ମଦରେ ବିଷ ମିଶାଇ ୨ ଜଣଙ୍କୁ ହତ୍ୟା!

ଉତ୍‌କ୍ଷିପ୍ତ ଗ୍ରାମବାସୀଙ୍କ ରାସ୍ତାରୋକ

ନାକଟିଦେଉଳ/ସମ୍ବଲପୁର/ରେଢ଼ାଖୋଲ : ମଦରେ ବିଷ ମିଶାଇ ଦୁଇ ଜଣଙ୍କ ହତ୍ୟା କରାଯାଇଛି। ଅନ୍ୟଜଣେ ଗୁରୁତର ଅବସ୍ଥାରେ ଜୀବନ ସହ ସଂଘର୍ଷ କରୁଛନ୍ତି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଗଉଡ଼ପଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ଗଉଡ଼ପଡ଼ାର ଚାଷୀ କପିଳେଶ୍ବର ବାଦି(୪୫) ଏବଂ କିସିଣ୍ଡା ଥାନାର ଗ୍ରାମରକ୍ଷୀ ପବିତ୍ର ଦୀପ (୫୦)।

ମିଳିଥିବା ସୂଚନା ମୁତାବକ, ଗତକାଲି ସକାଳେ ଗୌଡପଡ଼ାର ଫକୀର ଖୁରା(୬୦)ଙ୍କ ଘର ସାମ୍‌ନାରେଏକ ବିଦେଶୀ ମଦ ବୋତଲ, ଦୁଇଟି ପ୍ଲାଷ୍ଟିକ ଗ୍ଲାସ, ୨ଟି ପାଣି ପାଉଚ୍‌, ଚାଖଣା ପାଇଁ ଚାଟ୍‌, କୁରକୁରେ ଓ ଚଣା ଭର୍ତ୍ତି ଏକ ପଲିଥିନ ଥୁଆ ହୋଇଥିଲା। ଏହି ମଦକୁ ଫକୀର, ପବିତ୍ର ଓ କପିଳେଶ୍ବର ପିଇ ଦେଇଥିଲେ। ଏହାପରେ ଫକୀର ନିଜ ଘରେ ରହିଥିବାବେଳେ ପବିତ୍ର ଓ କପିଳେଶ୍ବର ନିଜନିଜ ଘରକୁ ଫେରିଥିଲେ।

ପ୍ରଥମେ ପବିତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବା ପରେ ସେ ଗ୍ରାମର ରାସ୍ତା ଉପରେ ହିଁ ଟଳି ପଡ଼ିଥି‌ଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା। ସେପଟେ କପିଳେଶ୍ବର ଘରେ ପହଞ୍ଚିବା କ୍ଷଣି ବାନ୍ତି କରି ନୟାନ୍ତ ହେବା ପରେ ପରିବାର ଲୋକ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ନାକଟିଦେଉଳ ପରେ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା। ସେଭଳି ଫକୀର ମଧ୍ୟ ମଦ ପିଇବାର କିଛି ସମୟ ପରେ ତାଙ୍କର ଝାଡ଼ା ବାନ୍ତି ହେବା ସହ ମୁହଁରୁ ଫେଣ ବାହାରିବାରୁ ପରିବାର ଲୋକ ଆଣି ନାକଟିଦେଉଳ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ମଧ୍ୟ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା। ଉଭୟ ଫକୀର ଓ କପିଳେଶ୍ବରଙ୍କୁ ରାତି ସାଢ଼େ ଗୋଟାଏରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଭୋର ୪ଟାରେ କପିଳେଶ୍ବରଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ବୁର୍ଲା ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି କପିଳେଶ୍ବରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅପରପକ୍ଷରେ ବୁର୍ଲା ମେଡିକାଲରେ ଫକୀର ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

କେହି ମଦରେ ବିଷ ଦେଇ ଏଭଳି ଘଟଣା ଘଟାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର