୨୦ ଦିନ ହେଲା ବଢିନାହିଁ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ : ବିଗତ ୩ ସପ୍ତାହ ହେଲା ଅପରିବର୍ତ୍ତିତ ରହିଛି ପେଟ୍ରୋଲ ଓ ଡିଜେଲ ଦର । ଗତ ୩ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳକ ହ୍ରାସ କରିବା ପରଠାରୁ  ତେଲଦର ବଢିନାହିଁ ।

ଶେଷଥର ପାଇଁ ନଭେମ୍ବର ୩ରେ ହିଁ ପେଟ୍ରୋଲ ୨୧ ପଇସା ଓ ଡିଜେଲ ୧୮ ପଇସା ବଢିଥିଲା । କିନ୍ତୁ  ସେବେଠାରୁ ତେଲ କମ୍ପାନିମାନେ ତେଲଦର ବୃଦ୍ଧି କରିନାହାନ୍ତି । ଭୁବନେଶ୍ବରରେ ଏବେ ପେଟ୍ରୋଲ ୧୦୧ ଟଙ୍କା ୮୧ ପଇସା ଓ ଡିଜେଲ ୯୧ ଟଙ୍କା ୬୨ ପଇସାରେ ବିକ୍ରି ହେଉଛି । ସେହିପରି ନୂଆଦିଲ୍ଲୀରେ ପେଟ୍ରୋଲ ଟ.୧୦୩.୯୭ ଓ ଡିଜେଲ ଟ.୮୬.୬୭ ରେ ବିକ୍ରି ହେଉଛି ।

ସରକାର ଗତ ନଭେମ୍ବର ୩ରେ ଉତ୍ପାଦ ଶୁଳକ ପେଟ୍ରୋଲ ଉପରୁ ୫ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ହ୍ରାସ କରିଥିଲେ । ଏହା ପରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ତେଲ ଉପରୁ ଭାଟ ହ୍ରାସ କରିଥିଲେ । ଏହା ଦ୍ବାରା ସାଧାରଣ ଖାଉଟି ଉପକୃତ ହୋଇଥିଲେ । ତେବେ ଏଲପିଜି ଉପରୁ ଏପର୍ଯ୍ୟନ୍ତ କୌଣସି ଦର ହ୍ରାସ ଘୋଷଣା କରାଯାଇନାହିଁ । ଏହାକୁ ନେଇ ବିଜେଡ଼ି ସମେତ ବିଭିନ୍ନ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ।  ଏହି ପ୍ରସଙ୍ଗକୁ ନେଇ ବିଜେଡ଼ି ପକ୍ଷରୁ ଓଡ଼ିଶାରେ ବିକ୍ଷୋଭ କରାଯାଉଛି ।

 

ସମ୍ବନ୍ଧିତ ଖବର