ଅନ୍ଲକ୍ ୩.୦ରେ ଆଜିଠୁ ୧୬ ଘଣ୍ଟା ଖୋଲିବ ଦୋକାନ: ଭିଡ଼ କମିବ, ବିକ୍ରି ବଢ଼ିବ
ରାଜ୍ୟରେ ୨୦ ଲକ୍ଷ ଦୋକାନ, କୋଟିଏ ଲୋକଙ୍କ ପେଟପାଟଣା
ଭୁବନେଶ୍ବର: କରୋନା ମହାମାରୀ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍ଡାଉନ୍କୁ ପର୍ଯ୍ୟାୟକ୍ରମେ ଖୋଲାଯାଉଛି। ପ୍ରଥମେ ଅନଲକ୍ ୧.୦, ପରେ ଅନ୍ଲକ୍ ୨.୦ ଏବଂ ଚଳିତମାସ ୧ ତାରିଖରୁ ଅନ୍ଲକ୍ ୩.୦ କାର୍ଯ୍ୟକାରୀ ହେଉଛି। ତେବେ ରାଜ୍ୟରେ ଖୋର୍ଦ୍ଧା, କଟକ, ଯାଜପୁର, ଗଞ୍ଜାମ ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମରେ କଟକଣା ସହିତ ଅନ୍ଲକ୍ ୩.୦ କାର୍ଯ୍ୟକାରୀ ହେବ। ସଟ୍ଡାଉନ୍ କାରଣରୁ ଏହି ୪ ଜିଲ୍ଲା ଓ ରାଉରକେଲା ସହରରେ ଗତକାଲି ଓ ଆଜି ଦୋକାନ ବଜାର ସକାଳ ୫ରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଖୋଲିଥିଲା। କିନ୍ତୁ ସୋମବାରଠାରୁ ରାଜ୍ୟରେ ଅନ୍ଲକ୍ ୩.୦ ପୂରାମାତ୍ରାରେ କାର୍ଯ୍ୟକାରୀ ହେବ। ଉପରୋକ୍ତ ୪ ଜିଲ୍ଲା ଓ ରାଉରକେଲାରେ ସପ୍ତାହରେ ୫ ଦିନ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୧୬ ଘଣ୍ଟା ଦୋକାନ ଖୋଲାରହିବ। ଚଳିତମାସର ପରବର୍ତ୍ତୀ ଶନିବାର ଓ ରବିବାର ଏସବୁ ସ୍ଥାନରେ ସଟଡାଉନ୍ ପୂର୍ବଭଳି ବଳବତ୍ତର ରହିବ। ଅନ୍ୟସ୍ଥାନରେ ସପ୍ତାହର ସବୁଦିନ ୧୬ ଘଣ୍ଟା ଦୋକାନ ଖୋଲିବ। ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାନୀୟ ପ୍ରଶାସନ ପରିସ୍ଥିତିକୁ ଦେଖି ସେମାନଙ୍କ ଜିଲ୍ଲା ଓ ଅଞ୍ଚଳ ପାଇଁ ଲକଡାଉନ୍ ଓ ସଟଡାଉନ ନିୟମ ଘୋଷଣା କରୁଛନ୍ତି। ଏହି ଅନୁସାରେ ଗଞ୍ଜାମରେ ସକାଳ ୫ଟାରୁ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ରାଜ୍ୟ ସରକାରଙ୍କ ଅନ୍ଲକ୍ ୩.୦ ଘୋଷଣା ଅନୁଯାୟୀ ଅଧିକାଂଶ ସମୟ ଦୋକାନ ବଜାର ଗୁଡ଼ିକ ସ୍ବାଭାବିକ ଭାବେ ଖୋଲିବ। ଭୁବନେଶ୍ବରରେ ମଧ୍ୟ କଡ଼ା ସର୍ତ୍ତାବଳୀ ସହ ମଲ୍ ଗୁଡ଼ିକ ଖୋଲିବ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ସୀମିତ ସମୟ ପାଇଁ ଦୋକାନ ଖୋଲୁଥିବାରୁ ଭିଡ଼ ଅଧିକ ହେଉଥିଲା। ଏବେ ଅଧିକ ସମୟ ଦୋକାନ ଖୋଲୁଥିବାରୁ ଭିଡ଼ କମିଯିବ, ବେପାର ମଧ୍ୟ ବଢ଼ିବ ବୋଲି କିଛି ବ୍ୟବସାୟୀ ଓ ବଜାର ବିଶ୍ଳେଷକ ମତ ଦେଇଛନ୍ତି। ରାଜ୍ୟର ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକରେ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ୪୦ ଲକ୍ଷ ଲୋକ ନିଯୁକ୍ତ ଥିବାରୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ମିଶାଇଲେ କୋଟିଏରୁ ଅଧିକ ଲୋକଙ୍କ ପେଟପାଟଣା ଏହା ଉପରେ ନିର୍ଭର କରିଥାଏ। ଦୋକାନ ଖୋଲିଲେ ମଧ୍ୟ ଧାର୍ମିକ, ସାଂସ୍କୃତିକ ଓ ସାମୁହିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲାଗିଥିବାରୁ ବିକ୍ରି ବାଧାପ୍ରାପ୍ତ ହେବ ବୋଲି ବ୍ୟବସାୟୀମାନେ କହିଛନ୍ତି।
ରୋଜଗାର ବଢ଼ିଲେ ବ୍ୟବସାୟରେ ସୁଧାର ଆସିବ
ରାଜ୍ୟର କିଛି ସ୍ଥାନକୁ ଛାଡ଼ି ଦେଲେ ଦୀର୍ଘ ପ୍ରାୟ ସାଢ଼େ ୪ ମାସ ପରେ ଦୋକାନଗୁଡ଼ିକ ସ୍ବାଭାବିକ ଭାବେ ଖୋଲିବା ସୁଯୋଗ ପାଇବେ। କରୋନା ମହାମାରୀ ପାଇଁ ପ୍ରଥମେ ଜୀବନକୁ ବଞ୍ଚାଇବା ପାଇଁ ସରକାର ପଦକ୍ଷେପ ନେଇଥିବା ବେଳେ ଏବେ ଜୀବିକା ବଞ୍ଚାଇବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ଅନଲକ୍ ୩.୦ରେ ନିୟମ କୋହଳ ହୋଇଥିବାରୁ ରାଜ୍ୟରେ ପ୍ରାୟ ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ବେପାର କରିବାକୁ ସମର୍ଥ ହେବେ। ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ହିସାବ ଅନୁଯାୟୀ ରାଜ୍ୟର ୨୦ ଲକ୍ଷ ବ୍ୟବସାୟୀଙ୍କ ମଧ୍ୟରୁ ୧୫ ଲକ୍ଷ ହେଉଛନ୍ତି ରାସ୍ତାକଡ଼ର ଛୋଟ ବ୍ୟବସାୟୀ। ସେମାନଙ୍କ ଦୋକାନ ଖୋଲିଲେ ପରିବାର ଚଳେ। ଅନ୍ୟ ୫ ଲକ୍ଷ ବ୍ୟବସାୟୀଙ୍କ ମଧ୍ୟରୁ ସାଢ଼େ ୪ ଲକ୍ଷ ଖୁଚୁରା ବ୍ୟବସାୟୀ ହୋଇଥିବାବେଳେ ୫୦ ହଜାର ପାଖାପାଖି ପାଇକାରୀ ବ୍ୟବସାୟୀ ଅଛନ୍ତି। ସାଢ଼େ ୪ ଲକ୍ଷ ଖୁଚୁରା ବ୍ୟବସାୟୀଙ୍କର ଦୈନିକ ବିକ୍ରି ପ୍ରାୟ ୩୦ ହଜାର ଟଙ୍କାରୁ ୫୦ ହଜାର ଟଙ୍କା ମଧ୍ୟରେ ସୀମିତ ଥାଏ। ସେମାନେ ମଧ୍ୟ ମୋଟ ଉପରେ ବ୍ୟବସାୟ ଉପରେ ନିର୍ଭର କରି ପରିବାର ଚଳାଇଥାନ୍ତି। କରୋନା ମହାମାରୀ ପାଇଁ ସେମାନଙ୍କ ଜୀବିକା ଦୀର୍ଘଦିନ ଧରି ପ୍ରଭାବିତ ହୋଇଥିଲା। ପୂର୍ବରୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିିଛି। ସେମାନେ ସ୍ବାଭାବିକ ସମୟର ବିକ୍ରି ତୁଳନାରେ ୫୦ ପ୍ରତିଶତ ବିକ୍ରି କରିବାକୁ ସମର୍ଥ ହେଉଥିଲେ। କିନ୍ତୁ ୧୦୦ ପ୍ରତିଶତ ବିକ୍ରି ଠପ୍ ହୋଇଥିବା ଅଣଅତ୍ୟାବଶ୍ୟକ ସାମଗ୍ରୀର ବିକ୍ରେତାମାନେ ଅନ୍ଲକ୍ ୩.୦ରେ ଦୋକାନ ଏବେ ଖୋଲିବେ। ଅଧିକାଂଶ ସ୍ଥାନରେ ୧୬ ଘଣ୍ଟା ବେପାର କରିବାର ସୁଯୋଗ ଅନଲକ୍ ୩.୦ ସମୟରେ ସପ୍ତାହ ସାରା ପାଇବେ। କିନ୍ତୁ କରୋନା ପୂର୍ବରୁ ହେଉଥିବା ବିକ୍ରି ତୁଳନାରେ ମାତ୍ର ୨୦ ପ୍ରତିଶତ ବିକ୍ରି ଏବେ ହେବ ହେବ ବୋଲି କିଛି ବଜାର ବିଶ୍ଳେଷକ ଆଶା ରଖିଛନ୍ତି।
ଅନ୍ୟପକ୍ଷରେ ଖାଲି ଦୋକାନ ବଜାର ଖୋଲିଗଲେ ବେପାର ହୋଇଯିବ ନାହିଁ। ଏଥିପାଇଁ ଲୋକଙ୍କ ହାତରେ ଟଙ୍କା ବା କ୍ରୟଶକ୍ତି ଥିବା ମଧ୍ୟ ଆବଶ୍ୟକ। ଅଧିକାଂଶ ଲୋକଙ୍କର ରୋଜଗାର କରୋନା ସମୟରେ କମିଯାଇଛି କିମ୍ବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସେହି ଦୃଷ୍ଟିରୁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀମାନେ ସ୍ବାଭାବିକ ସମୟ ତୁଳନାରେ ୫୦ ପ୍ରତିଶତ ଓ ଅଣଅତ୍ୟାବଶ୍ୟକ ସାମଗ୍ରୀର ବ୍ୟବସାୟୀମାନେ ୨୦ ପ୍ରତିଶତ ବେପାର କରିବାକୁ ସମର୍ଥ ହେବେ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ମତ ଦେଇଛନ୍ତି। ବିଳାସପୂର୍ଣ୍ଣ ସାମଗ୍ରୀର ବିକ୍ରି ମାତ୍ର ୫ ପ୍ରତିଶତ ଭିତରେ ସୀମିତ ରହିବ ବୋଲି ସେ କହିଛନ୍ତି। ଅଣଅତ୍ୟାବଶ୍ୟକ ଓ ବିଳାସପୂର୍ଣ୍ଣ ସାମଗ୍ରୀର ବିକ୍ରିରେ ସ୍ବାଭାବିକତା ଫେରିବା ଲାଗି ଆହୁରି ଅଧିକ ଦିନ ଲାଗିବ ବୋଲି ସେ ମତ ଦେଇଛନ୍ତି।