ବୁଦ୍ଧଙ୍କୁ ଉପହାର

ଗୌତମ ବୁଦ୍ଧଙ୍କୁ ଭେଟିବା ଲାଗି ବହୁ ଧନୀ ବ୍ୟକ୍ତିଙ୍କ ସମାଗମ ହେଉଥାଏ। ସେମାନେ ବହୁ ମୂଲ୍ୟବାନ ଧନରତ୍ନ ଆଣି ଭେଟି ସ୍ବରୂପ ଦେଉ ଥାଆନ୍ତି। ବୁଦ୍ଧ ସ୍ମିତ ହାସ୍ୟ ସହିତ କେବଳ ଦକ୍ଷିଣ ହସ୍ତକୁ ଟେକି ତାହା ସ୍ବୀକାର କରିବାର ସଂକେତ ଦେଉଥାଆନ୍ତି, ଯାହାକୁ ତାଙ୍କ ଶିଷ୍ୟମାନେ ନେଇ ଗରିବମାନଙ୍କୁ ବାଣ୍ଟି ଦେଉଥାଆନ୍ତି। ସେ ଦିନ ମହାରାଜ ବିମ୍ବିସାର ବି ଆସିଲେ। ତାଙ୍କ ଦ୍ବାରା ପ୍ରଦତ୍ତ ଉପହାର ଏବଂ ଉପଢ଼ୌକନକୁ ବୁଦ୍ଧ ସେହିଭଳି ସ୍ବୀକାର କଲେ।

କିଛି ସମୟ ପରେ ପହଞ୍ଚିଲେ ଜଣେ ଦରିଦ୍ର ବୃଦ୍ଧ। ତାଙ୍କ ବେଶ ପୋଷାକ ଥିଲା ସଂପୂର୍ଣ୍ଣ ମଳିନ। ସେ ଅତି କୁଣ୍ଠିତ ଚିତ୍ତରେ ବାହାର କଲେ କିଛି କୋଳି। ସେ କହିଲେ- ମହାଭାଗ, ବଡ଼ ଲଜ୍ଜିତ ହୋଇ ମୁଁ ଆପଣଙ୍କ ଲାଗି ଏହି ଉପହାର ଆଣିଛି। ଆପଣ ଏଠାକୁ ଆସିଥିବା ଶୁଣି କୌଣସିମତେ ଆଜିକାର ଆହାର ଲାଗି ଯୋଗାଡ଼ କରିଥିବା ଏହି କୋଳି ସବୁ ମୁଁ ଆପଣଙ୍କୁ ଉପହାର ଭାବେ ଦେବାକୁ ଭାବି ନେଇ ଆସିଛି।

ଏଥର ବୁଦ୍ଧ ଛିଡ଼ା ହେଲେ ଏବଂ ଦୁଇ ହାତ ପ୍ରସାର କରି ତାହା ଗ୍ରହଣ କଲେ ଏବଂ ନିଜ ପାଖରେ ରଖିଲେ। ଏହା ଦେଖିଲେ ବିମ୍ବିସାର।

ସେ ଦିନ ସଂଧ୍ୟାରେ ସେ ବୁଦ୍ଧଙ୍କୁ ପଚାରିଲେ- ତଥାଗତ, ଆପଣ ଦୁର୍ମୂଲ୍ୟବାନ ଧନରତ୍ନକୁ ମାତ୍ର ଗୋଟିଏ ହାତରେ ସ୍ବୀକାର କଲା ବେଳକୁ ଏହି ତୁଚ୍ଛ କୋଳିଗୁଡ଼ିକୁ ଦୁଇ ହାତରେ ଗ୍ରହଣ କଲେ କାହିଁକି?

ବୁଦ୍ଧ ହସି କହିଲେ- ଧନରତ୍ନ ବା କୋଳି ଭିତରେ କୌଣସି ପ୍ରଭେଦ ମୁଁ ଦେଖିନାହିଁ। କେବଳ ଏତିକି ଦେଖିଲି ଯେ ସେ ବ୍ୟକ୍ତି ଆଜି ତାଙ୍କର ସର୍ବସ୍ବ ମୋତେ ଅର୍ପଣ କଲେ। ଆପଣମାନେ ନିଜ ସଂପତ୍ତିର କିଛି ଅଂଶ ମାତ୍ର ପ୍ରଦାନ କରିଛନ୍ତି। ଏହା ହିଁ ତାଙ୍କ ଉପହାରର ମହତ୍ତ୍ବ।

ସମ୍ବନ୍ଧିତ ଖବର