ରାଜ୍ୟରେ କଫି ଚାଷର ବିକଳ ଚିତ୍ର: କ୍ଷମତାର ୧%ରୁ ୩% ଉତ୍ପାଦନ, ୮ ଜିଲ୍ଲାକୁ ଭୁଲି ଯାଇଛନ୍ତି, ସ୍ବତନ୍ତ୍ର କଫି ନୀତି କେବେ?
ଭୁବନେଶ୍ବର : କୋରାପୁଟ କଫିର ମାର୍କେଟିଂ ଅନେକ। କିନ୍ତୁ ରାଜ୍ୟରେ କଫି ଚାଷର ବାସ୍ତବିକତାର ରହିଛି ଭିନ୍ନ ଚିତ୍ର। ଏଠାରେ ମଧ୍ୟ କର୍ଣ୍ଣାଟକ, କେରଳ ଏବଂ ଆନ୍ଧ୍ରପ୍ରଦେଶ ଭଳି ବ୍ୟାପକ କଫି ଉତ୍ପାଦନର ସୁଯୋଗ ରହିଛି। ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଏହା କେବଳ କୋରାପୁଟରେ ସୀମିତ ରହିଛି ତାହା ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିପାରି ପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ବତନ୍ତ୍ର କଫି ନୀତି ପ୍ରସ୍ତୁତ ପାଇଁ ୨୦୨୦ ମସିହା କେନ୍ଦ୍ର କଫି ବୋର୍ଡ ପକ୍ଷରୁ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ରାଜ୍ୟ ସରକାର ଏହାକୁ ସେଭଳି ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
୭୦ ଦଶକରେ କରାଯାଇଥିବା ସର୍ଭେ ଅନୁସାରେ ଓଡ଼ିଶାରେ ୩.୪୭ ଲକ୍ଷ ହେକ୍ଟର କଫି ଚାଷ କରାଯାଇ ପାରିବ। ବର୍ତ୍ତମାନ ପରିପ୍ରେକ୍ଷୀରେ ୧.୪୬ ଲକ୍ଷ ହେକ୍ଟର କଫି ଚାଷର କ୍ଷମତା ଥିବା ନେଇ ଆକଳନ କରିଛି କଫି ବୋର୍ଡ। ରାଜ୍ୟରେ ମାତ୍ର ୪୪୦୦ ହେକ୍ଟର ଜମିରେ ହେଉଛି ଏହି ଚାଷ। କୋରାପୁଟ ବ୍ୟତୀତ ରାୟଗଡ଼ା(ବିଶେଷକରି କାଶୀପୁର ବ୍ଲକ), ଗଜପତି, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝରରେ ମଧ୍ୟ ଚାଷୀମାନେ କଫି ଚାଷ କରୁଛନ୍ତି। ମାଲକାନଗିରି, ଗଞ୍ଜାମ ଏବଂ ସୁନ୍ଦରଗଡ଼ରେ କଫି ଉତ୍ପାଦନ କରାଯାଇ ପାରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଦେଶରେ ହେକ୍ଟର ପିଛା କଫି ଉତ୍ପାଦନ ୮ ହଜାର କେଜି, କର୍ଣ୍ଣାଟକରେ ୫୦୦ କେଜି, ଘରୋଇ କମ୍ପାନିର ଉତ୍ପାଦନ ୩୦୦ରୁ ୪୦୦ କେଜି। କିନ୍ତୁ କୋରାପୁଟରେ ଏହା ୧୦୦ କେଜିରୁ ମଧ୍ୟ କମ ଉତ୍ପାଦନ ହେଉଛି। ରାଜ୍ୟରେ ସମୁଦାୟ କ୍ଷମତାର ମାତ୍ର ୧ରୁ୩ ପ୍ରତିଶତ କଫି ଉତ୍ପାଦନ କରାଯାଇ ପାରୁଛି।
କୋରାପୁଟ କଫି ନେଇ ବ୍ରାଣ୍ଡିଂ କରାଯାଉଛି। ଏଥିରେ ରାଜ୍ୟ ସରକାରଙ୍କ ଅପେକ୍ଷା ଜିଲ୍ଲା ପ୍ରଶାସନର ଭୂମିକା ଅଧିକ ରହିଛି। ସରକାରୀ ତଥ୍ୟ ଅନୁଯାୟୀ ୧୯୫୮ ମସିହାରୁ କଫି ଚାଷ ଆରମ୍ଭ ହୋଇ ୧୯୯୦ ମସିହା ବେଳକୁ ବନ୍ଦ କରି ଦିଆଗଲା। ୨୦୦୨ରୁ ୨୦୦୭ ମସିହାରେ ପୁଣି କଫି ଚାଷ ହେଲା। ବର୍ତ୍ତମାନ ୨୦୧୭ ମସିହାରୁ ଏହାକୁ ଗୁରୁତ୍ବ ଦିଆଯିବା ସହିତ ବ୍ୟାପକ ମାର୍କେଟିଂ କରାଯାଉଛି। କଫି ବୋର୍ଡର ଲିଆଜିନିଂ ଅଫିସର ଉପେନ୍ଦ୍ର କୁମାରଙ୍କ ଅନୁସାରେ, କୋରାପୁଟ କଫି ବ୍ରାଣ୍ଡିଂ ଯୋଗୁଁ ହିଁ ନିଉଜିଲାଣ୍ଡ, ଅଷ୍ଟ୍ରେଲିଆ ବ୍ୟବସାୟୀ ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି। ଜାପାନକୁ ମଧ୍ୟ କୋରାପୁଟ କଫି ରପ୍ତାନି ହେଉଛି। ଯାହା ଦେଶ ପାଇଁ ସୁନାମ ଆଣି ଦେଉଛି। କେନ୍ଦ୍ରୀୟ କଫି ବୋର୍ଡ ସହଯୋଗରେ କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହାକୁ ନେଇ ୫ ବର୍ଷୀୟ ଯୋଜନା ପ୍ରସ୍ତୁତ ହୋଇଛି।
ରାଜ୍ୟର ଅନ୍ୟ ଜିଲ୍ଲା ଯେଉଁଠି କଫି ଉତ୍ପାଦନର ସମ୍ଭାବନା ଅଛି ତାକୁ ମଧ୍ୟ ଏଥିରେ ସାମିଲ କରାଯିବାକୁ ଦାବି ହେଉଛି। କର୍ଣ୍ଣାଟକ ଭଳି ଏଭଳି ରାଜସ୍ବ ମଡେଲ ତିଆରି କରାଯିବ ଯେଉଁଥିରେ କଫି ଚାଷ ସହିତ ଇକୋ ଟୁରିଜମକୁ ବିକଶିତ କରାଯାଇ ପାରିବ। ଓଡ଼ିଶାର ଯେଉଁଭଳି ସ୍ଥିତି ରହିଛି ଏଠାରେ ସ୍ବତନ୍ତ୍ର କଫି ଜୋନ ମଧ୍ୟ କରାଯାଇ ପାରିବ। ଅନେକ ଘରୋଇ ସଂସ୍ଥା ମଧ୍ୟ କଫି ଉତ୍ପାଦନ ପାଇଁ ଆଗ୍ରହ ଦେଖାଉଛନ୍ତି। ସେମାନଙ୍କୁ ଏହି ବ୍ୟବସ୍ଥାରେ ସାମିଲ କରାଗଲେ ଓଡ଼ିଶାକୁ ଆହୁରି ସଫଳତା ମିଳିବ ବୋଲି କିଛି ବ୍ୟବସାୟୀ ମତ ଦେଇଛନ୍ତି।