ଭୁଲ୍‌ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ

ଔଷଧ ଦୋକାନୀ ସାଜିଲେ ଡାକ୍ତର

ପୁରୀ :‌ ଔଷଧ ଦୋକାନୀଙ୍କ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ଆଜି ଜଣେ ୪ ବର୍ଷର କୁନି ଝିଅର ମୃତ୍ୟୁ ହୋଇଛି। ଅସୁସ୍ଥତା କାରଣରୁ ଆଈ ସହ ଔଷଧ ନେବାକୁ ଆସିଥିବା ଏହି କୁନି ଝିଅ ଇଞ୍ଜେକ୍ସନ୍ ନେବାର କେଇ ମିନିଟ୍ ଭିତରେ ଛଟପଟ ହୋଇ ପ୍ରାଣ ହରାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଅନସର ଛକରେ।

ମୃତକ କୋଣାର୍କ ଥାନା କୁରୁଜଙ୍ଗର ନିରଞ୍ଜନ ପାତ୍ରଙ୍କ ୪ ବର୍ଷର ଝିଅ ଅଳକା ପାତ୍ର। ଗତକାଲି ଅଳକାର ଦେହ ହଠାତ ଖରାପ ହୋଇପଡ଼ିଥିଲା। ଜ୍ବରରେ ଦେହରେ ଖଇ ଫୁଟିଥିଲା। ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ତାକୁ ଅନସର ଛକରେ ଥିବା ଔଷଧ ଦୋକାନକୁ ଔଷଧ ଆଣିବାକୁ ଯାଇଥିଲେ। ସାଙ୍ଗରେ ବାପା ନିରଞ୍ଜନ ବି ଥିଲେ। ଔଷଧ ଦୋକାନୀ ଜଣକ ସ୍ବାସ୍ଥ୍ୟବସ୍ଥା ଦେଖିବା ପରେ ଅଳକାଙ୍କ ଦେହରେ ଘିମିରି ଭଳି ଛୋଟ ଛୋଟ ଫୋଟକା ଉଠିଥିବା ଦେଖିବାକୁ ପାଇଥିଲେ। ଦୋକାନୀ ଜଣକ ଏହା ମିଳିମିଳା ବୋଲି କହିବା ସହ ଭଲ ହେବାକୁ ଏକ ଇଞ୍ଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ଦେବାର କେଇ ମିନିଟ୍ ଭିତରେ ଏହାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଦେହ ସଂପୂର୍ଣ୍ଣ ନୀଳ ପଡ଼ିଯିବା ସହ ଅଳକା ଛଟପଟ ହେବାରେ ଲାଗିଥିଲେ। ଛଟପଟ ହେବାର କିଛି ସମୟ ଭିତରେ ଶରୀର ନିସ୍ତେଜ ହୋଇଯାଇଥିଲା। ପରିବାର ଲୋକେ ପଚାରିବାରେ ସବୁ ଠିକ୍‌ ଅଛି କହି କୋଣାର୍କ ଡାକ୍ତରଖାନାକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। କୋଣାର୍କ ଡାକ୍ତରଖାନା ନେବା ପରେ ସେଠାରୁ ଗୋପ ଡାକ୍ତରଖାନା ନେବାକୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା। ତେବେ ପରିବାର ଲୋକେ ଅଳକାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟ ନେଇ ଆସିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଳକାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର