ଭୁବନେଶ୍ବର: ଦିନେ ଆର୍ମିରେ ଚାକିରି କରିଥିଲେ। ଏସିପି ହାବିଲ୍ଦାର ଭାବେ ଦେଶ ମାତୃକାର ସେବା କରୁଥିଲେ। କେତେବେଳେ ଶତ୍ରୁପକ୍ଷଙ୍କୁ ଚକ୍ମା ଦେଉଥିଲେ ତ ଆଉ କେତେବେଳେ ବନ୍ଧୁକ ଧରି ଲଢ଼େଇ କରୁଥିଲେ। ୧୭ବର୍ଷ ଧରି ଚାକିରି କରିବା ପରେ ଏବେ ଏବେ ଅବସର ନେଇଛନ୍ତି। ମାତ୍ର ଦେଶସେବା ବ୍ରତରୁ ବିରତ ହୋଇନାହାନ୍ତି, ବରଂ ସୈନ୍ୟବାହିନୀରେ ଭର୍ତ୍ତି କରିବାକୁ ଗାଁ ଯୁବକମାନଙ୍କୁ ତାଲିମ ଦେଉଛନ୍ତି। ସକାଳୁ ସକାଳୁ ରାଜଧାନୀ ଉପକଣ୍ଠ ଗଣ୍ଡରପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍ରେ ଚାଲୁଛି ଅଭ୍ୟାସ।
Sambad is now on WhatsApp
Join and get latest news updates delivered to you via WhatsApp
୫୦ରୁ ଅଧିକ ଯୁବକ ସାମିଲ ହୋଇ ଦୌଡ଼କୁଦ, ହାଇଜମ୍ପ, ଲଙ୍ଗଜମ୍ପରେ ଭାଗ ନେଉଛନ୍ତି। ତିନି ଘଣ୍ଟା ଧରି ଦ୍ରୋଣାଚାର୍ଯ୍ୟ ଭାବେ ଯୁବକମାନଙ୍କୁ ସୈନ୍ୟବାହିନୀରେ ଭର୍ତ୍ତି କରିବାକୁ ତାଲିମ ଦେଉଛନ୍ତି ଅମିୟ ରଞ୍ଜନ ପରିଡ଼ା।
ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରତ୍ନଗିରି ଅଞ୍ଚଳର ଅମିୟ ତିନି ମାସ ହେଲା ଗଣ୍ଡରପୁର ଯୁବକମାନଙ୍କୁ ଏଭଳି ତାଲିମ ଦେଇଚାଲିଛନ୍ତି। ଦୁଇରୁ ତିନିଜଣ ଯୁବକଙ୍କୁ ନେଇ ତାଙ୍କ ତାଲିମ ଶିବିର ଆରମ୍ଭ ହୋଇଥିଲା। ମାତ୍ର ଦିନ ଯେତିକି ବଢ଼ିଥିଲା, ଅମିୟଙ୍କ ଶିବିରରେ ଯୁବକଙ୍କ ସଂଖ୍ୟା ସେହି ଅନୁଯାୟୀ ବଢ଼ି ବଢ଼ି ଚାଲିଛି। ଏବେ ଦୈନିକ ଶିବିରରେ ୫୦ରୁ ଅଧିକ ଯୁବକ ସାମିଲ ହେଉଛନ୍ତି। ଯୁବକଙ୍କ ସହ ଅଭିଭାବକଙ୍କ ମଧ୍ୟରେ ବି ଉତ୍ସାହ ଦେଖିବାକୁ ମିଳିଛି। ଶିଖିବାକୁ ସମସ୍ତେ ଆଗ୍ରହ ଦେଖାଉଛନ୍ତି। ଛୋଟରୁ ବଡ଼ ହୁଅନ୍ତୁ କି ମୋଟା, ପତଳା; ସମସ୍ତେ ସକାଳୁଆ ଶିବିରରେ ସାମିଲ ହେଉଛନ୍ତି। ଗାଁ ଲୋକେ ମଧ୍ୟ ଅମିୟଙ୍କୁ ସମସ୍ତ ପ୍ରକାର ସହଯୋଗର ହାତ ବଢ଼ାଉଛନ୍ତି। ଯେଉଁଥିପାଇଁ ଅମିୟଙ୍କ ଆର୍ମି ତାଲିମ୍ ଏବେ ପାଞ୍ଚ ପଞ୍ଚାୟତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଅମିୟଙ୍କ କହିବାନୁଯାୟୀ, ୨୧ ବର୍ଷରେ ଆର୍ମିରେ ଚାକିରି ପାଇଥିଲେ। ୧୭ବର୍ଷ ଧରି ଦେଶ ସେବା କରିବା ପରେ ଅବସର ଗ୍ରହଣ କରିଛି। ଚାକିରିରୁ ଫେରିବା ପରେ ନୂତନ ପିଢ଼ିଙ୍କ ଭବିଷ୍ୟତ ନେଇ ଚିନ୍ତାରେ ପଡ଼ିଥିଲି। ବହୁ ପିଲା ଅଧାରୁ ପାଠପଢ଼ା ଛାଡ଼ି ଦେଉଛନ୍ତି। କିଛି ଜଣ ଅବାଟରେ ଚାଲି ଯାଉଛନ୍ତି। ସେମାନଙ୍କୁ ବାଟ ଦେଖାଇବା ସହ ସୈନ୍ୟବାହିନୀରେ କିଭଳି ଭର୍ତ୍ତି ହୋଇପାରିବେ, ସେନେଇ ତାଲିମ ଦେବାକୁ ମନସ୍ଥ କରିଥିଲି। ପ୍ରତିଦିନ ସକାଳ ୫ଟାରୁ ୮ଟା ଯାଏ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ତାଲିମ ଦେଉଛି। ଏଥିରେ ଯୁବକମାନଙ୍କୁ ଦୌଡ଼, ହାଇଜମ୍ପ, ଲଙ୍ଗଜମ୍ପ, ୧୦୦ ଓ ୨୦୦ ମିଟର ଦୌଡ଼, ୫୦୦ ମିଟର ସେଟଲ୍, ବିମ୍, ପୁସ୍ଅପ୍, ସିଟ୍ଅପ୍ ଆଦି ଶିଖାଉଛି। ପେଟର ଚର୍ବି କମାଇବାକୁ ଅଭ୍ୟାସ କରାଉଛି। ପିଲାଙ୍କ ଉତ୍ସାହ ଦେଖି ଆଗକୁ ଅଧିକରୁ ଅଧିକ ଯୁବକଙ୍କୁ ତାଲିମ ଦେବାକୁ ଲକ୍ଷ୍ୟ ରଖିଛି। ସକାଳ ୮ଟା ପରେ ମଞ୍ଚେଶ୍ବରରେ ୧୫ଜଣ ଯୁବକଙ୍କୁ ତାଲିମ ଦେଉଛି।
ଗଣ୍ଡରପୁର ୟୁନାଇଟେଡ୍ ୟୁଥ୍ ସ୍ପୋର୍ଟସ୍ କ୍ଲବ୍ ପକ୍ଷରୁ କୁହାଯାଇଛି ଯେ ଏହି ଷ୍ଟାଡିୟମ୍ରେ ପ୍ରଶିକ୍ଷଣ ନେଇ ଅଞ୍ଚଳର ବହୁ ବ୍ୟକ୍ତିବିଶେଷ ଫୁଟବଲ୍ ଖେଳରେ ନାଁ କମାଇଛନ୍ତି। ସନ୍ତୋଷ ଟ୍ରଫି ସମେତ ରାଜ୍ୟ ତଥା ଜାତୀୟସ୍ତରର ଖେଳାଳି ସୃଷ୍ଟି ହୋଇଛନ୍ତି। ଅମିୟଙ୍କ ଏଭଳି ପ୍ରୟାସ ଗାଁ ଯୁବକଙ୍କ ମଧ୍ୟରେ ଅଲଗା ଉତ୍ସାହ ଭରିଛି। ସମସ୍ତେ ସାମିଲ ହେବାକୁ ଆଗ୍ରହ ଦେଖାଇବା ଅଞ୍ଚଳବାସୀଙ୍କ ଲାଗି ଖୁସି ଖବର।