ଲକ୍ଷ୍ମୀପୁରାଣ କଥା-୧୩: ‘ଲକ୍ଷ୍ମୀପୁରାଣ’ ଓଷା ନା ବ୍ରତ?
‘ଧାନମାଣିକା ଓଷା’ ବା ‘ଶ୍ୟାମାଦେଈ ଓଷା’ ଓ ‘ଚତୁର୍ମାସ ଗୁରୁବାର ଓଷା’ ଆଦି ଅନେକ ଓଷାକଥା ଓଡ଼ିଆରେ ଅଛି। ଏସବୁ ଲକ୍ଷ୍ମୀଙ୍କର ଓଷା। ସେହିପରି, ‘ସୁଦଶାବ୍ରତ’ ଆଦି ଅନେକ ବ୍ରତ ମଧ୍ୟ ଲକ୍ଷ୍ମୀଙ୍କୁ ନେଇ ଅଛି। ସେସବୁ ଅତ୍ୟନ୍ତ ଲୋକପ୍ରିୟ ଏବଂ ତାହା ଲୋକ-ସମାଜରେ ପାଳନ ମଧ୍ୟ କରାଯାଇଥାଏ। କିନ୍ତୁ ‘ଲକ୍ଷ୍ମୀପୁରାଣ’ କ’ଣ ସେହିପରି ଏକ ବ୍ରତ ବା ଓଷା?
Sambad is now on WhatsApp
Join and get latest news updates delivered to you via WhatsApp
‘ଓଷା’ ଶବ୍ଦଟି ଆସିଛି ସଂସ୍କୃତ ‘ଉପବାସ’ରୁ। ଏହାର ଅର୍ଥ- ଅନଶନ ବ୍ରତ। ଏହା ଉପବାସ ବା ଅନଶନ କରିବା, ନିରାହାର ରହି ପବିତ୍ର ପୂଜା ଅନୁଷ୍ଠାନ କରିବାକୁ ବୁଝାଏ। ଏହାକୁ ପୁଣ୍ୟକାର୍ଯ୍ୟ ରୂପେ ବିବେଚନା କରାଯାଏ। ଓଡ଼ିଆ ଲୋକସଂସ୍କୃତିର ବିଶିଷ୍ଟ ଆଲୋଚକ ଅରବିନ୍ଦ ପଟ୍ଟନାୟକଙ୍କ ମତରେ, ‘ବ୍ରତ’ ଶାସ୍ତ୍ରାନୁମୋଦିତ ଏବଂ ‘ଓଷା’ ଶାସ୍ତ୍ରାନୁମୋଦିତ ହେବା ଅପରିହାର୍ଯ୍ୟ ନୁହେଁ। ‘ଓଷା’ରେ ବ୍ରାହ୍ମଣ, ପୌରୋହିତ୍ୟ ଓ କର୍ମକାଣ୍ଡର ପ୍ରାଧାନ୍ୟ ନାହିଁ। ଏହା ନାରୀର ପୌରୋହିତ୍ୟରେ ଅନୁଷ୍ଠିତ ହୁଏ। ବ୍ରତକଥା ପରି ଓଷାକଥାଗୁଡ଼ିକରେ ପୌରାଣିକତାର ଦାବି ନାହିଁ। ଓଷାର କଥା ଓ ଆଚାର ସଂପୂର୍ଣ୍ଣ ରୂପେ ଲୌକିକ।
ଏହି ଦୃଷ୍ଟିରୁ, ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ଆଲୋଚ୍ୟ। ପୂର୍ବସୂଚିତ, ଯେ ‘ଲକ୍ଷ୍ମୀପୁରାଣ’ର ଯେଉଁ ୨୬ଟି ପୋଥି ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଉପଲବ୍ଧ, ସେଥିରୁ ତିନିଟି ବ୍ରତକଥାମୂଳକ। ଓଡ଼ିଶା ସାହିତ୍ୟ ଏକାଡେମୀ ଯେଉଁ ‘ବଳରାମ ଦାସକୃତ ଲକ୍ଷ୍ମୀପୁରାଣ’ ପ୍ରକାଶ କରିଛନ୍ତି, ତାହାର ଅବତରଣିକାରେ ସଂପାଦକବୃନ୍ଦ ଏ ପ୍ରଶ୍ନ ବା ଏ ପ୍ରସଙ୍ଗର ଆଲୋଚନା କରିଛନ୍ତି। ସେମାନେ କହିଛନ୍ତି- ‘ଲକ୍ଷ୍ମୀପୁରାଣ’କୁ ଆମେ ବ୍ରତକଥାର ମର୍ଯ୍ୟାଦା ଦେଇଥାଉ। କୌଣସି ଅଦୃଶ୍ୟ ଶକ୍ତି (ସେ ହୋଇପାରନ୍ତି ଦେବତା ବା ଦେବୀ) ତାଙ୍କୁ ତୁଷ୍ଟ କରି ନିରାମୟ ଜୀବନ ବଞ୍ଚିବା ଉଦ୍ଦେଶ୍ୟରେ ବ୍ରତକଥାଗୁଡ଼ିକର ସୃଷ୍ଟି। ଏଣୁ ଏଗୁଡ଼ିକରେ ସେହି ଶକ୍ତିଙ୍କ ସନ୍ତୁଷ୍ଟୀକରଣ ବିଧି ଏବଂ ତାଙ୍କର ପ୍ରସିଦ୍ଧି ଉଭୟ ଥାଏ। ଏଣୁ, ‘ଲକ୍ଷ୍ମୀପୁରାଣ’ର ଯେଉଁ ପୋଥିଗୁଡ଼ିକ ଏବେ ଉପଲବ୍ଧ, ତାହାର ଆଧାରରେ ସେମାନେ ସେଗୁଡ଼ିକର ସମୀକ୍ଷା କରିଛନ୍ତି।
ସେହି ସମୀକ୍ଷାରୁ ଜଣାଯାଏ, ଯେ ୧୮୬୨ ମସିହା ମଧ୍ୟରେ ଯେଉଁ ‘ଲକ୍ଷ୍ମୀପୁରାଣ’ ପୋଥିଗୁଡ଼ିକ ଉପଲବ୍ଧ, ସେଥିରେ ବ୍ରତବିଧି ସଂକ୍ରାନ୍ତରେ ଖୁବ୍ ଅଳ୍ପ ପଦ ଅଛି। ପଲ୍ଲବନ ପ୍ରାୟ ନାହିଁ। ଏ ସଂପର୍କିତ ଏକ ପରିସଂଖ୍ୟାନ କହେ- ସର୍ବପ୍ରାଚୀନ ଦୁଇ ପୋଥିରେ ବ୍ରତବିଧି ବର୍ଣ୍ଣନା ସଂକ୍ରାନ୍ତ ପଦସଂଖ୍ୟା ମାତ୍ର ୯ ଏବଂ ତୃତୀୟ ସର୍ବପ୍ରାଚୀନ ପୋଥିରେ ଏହି ପଦସଂଖ୍ୟା ମାତ୍ର ୧୧। ଅର୍ଥାତ୍, ବିଧିକୁ ଅମାନ୍ୟ କଲେ ବ୍ୟକ୍ତିିିିିିିିିିିିିିିିିର ତଥା ପରିବାରର ଯେଉଁ ଅନିଷ୍ଟ ବା ବିପର୍ଯ୍ୟୟ ହେବ, ସେ ବାବଦ ପଦ ସଂଖ୍ୟା ମାତ୍ର ୯ରୁ ୧୧ ମଧ୍ୟରେ ସୀମିତ। କିନ୍ତୁ ଯେତିକି ଯେତିକି ସମୟ ବିତିଛି, ଏବଂ ଯେତିକି ଯେତିକି ଅଧିକରୁ ଅଧିକ ପୋଥି ନକଲ ବା ଲିଖନ ମାଧ୍ୟମରେ ପ୍ରସ୍ତୁତ ହୋଇଛି- ସେତିକି ସେତିକି ଏହି ବିଧି ବା ନିଷେଧ ବାବଦ ପଦସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏବେ ‘ଲକ୍ଷ୍ମୀପୁରାଣ’ର ଯେଉଁ ବଜାର ସଂସ୍କରଣ ଉପଲବ୍ଧ, ସେଥିରେ ଏହି ବିଧି-ନିଷେଧ ବାବଦ ପଦସଂଖ୍ୟା ୭୦ରୁ ବେଶି।
ଏ ପ୍ରସଙ୍ଗରେ ମାତ୍ର ଗୋଟିଏ ଦୃଷ୍ଟାନ୍ତ ଯଥେଷ୍ଟ ହେବ। ପୁରୁଷତାନ୍ତ୍ରିକ ସମାଜରେ ନାରୀକୁ ତାର ଅଧିକାର ଓ ସ୍ୱାଧୀନ ପରିସର ଦେବା ପାଇଁ ବଳରାମ ଦାସ ସେଦିନ ‘ଲକ୍ଷ୍ମୀପୁରାଣ’ ରଚନା କରିଥିଲେ। ଅଥଚ ସେହି ନାରୀକୁ ବିବାହ ପରେ ମାଣବସା ଗୁରୁବାର ଲକ୍ଷ୍ମୀପୂଜାର ପ୍ରସାଦରୁ ବଞ୍ଚିତ କରାଯାଇଛି। ବିବାହିତା କନ୍ୟାକୁ ପୈତୃକ ସଂପତ୍ତିରୁ ବଞ୍ଚିତ କରିବା ପାଇଁ, ପୁରୁଷତାନ୍ତ୍ରିକ ସମାଜ ଦ୍ୱାରା ପରବର୍ତ୍ତୀକାଳରେ ଏପରି କରାଯାଇଛି। ଏ ସବୁରୁ ସ୍ପଷ୍ଟ, ଯେ ‘ଲକ୍ଷ୍ମୀପୁରାଣ’ ମୂଳତଃ ଏକ ବ୍ରତକଥା ନଥିଲା। ବଳରାମ ଦାସ ମଧ୍ୟ ତାହାକୁ ସେହିପରି ଭାବରେ ରଚନା କରି ନଥିଲେ।
-ଅସିତ ମହାନ୍ତି