ଚୀନରୁ ଆମଦାନି କମାଇବା ସହଜ ନୁହେଁ
ନୂଆଦିଲ୍ଲୀ: ଗଲୱାନ ଘାଟିରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ସହିଦ ହେବା ପରେ ଦେଶରେ ଚୀନ୍ ବିରୋଧୀ ସ୍ବର ତୀବ୍ର ହେବାରେ ଲାଗିଛି। ଭାରତ ମଧ୍ୟ ଚୀନକୁ ବାଣିଜ୍ୟ କ୍ଷେତ୍ରରେ ଲଗାମ ଦେଉ ବୋଲି ମତ ପ୍ରକାଶ ପାଉଛି। କିନ୍ତୁ ଅନ୍ତର୍ଜାତୀୟ ଆଇନ ଦୃଷ୍ଟିରୁ ଏହା ସମ୍ଭବ କି ବୋଲି ପ୍ରଶ୍ନ ଏବେ ଘାରିଛି। ପାକିସ୍ତାନ ସହିତ ସଂପର୍କ ଖରାପ ହେବା ପରେ ଭାରତ ଏହି ଦେଶକୁ ବାଣିଜ୍ୟ କ୍ଷେତ୍ରରେ ପ୍ରଦାନ କରୁଥିବା ସର୍ବାଧିକ ଅନୁଗୃହୀତ ରାଷ୍ଟ୍ର (ଏମ୍ଏଫ୍ଏନ୍)ର ମାନ୍ୟତା ପ୍ରତ୍ୟାହାର କରି ସୀମା ଶୁଳ୍କକୁ ୨୦୦ ପ୍ରତିଶତକୁ ବୃଦ୍ଧି କରିଥିଲା। ଚୀନ କ୍ଷେତ୍ରରେ ଏହା କେତେଦୂର ବାସ୍ତବ ତାହାକୁ ନେଇ ବିଶେଷଜ୍ଞଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଯାଇଛି। ଶୁଳ୍କ ଓ ବାଣିଜ୍ୟ ସଂକ୍ରାନ୍ତ ସାଧାରଣ ରାଜିନାମା (ଗାଟ୍)ର ଧାରା ୨୧(ଖ)୩ ଅନୁଯାୟୀ ବିଶ୍ବ ବାଣିଜ୍ୟ ସଂଗଠନର ଏକ ସଦସ୍ୟ ଦେଶ ଅନ୍ୟ ଏକ ଦେଶ ବିରୋଧରେ ବାଣିଜ୍ୟିକ କାର୍ଯ୍ୟାନୁଷ୍ଠାନ ନେଇପାରିବ। ଯୁଦ୍ଧ ସମୟରେ ନିଜ ଦେଶର ସୁରକ୍ଷା ସ୍ବାର୍ଥ କିମ୍ବା ଅନ୍ତର୍ଜାତୀୟ ସମ୍ପର୍କରେ ଅନ୍ୟ ଜରୁରୀକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇପାରିବ। ଭାରତ ଏବଂ ଚୀନ ମଧ୍ୟରେ ବର୍ତ୍ତମାନ ଯେଉଁ ସ୍ଥିତି ଉପୁଜିଛି ତାହା ଅନ୍ତର୍ଜାତୀୟ ସମ୍ପର୍କ ସଂକ୍ରାନ୍ତ ଜରୁରୀକାଳନୀ ସ୍ଥିତି ପାଇଁ ଯୋଗ୍ୟ। ନିଜର ଭୂଖଣ୍ଡର ସାର୍ବଭୌମତ୍ବକୁ ସୁରକ୍ଷା ଦେବା କଥା ଉଠୁଥିବାରୁ ଭାରତ ପାଇଁ ଅତ୍ୟାବଶ୍ୟକ ସୁରକ୍ଷା ସ୍ବାର୍ଥ ବିପଦରେ ପଡ଼ିଛି। ତେଣୁ ଭାରତକୁ ଦୁଇଟି ବିଷୟ ବିଶ୍ବ ବାଣିଜ୍ୟ ସଂଗଠନ ନିକଟରେ ପ୍ରମାଣିତ କରିବାକୁ ହେବ। ଗୋଟିଏ ହେଲା ସୁରକ୍ଷା ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଦ୍ବିତୀୟଟି ହେଲା ନିଆଯାଇଥିବା ପଦକ୍ଷେପ ଦେଶର ସର୍ବନିମ୍ନ ସୁରକ୍ଷା ପାଇଁ ଯଥାର୍ଥ।
Sambad is now on WhatsApp
Join and get latest news updates delivered to you via WhatsApp
ବିଶେଷଜ୍ଞଙ୍କ କହିବାନୁଯାୟୀ, ପାକିସ୍ତାନ ବିରୋଧରେ ଭାରତ ଶୁଳ୍କ ବୃଦ୍ଧି ପାଇଁ ଯେଉଁ ପଦକ୍ଷେପ ନେଇଥିଲା ତାହା ସୀମା ଶୁଳ୍କ ଆଇନର ୮କ(୧) ଅଧୀନରେ ନିଆଯାଇଥିଲା। ଜରୁରୀ କ୍ଷମତା ପ୍ରୟୋଗ କରି ଭାରତ ଏହାକୁ କାର୍ଯ୍ୟକାରୀ କରିଥିଲା। ଏହି ଧାରାରେ ଜାତୀୟ ସୁରକ୍ଷା ପ୍ରସଙ୍ଗ ନଥିଲା। ତେବେ ପାକିସ୍ତାନ ସହିତ ଭାରତର ବାଣିଜ୍ୟ ଆକାର ସେତେଟା ଆଖିଦୃଶିଆ ନଥିଲା କି ପାକିସ୍ତାନ ଭାରତ ବିରୋଧରେ ବିଶ୍ବ ବାଣିଜ୍ୟ ସଂଗଠନରେ ଆବେଦନ କରି ନଥିଲା। କିନ୍ତୁ ଚୀନ ବିରୋଧରେ ଧାରା ୮ଏ(୧) ଲାଗୁ କରିବା ଟିକେ କଷ୍ଟ। କାରଣ ଚୀନ ଏହାକୁ ବିଶ୍ବ ବାଣିଜ୍ୟ ସଂଗଠନ ନିକଟରେ ପ୍ରତିବାଦ କରିବାର ସମସ୍ତ ଆଶଙ୍କା ରହିଛି। ଚୀନ ପ୍ରତିବାଦ କରିଲେ ଭାରତ ପାଇଁ ଏହା ସପକ୍ଷରେ ଯୁକ୍ତି ଦର୍ଶାଇବା କଷ୍ଟକର ହେବ। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଚୀନରୁ ସାମଗ୍ରୀ ଆମଦାନି ବନ୍ଦ କରିବା ଆବଶ୍ୟକତା ରହିଛି ବୋଲି ଯଦି ଭାରତ କୁହେ ତାହେଲେ ଏଥିପାଇଁ ବି କାରଣ ଦର୍ଶାଇବାକୁ ହେବ। ଏତଦବ୍ୟତୀତ ଭାରତରେ ଅଧିକାଂଶ ଶିଳ୍ପ ପ୍ରତିଷ୍ଠାନ ସେମାନଙ୍କ ଉତ୍ପାଦ ପ୍ରସ୍ତୁତ ପାଇଁ ଚୀନର ଯନ୍ତ୍ରାଂଶ ଓ ବ୍ୟବହୃତ କଞ୍ଚାମାଲ ଆମଦାନି କରିଥାନ୍ତି। ତେଣୁ ଚୀନ ବିରୋଧରେ ବାଣିଜ୍ୟିକ କଟକଣା ଲଗାଇବା ଭାରତରେ କଳାକାରଖାନାର ଉତ୍ପାଦନ ବିଶେଷମାତ୍ରାରେ ପ୍ରଭାବିତ ହେବ ବୋଲି କିଛି ବିଶେଷଜ୍ଞ ମତ ଦେଉଛନ୍ତି।