୨୦୦୦ ଟଙ୍କିଆ ସପକ୍ଷରେ ନଥିଲେ ମୋଦୀ
ନୂଆଦିଲ୍ଲୀ: ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା ପରେ ଦୁଇ ହଜାର ଟଙ୍କିଆ ନୋଟ୍ ଜାରି କରିବା ସପକ୍ଷରେ ନଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କିନ୍ତୁ ଏହି ବଡ଼ ନୋଟ୍ ପାଇଁ ଯେଉଁ ସହମତି ପ୍ରକାଶ ପାଇଥିଲା ତାହାକୁ ସେ ସମ୍ମାନ ଜଣାଇଥିଲେ। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିବା ନୃପେନ୍ଦ୍ର ମିଶ୍ର ଏହା ପ୍ରକାଶ କରିଛନ୍ତି। ମୋଦୀଙ୍କ ୭୦ତମ ଜନ୍ମଦିନ ଅବସରରେ ଇଂରାଜି ସମ୍ବାଦପତ୍ର ଟାଇମସ୍ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ନିବନ୍ଧରେ ସେ ଲେଖିଛନ୍ତି ଯେ ଏହି ପଦକ୍ଷେପ ଗ୍ରହଣ କରିବାର ସମସ୍ତ ଦାୟିତ୍ବ ମୋଦୀ ନିଜ ମୁଣ୍ଡକୁ ନେଇଥିଲେ। ଏହି ନିଷ୍ପତ୍ତି ପାଇଁ ସେ କୌଣସି ଉପଦେଷ୍ଟାଙ୍କୁ ଦୋଷ ଦେଇନଥିଲେ।ଶ୍ରୀ ମିଶ୍ର ଲେଖିଛନ୍ତି, ୨୦୧୬ରେ ବିମୁଦ୍ରୀକରଣକୁ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଦୁଇ ହଜାର ଟଙ୍କିଆ ନୋଟ୍ ଆଣିବା ଲାଗି ଯେଉଁ ପରିକଳ୍ପନା ପ୍ରସ୍ତୁତ କରାଯାଇଥିଲା ତାହାକୁ ନେଇ ପ୍ରଧାନମନ୍ତ୍ରୀ ପୂର୍ଣ୍ଣ ସହମତ ନଥିଲେ। ମାତ୍ର ଦ୍ରୁତ ଗତିରେ ନଗଦ ରାଶି ଉପଲବ୍ଧ କରାଇବା ଲାଗି ଅଧିକ ମୂଲ୍ୟ ବହନ କରୁଥିବା ନୋଟ୍ ଛପାଇବାର ଆବଶ୍ୟକତା ରହିଛି ବୋଲି ଯେଉଁ ପରାମର୍ଶ ଦିଆଯାଇଥିଲା ତାହାକୁ ସେ ଗ୍ରହଣ କରିନେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଜନ ଧନ ଯୋଜନା
୨୦୧୪ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲା। ବ୍ୟାଙ୍କ ପାଖରେ ପହଞ୍ଚିପାରିନଥିବା ଲୋକଙ୍କ ନିକଟରେ ବ୍ୟାଙ୍କ ସେବା ପହଞ୍ଚାଇବା ଲାଗି ଏହି ଯୋଜନାରେ ଲୋକମାନଙ୍କ ପାଇଁ ଜନ ଧନ ଖାତା ଖୋଲାଯାଇଥିଲା।
ଅଟଳ ପେନ୍ସନ୍ ଯୋଜନା
ମୋଦୀ ସରକାରଙ୍କ ପ୍ରମୁଖ ସାମାଜିକ ସୁରକ୍ଷା ଯୋଜନା ହେଉଛି ଅଟଳ ପେନ୍ସନ୍ ଯୋଜନା। ଏହାକୁ ୨୦୧୫ ମେ’ରେ ଆରମ୍ଭ କରାଯାଇଥିଲା। ଚଳିତ ବର୍ଷ ଏହି ଯୋଜନା ପାଞ୍ଚ ବର୍ଷ ପୂରଣ କରିଛି। ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ବୃଦ୍ଧାବସ୍ଥାରେ ପେନ୍ସନ୍ ଦେବା ଲକ୍ଷ୍ୟ ନେଇ ଏହି ଯୋଜନା ପ୍ରସ୍ତୁତ ହୋଇଛି।
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା
୨୦୧୫-୧୬ ବଜେଟ୍ରେ ଏହି ଯୋଜନା ବିଷୟରେ ଘୋଷଣା କରାଯାଇଥିଲା। ଦେଶ ଲଘୁ ସଂସ୍ଥାଗୁଡ଼ିକୁ ଏହା ଜରିଆରେ ଋଣ ସହାୟତା ଦିଆଯାଉଛି। ଏହି ଯୋଜନା ଦ୍ବାରା ଅନେକ ଉଦ୍ୟୋଗୀ ଓ କ୍ଷୁଦ୍ର ସଂସ୍ଥା ଉପକୃତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା
ଗରିବ ପରିବାରଗୁଡ଼ିକୁ ମାଗଣାରେ ଏଲ୍ପିଜି ସଂଯୋଗ ପ୍ରଦାନ କରିବା ଲାଗି ୨୦୧୬ ମେ’ରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଆରମ୍ଭ କରାଯାଇଥିଲା। ୨୦୨୦ ମାର୍ଚ୍ଚ ପୂର୍ବରୁ ୮ କୋଟି ପରିବାରକୁ ଏଲ୍ପିଜି ସଂଯୋଗ ଦେବା ଲାଗି ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଥିଲା। ଦେଶର ତିନି ସରକାରୀ ଗ୍ୟାସ୍ ଯୋଗାଣକାରୀ ନିର୍ଧାରିତ ସମୟ ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିଛନ୍ତି।
ଗୋଲ୍ଡ ମନେଟାଇଜେସନ୍ ସ୍କିମ୍
୨୦୧୫ ନଭେମ୍ବରରେ ଏହି ସ୍କିମ୍ ଆରମ୍ଭ ହୋଇଥିଲା। ନିଜ ପାଖରେ ଥିବା ସୁନାକୁ ବ୍ୟବହାର କରି ଆର୍ଥିକ ଲାଭ ହାସଲ କରିବା ପାଇଁ ଏହି ସ୍କିମ୍ରେ ଲୋକ ଓ ସଂସ୍ଥାଗୁଡ଼ିକୁ ସୁଯୋଗ ଦିଆଯାଇଛି।
ବିମୁଦ୍ରୀକରଣ
କଳାଧନ, ଜାଲ୍ ନୋଟ୍, ଦୁର୍ନତି, ମନି ଲଣ୍ଡରିଂ ଓ ବେନାମି କାରବାରର ମୁକାବିଲା କରିବା ଲକ୍ଷ୍ୟ ନେଇ ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦୀକରଣ ଘୋଷଣା କରି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରିଥିଲେ।
ଜିଏସ୍ଟି
ପରୋକ୍ଷ ଟିକସ କ୍ଷେତ୍ରରେ ସର୍ବବୃହତ ସଂସ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି)କୁ ୨୦୧୭ ଜୁଲାଇରୁ ଲାଗୁ କରାଯାଇଛି। ତରବରିଆ ଭାବେ ରାତି ଅଧିଆ କାର୍ଯ୍ୟକ୍ରମ ଆୟୋଜନ କରି ଏହି ଆଇନକୁ ଲାଗୁ କରାଯାଇଥିଲା।