ୍ବରେ ଓଡ଼ିଶା ଓ ଛତିଶଗଡ଼ ବନ ବିଭାଗର ୨୦ ଜଣିଆ ଟିମ ଖଡ଼ିଆଳ ବନଖଣ୍ତ ଅଧୀନ ଅ‌ଞ୍ଚଳରେ ଛାନଭିନ କରିଥିଲା। ପ୍ରଥମେ ବୋଡ଼େନ ଥାନା ଖଡୁପାଣି ଗାଁରେ ଚଢ଼ଉ କରି ଜଣେ ଶିକାରୀଙ୍କ ଘରୁ ଏକ ଛୋଟ ବାଘଛାଲ, ନଖ, ଦାନ୍ତ, ଫାସ (ଲୁହାତାରଜାଲି), ଧନୁତୀର ଜବତ କରାଯାଇଥିଲା। ଲଗାତାର ୩ ଦିନ ଧରି ଉଭୟ ରାଜ୍ୟର ମିଳିତ ବନ ବିଭାଗ ଟିମ୍‌ ଚିକଲଚୁଆଁ, ପାଟଦର୍ହା, ଭାଲୁଡୁଙ୍ଗରି ଗାଁରେ ଚଢ଼ଉ କରି ବହୁ ତଥ୍ୟ ସଂଗ୍ରହ କରିଥିଲା। ପରେ ବାଘ ଶିକାର ଅଭିଯୋଗରେ ୫ ଜଣ ଶିକାରୀଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଏବେ ମୃତ ବାଘଟି କାହାର ସେନେଇ ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଥିଲା। ତେବେ ଉଭୟ ରାଜ୍ୟ ବନ ବିଭାଗ ତତ୍ପରତା ଦେଖାଇ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ଶୁକ୍ରବାର ପୂର୍ବାହ୍ନରେ ଖଡ଼ିଆଳ ବନଖଣ୍ତ ଡିଏଫ୍‌ଓ ସୁଶୀଳ ତ୍ରିପାଠୀଙ୍କ ନେତୃତ୍ବରେ ଏସିଏଫ୍‌ ଶିବପ୍ରସାଦ ରଥ, ଖଡ଼ିଆଳ ରେଞ୍ଜର ସଂସ୍କୃତି ବଡ଼ନାୟକ, ସିନାପାଲି ରେଞ୍ଜର ମୁରାରୀ ପ୍ରସାଦ ପଣ୍ତା, କୋମନା ରେଞ୍ଜର ଦେବଦତ୍ତ ସୁତାର, ନୂଆପଡ଼ାର ବିନିତା ଭୋଇ ପ୍ରମୁଖଙ୍କୁ ନେଇ ଗଠିତ ଟିମ୍‌ ବୋଡ଼େନ ଥାନା ପାଟଦର୍‌ହା ଅଞ୍ଚଳରେ ପହଞ୍ଚିଥିଲେ। ଏହି ଟିମ୍‌ ଜଣେ ବ୍ୟକ୍ତିଙ୍କୁ ଧରି ପାଟଦର୍‌ହା ଅ‌ଞ୍ଚଳର କରକପାଣି ଗାଁ ନିକଟ ସୁନାଧଁସଠାରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ଗରିଆବନ୍ଦ ଜିଲ୍ଲା ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ପ୍ରକଳ୍ପ ଡେପୁଟି ଡାଇରେକ୍ଟର ବରୁଣ ଜୈନଙ୍କ ନେତୃତ୍ବରେ ଏସିଏଫ୍‌ ଓ ରେଂଜରଙ୍କୁ ନେଇ ଗଠିତ ଟିମ ମଧ୍ୟ ଘଟଣାସ୍ଥଳରେ ପହ‌ଞ୍ଚିଥିଲା। ସେଠାରୁ ଜଣେ ବ୍ୟକ୍ତିଙ୍କ ଘରୁ କିଛି ହାଡ଼ କଙ୍କାଳ ଜବତ କରାଯାଇ ଖଡ଼ିଆଳ ବନଖଣ୍ତ ଅଫିସକୁ ଅଣାଯାଇଛି। ଏହି ହାଡ଼ କଙ୍କାଳ ଫରେନ୍‌ସିକ୍‌ ଟେଷ୍ଟ ପାଇଁ ପଠାଯିବ ବୋଲି ସୂଚନା ଦିଆଯାଇଛି। ପରେ ଉଭୟ ଟିମ୍‌ ବାଘଟି ମରିଥିବା ସ୍ଥାନ ପରିଦର୍ଶନ କରିଥିଲେ। ତେବେ ବାଘର ମୃତ୍ୟୁ ଛତିଶଗଡ଼ରେ ନୁହେଁ ଓଡ଼ିଶା ସୀମାନ୍ତରେ ହୋଇଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର