ବ୍ୟାଙ୍କ କର୍ମଚାରୀ ଘରକୁ ନେବେ ଅଧିକ ଦରମା, ବଢ଼ିଲା ମହଙ୍ଗା ଭତ୍ତା ପେନ୍ସନ୍ଭୋଗୀ ବି ଉପକୃତ ହେବେ
ନୂଆଦିଲ୍ଲୀ: ଚଳିତ ମାସରେ ବ୍ୟାଙ୍କ କର୍ମଚାରୀମାନଙ୍କ ଦରମା ବୃଦ୍ଧି ପାଇବ। ସେମାନଙ୍କ ଲାଗି ମହଙ୍ଗା ଭତ୍ତା ୨୭.୭୯%କୁ ବୃଦ୍ଧି ପାଇଥିବାରୁ ତାହାର ପ୍ରଭାବ ଦରମାରେ ପ୍ରତିଫଳିତ ହେବ। ଅଗଷ୍ଟରୁ ଅକ୍ଟୋବର ପର୍ଯ୍ୟନ୍ତ ତିନି ମାସ ଲାଗି ଏହି ହାରରେ ମହଙ୍ଗା ଭତ୍ତା ମିଳିବ। ଗତ ତ୍ରୟମାସ ତୁଳନାରେ ବ୍ୟାଙ୍କ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତାରେ ଏଥର ୩ ପ୍ରତିଶତ ବୃଦ୍ଧି ହୋଇଛି। ସେଥିପାଇଁ ପ୍ରାୟ ୮ ଲକ୍ଷ ବ୍ୟାଙ୍କ କର୍ମଚାରୀ ଅଧିକ ଦରମା ପାଇବେ। ମହଙ୍ଗା ଭତ୍ତା ବଢ଼ିବା ଦ୍ବାରା କର୍ମଚାରୀମାନେ ଘରକୁ ନେଉଥିବା ଦରମାରେ ବୃଦ୍ଧି ହୋଇଥିଲା। ବ୍ୟାଙ୍କ ପେନ୍ସନ୍ଭୋଗୀମାନଙ୍କ ପାଇଁ ମଧ୍ୟ ମହଙ୍ଗା ରିଲିଫ୍ ବଢ଼ିବ। ୨୦୧୭ ନଭେମ୍ବର ୧ ପରେ ଯେଉଁମାନେ ଅବସର ଗ୍ରହଣ କରିଥିବେ ସେମାନଙ୍କୁ ୨୭.୭୯ ପ୍ରତିଶତର ମହଙ୍ଗା ରିଲିଫ୍ ମିଳିବ। ଚାକିରିରେ ଥିବା କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ଓ ପେନ୍ସନ୍ଭୋଗୀମାନଙ୍କୁ ମହଙ୍ଗା ରିଲିଫ ପ୍ରଦାନ କରାଯାଏ।
Sambad is now on WhatsApp
Join and get latest news updates delivered to you via WhatsApp
ମୁଦ୍ରାସ୍ଫୀତି ବୃଦ୍ଧିର ପ୍ରଭାବରୁ ସୁରକ୍ଷା ପ୍ରଦାନ କରିବା ଲାଗି ସରକାରୀ ଓ ବ୍ୟାଙ୍କ କର୍ମଚାରୀମାନଙ୍କ ବେତନରେ ମହଙ୍ଗା ଭତ୍ତା ଉପାଦାନକୁ ସାମିଲ କରାଯାଇଛି। ଉପଭୋକ୍ତା ମୂଲ୍ୟ ସୂଚୀ ଆଧାରରେ ପ୍ରତି ତିନି ମାସରେ ବ୍ୟାଙ୍କ କର୍ମଚାରୀମାନଙ୍କ ଲାଗି ମହଙ୍ଗା ଭତ୍ତା ହିସାବ କରାଯାଏ। ଯେହେତୁ ଏହା ଜୀବନ ବଞ୍ଚିବା ଖର୍ଚ୍ଚ ସହ ଜଡ଼ିତ ତେଣୁ ବିଭିନ୍ନ କର୍ମଚାରୀଙ୍କୁ ଭିନ୍ନ ଭିନ୍ନ ପ୍ରକାରର ମହଙ୍ଗା ଭତ୍ତା ମିଳିଥାଏ। କର୍ମଚାରୀଙ୍କ କର୍ମକ୍ଷେତ୍ରର ସ୍ଥିତି ଯଥା ସହରାଞ୍ଚଳ, ଅର୍ଧ-ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଆଧାରରେ ସେମାନଙ୍କୁ ମହଙ୍ଗା ଭତ୍ତା ଦିଆଯାଏ। ବ୍ୟାଙ୍କ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ଲାଗି ଏକ ସ୍ବତନ୍ତ୍ର ହିସାବ ରହିଛି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ପ୍ରତି ମାସରେ ଜାରି କରାଯାଉଥିବା ‘ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚୀ-ଶିଳ୍ପ ଶ୍ରମିକ’କୁ ଏଥିପାଇଁ ବିଚାରକୁ ନିଆଯାଏ। ଏକ ନିର୍ଦିଷ୍ଟ ମାସର ଶେଷ ତାରିଖରେ ଏହାର ପୂର୍ବ ମାସର ସୂଚୀକୁ ଜାରି କରାଯାଏ। ତିନିଟି ମାସର ହାରାହାରି ହାରକୁ ହିସାବ କରି ବ୍ୟାଙ୍କ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ପରିମାଣ ଧାର୍ଯ୍ୟ କରାଯାଏ।