ଆପଲ୍ ସିଇଓଙ୍କ ଦରମା ୨୯ କୋଟି କମିଗଲା

ସାନ୍‌ ଫ୍ରାନ୍‌ସିସ୍‌କୋ: ଆପଲ୍ କମ୍ପାନିର ଆଇଫୋନ୍ ବିକ୍ରି ସେତେ‌ଟା ଉତ୍ସାହଜନକ ନରହିବାରୁ ଏହାର ପ୍ରଭାବ କମ୍ପାନିର ସିଇଓଙ୍କ ବେତନ ଉପରେ ପଡ଼ିଛି। ୨୦୧୮ ତୁଳନାରେ ୨୦୧୯ରେ କମ୍ପାନିର ସିଇଓ ଟିମ୍ କୁକ୍‌ଙ୍କ ଦରମା ୨୯ କୋଟି ଟଙ୍କା କମିଯାଇଛି। ୨୦୧୮ରେ ଟିମ୍ କୁକ୍‌ ୧୫୭ ଲକ୍ଷ ଡଲାର ( ପ୍ରାୟ ୧୧୨ କୋଟି ଟଙ୍କା) ଦରମା ପାଇଥିବାବେଳେ ୨୦୧୯ରେ ଏହା ୧୧୬ ଲକ୍ଷ ଡଲାର ( ପ୍ରାୟ ୮୩ କୋଟି ଟଙ୍କା)କୁ କମିଯାଇଛି। କମ୍ପାନି ପକ୍ଷରୁ ଆମେରିକାର ପୁଞ୍ଜି ବଜାର ନିୟାମକ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ କମିସନକୁ ଏହି ସୂଚନା ଦିଆଯାଇଛି। ପ୍ରୋତ୍ସାହନ ବୋନସ୍‌ କମିଯିବାରୁ କୁକ୍‌ଙ୍କ ‌ବେତନ କମିଯାଇଛି। ୨୦୧୮ରେ ତାଙ୍କୁ ୧୨୦ ଲକ୍ଷ ଡଲାରର ପ୍ରୋତ୍ସାହନ ବୋନସ୍‌ ମିଳିଥିବାବେଳେ ୨୦୧୯ରେ ଏହା ୭୭ ଲକ୍ଷ ଡଲାରକୁ ହ୍ରାସ ପାଇଛି। ଟିମ୍ କୁକ୍‌ଙ୍କ ମୂଳ ବେତନ ୩୦ ଲକ୍ଷ ଡଲାର। ବେତନ ବ୍ୟତୀତ କୁକ୍‌ଙ୍କ ପାଖରେ କମ୍ପାନିର ୧୧.୩୦ କୋଟି ଡଲାରର ସେୟାର ମଧ୍ୟ ରହିଛି। କମ୍ପାନି ତାଙ୍କୁ ସୁରକ୍ଷା ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଏକ ବିମାନ ମଧ୍ୟ ପ୍ରଦାନ କରିଛି। ୨୦୧୮ରେ ଆପଲ୍ କମ୍ପାନି ଧାର୍ଯ୍ୟ କରିଥିବା ଲକ୍ଷ୍ୟ ତୁଳନାରେ ୧୦୦ ପ୍ରତିଶତ ଅଧିକ ବିକ୍ରି ହୋଇଥିବାବେଳେ ୨୦୧୯ରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ୨୮ ପ୍ରତିଶତ ବିକ୍ରି ହାସଲ କରିଛି।

ସମ୍ବନ୍ଧିତ ଖବର