କଟକ: କଟକ ରେଳ ଷ୍ଟେସନରେ ଭିଆଇପି ଯାତ୍ରୀଙ୍କ ଚଳାଚଳ ରହୁଥିବାରୁ ଆତଙ୍କବାଦୀ ଗୋଷ୍ଠୀଙ୍କ ଆକ୍ରମଣ ଭୟ ରହିଛି। ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ ସ୍ଥିତିର ମୁକାବିଲା କରିବା ପାଇଁ ଷ୍ଟେସନରେ ଏକ ମକ୍ ଡ୍ରିଲ୍ ବୁଧବାର ଦିନ କରାଯିବାକୁ ନିଷ୍ପତ୍ତି ହୋଇଛି। ଆତଙ୍କବାଦୀ ଗୋଷ୍ଠୀର ଆକ୍ରମଣକୁ ତୁରନ୍ତ କିଭଳି ମୁକାବିଲା କରାଯିବ, ସେଥିପାଇଁ ଉଭୟ କମିସନରେଟ୍ ପୁଲିସ ଓ ରେଳବାଇ ପୁଲିସକୁ ପ୍ରଶିକ୍ଷଣ ଦିଆଯିବ। ଏସଓଜି ପକ୍ଷରୁ ଏଭଳି ମକ୍ ଡ୍ରିଲ କରାଯିବ। ଏହା ସହିତ ଆସନ୍ତାକାଲି ଡିସିପିଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଏ ସ˚କ୍ରାନ୍ତରେ ଆୟୋଜିତ ହେବାକୁ ଯାଉଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଭୁବନେଶ୍ବର ରେଳ ଷ୍ଟେସନ ସବୁଠାରୁ ସମ୍ବେଦନଶୀଳ ହୋଇଥିବାରୁ ଗଲା ୧୮ ତାରିଖରେ ଭୁବନେଶ୍ବର ରେଳ ଷ୍ଟେସନରେ ଏକ ମକ୍ ଡ୍ରିଲ୍ କରାଯାଇଥିଲା। ଆସନ୍ତା ବୁଧବାର ଦିନ ପ୍ରାୟ ୧୦ଟା ବେଳେ ଏସଓଜି(ସ୍ପେଶାଲ ଅପରେସନ୍ ଗ୍ରୁପ) ନେତୃତ୍ବରେ ମକ୍ ଡ୍ରିଲ୍ କଟକରେ ହେବାକୁ ଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ରାଜ୍ୟ ବୋମା ନିଷ୍କ୍ରିୟକାରୀ ଓ ଚିହ୍ନଟ ଦଳ, ଡାକ୍ତରୀ ଟିମ୍, ଆରପିଏଫ୍ ଡଗ ସ୍କ୍ବାଡ ସାମିଲ ହେବେ। ଆତଙ୍କବାଦୀ ଗୋଷ୍ଠୀର ଆକ୍ରମଣ ହେଲେ କିଭଳି ରେଳ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଷ୍ଟେସନ ବାହାରକୁ ନିଆଯିବ, ଯେଉଁମାନେ ଆହତ ହୋଇଥିବେ ସେମାନଙ୍କୁ ତୁରନ୍ତ ହସପିଟାଲକୁ କିଭଳି ସ୍ଥାନାନ୍ତର କରାଯିବ ଏବ˚ ରେଳବାଇ ପୁଲିସ ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସକୁ ତୁରନ୍ତ ଖବର ସମ୍ପର୍କରେ ମକ୍ ଡ୍ରିଲ୍ କରାଯିବ। ମକ୍ ଡ୍ରିଲରେ ଏସଓଜି ସମେତ ଜିଆରପି, ଆରପିଏଫ୍, ମାଲଗୋଦାମ ଥାନା ପୁଲିସ, ଜୋନ୍ ୧ ଏସିପି ଅଫିସର ପୁଲିସ, ମଧୁପାଟଣା ଟ୍ରାଫିକ ଥାନା, ଏବ˚ କଟକ ଅଗ୍ନିଶମ କର୍ମଚାରୀ ସାମିଲ ହେବେ। ତେବେ ମକ୍ ଡ୍ରିଲ୍ ପୂର୍ବରୁ ଆସନ୍ତାକାଲି ଦିନ ପ୍ରାୟ ୧୨ଟା ବେଳେ ଡିସିପିଙ୍କ ଅଫିସରେ ଏକ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଆରପିଏଫ୍, ଜିଆରିପି, ମାଲଗୋଦାମ୍ ଥାନା, ଚନ୍ଦକା ଏସଓଜିର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ।