ସମୁଦ୍ରର ଉତ୍ତାଳ ରୂପ : ବେଳାମାର୍ଗ ରାସ୍ତାକୁ ମାଡ଼ିଆସିଲା ଜୁଆର

ପୁରୀ : ଗତ ତିନ ଦିନ ହେଲା କୂଳ ଲଙ୍ଘୁଥିବା ସମୁଦ୍ର ଆଜି ଭୟଙ୍କର ରୂପ ଦେଖାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବା ସହ ବେଳାଭୂମିରେ ସୁଉଚ୍ଚ ଜୁଆର ମାଡ଼ କରିଛି। ସମୁଦ୍ରର ଏହି ଉତ୍ତାଳ ରୂପ ଦେଖି କେବଳ ପର୍ଯ୍ୟଟକ ନୁହନ୍ତି, ସ୍ଥାନୀୟ ବାସିନ୍ଦା ବି ଶଙ୍କାରେ ପଡ଼ିଲେଣି। ସ୍ବର୍ଗଦ୍ବାର ସମ୍ମୁଖରେ ମାତ୍ର ୧୦ ଫୁଟ୍‌ ଦୂରରେ ସୁଉଚ୍ଚ ଜୁଆର ଆଜି ଲହଡ଼ି ଭାଙ୍ଗିଥିବା ବେଳେ କିଛି ଉଠା ଦୋକାନ ସମୁଦ୍ର ଗର୍ଭକୁ ଚାଲିଯାଇଛି। ସେପଟେ ଲାଇଟ୍ ହାଉସଠାରୁ ଷ୍ଟର୍ଲିନ୍ ଆଡ଼କୁ ସଂଯୋଗ କରୁଥିବା ବେଳାମାର୍ଗ ରାସ୍ତାକୁ ଛୁଇଁଛି ଜୁଆର। ସକାଳେ ଓ ମଧ୍ୟାହ୍ନରେ ସମୁଦ୍ର ଆହୁରି ଭୟଙ୍କର ହେଉଛି। ତିନି ମାସ ତଳେ ପ୍ରଳୟଙ୍କରୀ ବାତ୍ୟା ‘ଫନି’କୁ ପ୍ରତ୍ୟକ୍ଷ କରିଥିବା ପୁରୀବାସୀ ସମୁଦ୍ରର ଏପରି ଅଶାନ୍ତ ରୂପ ଦେଖି ଭୟଭୀତ ହୋଇ ପଡ଼ିଛନ୍ତି। ପ୍ରଶାସନିକ କଟକଣା ଏବଂ ସତର୍କ ସୂଚନା ସତ୍ତ୍ବେ ଅଶାନ୍ତ ସମୁଦ୍ର ଭିତରେ ପର୍ଯ୍ୟଟକମାନେ ପୂର୍ବବତ ସ୍ନାନ କରୁଥିବା ଦେଖିବାକୁ ମିଳୁଛି।

ଗତ କିଛି ଦିନ ଧରି ପୁରୀଠୁ ଚନ୍ଦ୍ରଭାଗା ଯାଏ ସମୁଦ୍ର ଉଗ୍ର ହେବାରେ ଲାଗିଛି। ଢ଼େଉ ପରିମାଣ ବଢ଼ିବା ସହ ବହୁ ଉଚ୍ଚରେ ଲହଡ଼ି ଆସି କୂଳ ଲଙ୍ଘୁଛି। ଗତକାଲି ସମୁଦ୍ର ଯେଉଁଠି ୨୦ରୁ ୩୦ ଫୁଟ୍‌ ଦୂରରେ ଥିଲା, ସେଠି ଆଜି ମାତ୍ର ୧୦ ଫୁଟ୍‌ ଦୂରରେ ଲହଡ଼ି ଭାଙ୍ଗିଛି। ଗତ ବର୍ଷ ବି ସମୁଦ୍ର ଏପରି ଅଶାନ୍ତ ରୂପ ଦେଖାଇଥିଲା। କିନ୍ତୁ ବେଳାମାର୍ଗ ରାସ୍ତା ଛୁଇଁ ନଥିଲା। ଚଳିତ ବର୍ଷ ରାସ୍ତାକୁ ସମୁଦ୍ର ଜୁଆର ଛୁଇଁବା ଆତଙ୍କର ବାତାବରଣ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର