ଅପରାହ୍‌ଣରେ ଘରେ ଶୋଇଥିଲେ ବୃଦ୍ଧା; ଆକ୍ରମଣ କଲେ ୨ ଦନ୍ତା, ଛଟପଟ ହୋଇ ଚାଲିଗଲା ଜୀବନ

ଚିତ୍ରଡା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଏବଂ ବେତନଟୀ ରେଞ୍ଜ ଅଧୀନରେ ଥିବା ମୋରଡା ବ୍ଲକ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧିପାଇଚାଲିଛି। ଫଳରେ ଲୋକଙ୍କ ବ୍ୟାପକ ପରିମାଣର ଧନଜୀବନ କ୍ଷୟକ୍ଷତି ଘଟୁଥିବା ବେଳେ ଲୋକେ ନାହିଁଥିବା ଅସୁବିଧା ଭୋଗ କରୁଛନ୍ତି। ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଦୁଇଟି ଦନ୍ତା ହାତୀ ହଠାତ ଏହି ବ୍ଲକ ତଥା ବେତନଟୀ ରେଞ୍ଜ ଅଧିନ ଭାଲିଆଡିହା ପଞ୍ଚାୟତର କେନ୍ଦୁଛାଟିଆ ଗ୍ରାମରେ ପ୍ରବେଶ କରିବା ସହ ଜଣଙ୍କ ଘରେ ଆକ୍ରମଣ କରି ଘରେ ଥିବା ଜନୈକା ବୃଦ୍ଧାଙ୍କୁ ଶୁଣ୍ଢରେ ଧରି କଚାଡ଼ି ଅତ୍ୟନ୍ତ ଶୋଚନୀୟ ଭାବେ ଜୀବନରୁ ମାରିଦେଇଥିବା ଜଣାପଡିଛି। ମୃତକ ହେଲେ କମଳୀ ଦେହୁରୀ (୬୫)।

ତେବେ ହାତୀ ଦୁଇଟି ବୃଦ୍ଧାଙ୍କୁ ମାରିବା ପରେ ଉକ୍ତ ସ୍ଥାନରେ ରହିଥିବାରୁ ବୃଦ୍ଧାଙ୍କ ନିକଟକୁ ଯାଇପାରୁନଥିବା ବେଳେ ଲୋକେ ଭୟଭୀତ ଅବସ୍ଥାରେ ରହି ବେତନଟୀ ବନବିଭାଗକୁ ଖବର ଦେଇଥିବା ଜଣାପଡିଛି। ହାତୀ ଆକ୍ରମଣରେ ମୃତ ବୃଦ୍ଧା ଜଣକ ହେଲେ ଉକ୍ତ ଗ୍ରାମର ଗଣ ଦେହୁରୀଙ୍କ ସ୍ତ୍ରୀ କମଳୀ ଦେହୁରୀ। ଖବରରୁ ପ୍ରକାଶ କି ଆଜି ମଧ୍ୟାହ୍ନରେ ଖାଇ ସାରିବା ପରେ କମଲୀ ଘରେ ଖଟରେ ବିଶ୍ରାମ ନେଇଥିଲେ।  ଅପରାହ୍ନ ପ୍ରାୟ ୪ଟା ସମୟରେ ଦୁଇଟି ଦନ୍ତା ହାତୀ ହଠାତ ଅତର୍କିତ ଭାବେ କମଳୀଙ୍କୁ ଶୁଣ୍ଢରେ ଟେକି ନେଇ କଂକ୍ରିଟ ରାସ୍ତା ଉପରେ କଚାଡିବା ସହ ଘୋଷାଡି ଗୁଡ଼ରେ ଦଳି ଦେଇ ଜୀବନରୁ ମାରି ଦେଇଥିଲେ। ତେବେ ଲୋକେ ହିଂସ୍ର ହାତୀଙ୍କୁ ଦେଖିବା ପରେ ବୃଦ୍ଧାଙ୍କୁ ଉଦ୍ଧାର କରିବାର ସାହାସ କରିନଥିଲେ। ତେବେ ଖବର ପାଇ ବେତନଟୀ ରେଞ୍ଜଅଧିକାରୀ ଘନଶ୍ୟାମ ସିଂ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡିଛି। ତେବେ ବର୍ଷତମାମ ହାତୀ ଉପଦ୍ରବ ଲାଗିରହିଥିବା ବେଳେ ଏହି ବ୍ଲକ ଅଞ୍ଚଳରେ ନିରୀହ ଲୋକଙ୍କ ଜୀବନ ହାନି ଘଟୁଥିବାରୁ ଜନଅସନ୍ତୋଷ ଏବେ ଆନ୍ଦୋଳନର ଦାନା ବାନ୍ଧୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର